ଭୁବନେଶ୍ୱର,୦୪/୦୮:ମହାନଦୀରେ ପାଣି ଖସୁଛି। ନରାଜଠାରେ ପାଣି ବିପଦ ସଙ୍କେତ ତଳେ ରହିଛି। ଖଇରମାଳ, ବରମୂଳ ଓ ମୁଣ୍ଡଳିରେ ପାଣି କମିଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୯.୬୨ ଫୁଟକୁ ଖସିଛି I ପାଣି କମୁଥିବାରୁ ହୀରାକୁଦର ଆଉ ଗେଟ୍ ବନ୍ଦ କରାଯାଇଛି। ୧୭ଟି ଗେଟ୍ ଦେଇ ୨ ଲକ୍ଷ ୫୬ହଜାର ଘନଫୁଟ ପାଣି ନିଷ୍କାସିତ ହେଉଥିଲା।

ରାତି ୯ଟା ସୁଦ୍ଧା ହୀରାକୁଦକୁ ୧ଲକ୍ଷ ୯ହଜାର ଘନଫୁଟ ପାଣି ପ୍ରବେଶ କରୁଥିଲା। ଖଇରମାଳରେ ୩ଲକ୍ଷ ୮୫ ହଜାର ଘନଫୁଟ ପାଣି ପ୍ରବାହିତ ହେଉଥିବାବେଳେ ବରମୂଳରେ ୪ଲକ୍ଷ ୨୪ ହଜାର ଘନଫୁଟ ଓ ମୁଣ୍ଡଳୀରେ ୫ଲକ୍ଷ ୮୨ହଜାର ୮୬୫ ଘନଫୁଟ ପାଣି ପ୍ରବାହିତ ହେଉଥିଲା। ସେପଟେ ମହାନଦୀର ତଳମୁଣ୍ଡରୁ ପାଣି ଖସିଗଲାଣି।

Also Read :- ପ୍ରତି ସପ୍ତାହରେ ପୃଥିବୀକୁ ଖସୁଛି ୧ ଟନ୍ ଓଜନର ମହାକାଶ ଆବର୍ଜନା: ରକେଟ୍ ଉତକ୍ଷେପଣ ବୃଦ୍ଧି ଯୋଗୁଁ ବଢ଼ୁଛି ବିପଦ

ମଙ୍ଗଳବାର ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ମଧ୍ୟମ ଧରଣର ବର୍ଷା ହୋଇପାରେ।

୫ ତାରିଖ (ବୁଧବାର) ବାଲେଶ୍ୱର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତିରେ ପ୍ରବଳ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ସହ ମଧ୍ୟମ ଧରଣର ବର୍ଷା ହୋଇପାରେ । ୬ ଓ ୭ ତାରିଖରେ ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ଅଛି। ୮ ଓ ୯ ତାରିଖରେ କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଗତ ୨୪ ଘଣ୍ଟାରେ ବାରିପଦାରେ ୪୯.୬ ମିମି, ନୟାଗଡ଼ରେ ୨୯.୨, ଢେଙ୍କାନାଳରେ ୧୭, କେନ୍ଦ୍ରାପଡ଼ାରେ ୧୪, ଖୋର୍ଦ୍ଧାରେ ୧୧ମିମି ବର୍ଷା ରେକର୍ଡ ହୋଇଛି।