ନୂଆଦିଲ୍ଲୀ: ବିଶ୍ୱସାରା ରକେଟ୍ ଏବଂ ସାଟେଲାଇଟ୍ ଲଞ୍ଚିଂ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଫଳରେ ମହାକାଶ ଆବର୍ଜନା (Space Junk) ପୃଥିବୀପୃଷ୍ଠକୁ ଖସିବାର ବିପଦ ମଧ୍ୟ ବଢ଼ିବାରେ ଲାଗିଛି। ଯଦିଓ ମହାକାଶରୁ ଖସୁଥିବା ଅଧିକାଂଶ ବର୍ଜ୍ୟବସ୍ତୁ ବାୟୁମଣ୍ଡଳର ଘର୍ଷଣ ଯୋଗୁଁ ଜଳି ପାଉଁଶ ହୋଇଯାଉଛି କିମ୍ବା ମହାସାଗରରେ ପଡ଼ଛୁ, ତଥାପି ପ୍ରାୟ ୧ ଟନ୍ ଓଜନର ବଡ଼ ବଡ଼ ମହାକାଶ ବର୍ଯ୍ୟ ଖଣ୍ଡ  ଥରେ ପୃଥିବୀର ବାୟୁମଣ୍ଡଳରେ ପୁନଃପ୍ରବେଶ କରୁଥିବା ରିପୋର୍ଟରୁ ଜଣାପଡ଼ିଛି ।

ପୋଲାଣ୍ଡ ସ୍ପେସ୍ ଏଜେନ୍ସିର ଅପରେସନ୍ ମୁଖ୍ୟ ମାରିୟୁଜ୍ ସ୍ଲୋନିନାଙ୍କ କହିବା ଅନୁଯାୟୀ, ‘ପ୍ରତିଦିନ କିଛି ନା କିଛି ମହାକାଶ ଆବର୍ଜନା ବାୟୁମଣ୍ଡଳକୁ ଆସୁଛି। ସେଥିମଧ୍ୟରୁ ପ୍ରାୟ ଏକ ଟନ୍ ଓଜନର ବିଶାଳକାୟ ବସ୍ତୁ ପ୍ରତି ସପ୍ତାହରେ ପୃଥିବୀ ଆଡ଼କୁ ଖସୁଛି।’ ମହାକାଶ ଅଭିଯାନ କେତେ ଦ୍ରୁତ ଗତିରେ ବୃଦ୍ଧି ପାଇଛି, ତାହା ଆମେରିକା ସ୍ପେସ୍ ଫୋର୍ସର ତଥ୍ୟରୁ ସ୍ପଷ୍ଟ । ୨୦୧୫ରେ ବାୟୁମଣ୍ଡଳକୁ ପୁନଃପ୍ରବେଶ କରିଥିବା ମହାକାଶ ବସ୍ତୁର ସଂଖ୍ୟା ଥିଲା ମାତ୍ର ୧୧୦। ୨୦୨୫ରେ ଏହି ସଂଖ୍ୟା ବୃଦ୍ଧି ପାଇ ୮୨୦ ରେ ପହଞ୍ଚିଛି। ଗତବର୍ଷ ବିଶ୍ୱସାରା ୩୦୦ରୁ ଅଧିକ ରକେଟ୍ ଉତକ୍ଷେପଣ କରାଯାଇଥିଲା। ବର୍ତ୍ତମାନ ହଜାର ହଜାର ସାଟେଲାଇଟ୍ ମହାକାଶରେ ଘୁରି ବୁଲୁଛି, ଯେଉଁଗୁଡ଼ିକର କାର୍ଯ୍ୟକାଳ ଶେଷ ହେବା ପରେ ସେଗୁଡ଼ିକ ଶେଷରେ ପୃଥିବୀ ଆଡ଼କୁ ଖସିଥାନ୍ତି।

କେନ୍ୟାର ମୁକୁକୁ ଗ୍ରାମ ନିକଟରେ ଥିବା ଏକ ଚାଷଜମିରେ ରକେଟ୍‌ର ଏକ ବିଶାଳ ଧାତବ ବଳୟ ଖସିପଡ଼ିଥିଲା। ବାୟୁମଣ୍ଡଳରେ ଜଳିଯିବା ପରିବର୍ତ୍ତେ ଏହା ଅକ୍ଷତ ଅବସ୍ଥାରେ ପଡ଼ିଥିଲା। ପରେ ଜଣାପଡ଼ିଲା ଯେ, ଏହା ୧୬ ବର୍ଷ ଧରି ମହାକାଶରେ ଚକ୍କର କାଟୁଥିବା ଏକ ରକେଟ୍‌ର ଅଂଶବିଶେଷ।  ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍ (ISS)ର ଆବର୍ଜନା ଆସି ଫ୍ଲୋରିଡାର ଜଣେ ବ୍ୟକ୍ତିଙ୍କ ଘର ଉପରେ ପଡ଼ିଥିଲା। ସ୍ପେସ୍‌ଏକ୍ସ (SpaceX) ରକେଟ୍‌ର କିଛି ଅବଶେଷ ପୋଲାଣ୍ଡରେ ଖସିଥିଲା।

ଚୀନ୍‌ର ଏକ ନିଷ୍କ୍ରିୟ ସାଟେଲାଇଟ୍ ସ୍ପେନ୍‌ର କାନାରୀ ଦ୍ୱୀପପୁଞ୍ଜ ଉପରେ ଖଣ୍ଡ-ଖଣ୍ଡ ହୋଇ ଭାଙ୍ଗିପଡ଼ିଥିଲା। ଅଷ୍ଟ୍ରେଲିଆ ଏବଂ ଫିଲିପାଇନ୍ସ ଭଳି ଦେଶଗୁଡ଼ିକରେ ମଧ୍ୟ ବିଭିନ୍ନ ସମୟରେ ମହାକାଶ ଆବର୍ଜନା ମିଳୁଥିବା ରିପୋର୍ଟ ହୋଇଛି। ମହାକାଶରେ ଅବରୋଧ ଏବଂ ବର୍ଜ୍ୟବସ୍ତୁ ବୃଦ୍ଧି ପାଉଥିବାରୁ ଭବିଷ୍ୟତରେ ମାନବ ବସତି, ବିମାନ ଚଳାଚଳ ଏବଂ ସକ୍ରିୟ ସାଟେଲାଇଟଗୁଡ଼ିକ ପ୍ରତି ଏହା ଏକ ବଡ଼ ସୁରକ୍ଷା ସଙ୍କଟ ସୃଷ୍ଟି କରୁଛି।