ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୪ ଓ ୨୦୨୫ ବର୍ଷ ପାଇଁ ବିଶିଷ୍ଟ କଳାକାରମାନଙ୍କୁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଏବଂ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ସମ୍ମାନ ତାଲିକାରେ ଓଡ଼ିଶାର ୩ ଜଣ ବିଶିଷ୍ଟ କଳାକାର ସ୍ଥାନ ପାଇଛନ୍ତି। ଓଡ଼ିଶୀ ନୃତ୍ୟଗୁରୁ ବିଚିତ୍ରାନନ୍ଦ ସ୍ୱାଇଁଙ୍କୁ ୨୦୨୪ ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଛି। ସେହିପରି ସମ୍ବଲପୁରୀ ଲୋକନୃତ୍ୟ କ୍ଷେତ୍ରରେ ଅବଦାନ ପାଇଁ ରଣଜୀତ କୁମାର ନାଗଙ୍କୁ ୨୦୨୪ ବର୍ଷର ନୃତ୍ୟ ବର୍ଗରେ ସମ୍ମାନିତ କରାଯାଇଛି। ମଞ୍ଚ ନାଟକରେ ନିର୍ଦ୍ଦେଶନା ପାଇଁ ସୁବୋଧ ପଟ୍ଟନାୟକଙ୍କୁ ୨୦୨୫ ବର୍ଷର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି।

ପୁରସ୍କାର ପ୍ରଦାନ ସମାରୋହରେ ରାଷ୍ଟ୍ରପତି କହିଛନ୍ତି ଯେ, ସମ୍ମାନିତ କଳାକାରମାନେ ସାମୂହିକ ଭାବେ ଭାରତର ଏକ ବିଶାଳ ସାଂସ୍କୃତିକ ମାନଚିତ୍ର ଉପସ୍ଥାପନ କରୁଛନ୍ତି। ଦେଶର ବିଭିନ୍ନ ଅଞ୍ଚଳର ମାଟି, ପାଣି, ପବନ, ନୃତ୍ୟ, ସଙ୍ଗୀତ, ଭାଷା ଓ ଲୋକପରମ୍ପରାର ଛବି ସେମାନଙ୍କ କଳାରେ ପ୍ରତିଫଳିତ ହେଉଛି। ଭାରତର ସାଂସ୍କୃତିକ ବିବିଧତା ହିଁ ଦେଶର କଳାର ସବୁଠାରୁ ବଡ଼ ଶକ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ବିଭିନ୍ନ ଅଞ୍ଚଳର ଖାଦ୍ୟ, ପୋଷାକ, ନୃତ୍ୟ ଓ ସଙ୍ଗୀତ ପ୍ରକୃତିରୁ ପ୍ରେରଣା ନେଇଛି। ପକ୍ଷୀଙ୍କ କଳରବ, ଝରଣା, ଗଛ, ପତ୍ର, ମେଘ ଓ ନଦୀ ଭଳି ପ୍ରକୃତିର ବିଭିନ୍ନ ଉପାଦାନ କଳାକାରଙ୍କ ସୃଜନଶୀଳତାର ପ୍ରେରଣା ପାଲଟିଛି ବୋଲି କହିଛନ୍ତି ମହାମହିମ ରାଷ୍ଟ୍ରପତି।

 

ରାଷ୍ଟ୍ରପତି ଗୁରୁ-ଶିଷ୍ୟ ପରମ୍ପରାର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଛନ୍ତି। ଭାରତୀୟ କଳାର ବିଭିନ୍ନ ରୂପକୁ ପିଢ଼ି ପରେ ପିଢ଼ି ଆଗକୁ ନେବାରେ ଜୀବନ୍ତ ଗୁରୁମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦ୍ରୁତ ପରିବର୍ତ୍ତନଶୀଳ ସମୟରେ ଅନେକ ଲୋକକଳା ବିଲୁପ୍ତପ୍ରାୟ ହେଉଥିବାରୁ ଏଗୁଡ଼ିକୁ ସଂରକ୍ଷଣ କରିବା ସହ ନୂଆ ପିଢ଼ିକୁ ତାହାର ଶିକ୍ଷା ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

ଏହି ଉଦ୍ଦେଶ୍ୟରେ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ‘କଳା-ଦୀକ୍ଷା’ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ବରିଷ୍ଠ କଳାକାରମାନେ ଆଗାମୀ ପିଢ଼ିର କଳାକାରଙ୍କୁ ପ୍ରସ୍ତୁତ କରିବା ପାଇଁ ଅଧିକ ବ୍ୟବସ୍ଥିତ ପ୍ରୟାସ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ, ଲୋକ ଓ ଜନଜାତି କଳାରେ ପ୍ରକୃତି ସହ ମଣିଷର ଗଭୀର ସମ୍ପର୍କ ଏବଂ ଜୀବନର ସ୍ୱାଭାବିକ ଆନନ୍ଦ ପ୍ରତିଫଳିତ ହୁଏ। ଏହି କଳାରୂପଗୁଡ଼ିକ ସମାଜର ସ୍ମୃତି ଓ ସାମୂହିକ ଚେତନାକୁ ପ୍ରକାଶ କରୁଥିବାରୁ ଏଗୁଡ଼ିକ ଭାରତର ସାଂସ୍କୃତିକ ପରିଚୟର ଏକ ମହତ୍ତ୍ୱପୂର୍ଣ୍ଣ ଆଧାର।

ସମ୍ମାନିତ ସମସ୍ତ କଳାକାରଙ୍କୁ ଅଭିନନ୍ଦନ ଜଣାଇ ରାଷ୍ଟ୍ରପତି କହିଛନ୍ତି ଯେ, ଭାରତୀୟ ପରମ୍ପରାର ବାହକ ଭାବେ କଳାକାରମାନେ ଦେଶର ସାମୂହିକ ସ୍ମୃତିର ରକ୍ଷକ ଏବଂ ଭବିଷ୍ୟତ ପାଇଁ ଦୃଷ୍ଟିକୋଣର ସ୍ରଷ୍ଟା। ସେହିପରି, ସଙ୍ଗୀତ ନାଟକ ଏକାଡେମୀକୁ ଭାରତର ‘ସଫ୍ଟ ପାୱାର’ର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ଅଭିହିତ କରି ରାଷ୍ଟ୍ରପତି ଆଶା ପ୍ରକାଶ କରିଛନ୍ତି ଯେ, ଆଗାମୀ ଦିନରେ ଏକାଡେମୀ ଭାରତର ସାଂସ୍କୃତିକ ଶକ୍ତିକୁ ସମଗ୍ର ବିଶ୍ୱରେ ପହଞ୍ଚାଇବାରେ ଆହୁରି ବଡ଼ ଭୂମିକା ନେବ।