ନୂଆଦିଲ୍ଲୀ: ଭାରତର ପ୍ରତିଷ୍ଠାନଗୁଡ଼ିକୁ କବଜା କରିଛି ବିଜେପି। କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର କରୁଛନ୍ତି ମୋଦି ସରକାର। ଜର୍ମାନ ରାଜଧାନୀ ବର୍ଲିନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ଅଭିଯୋଗ କରିଛନ୍ତି ଯେ ବିଜେପି ଭାରତର ସାଂଗଠନିକ ବ୍ୟବସ୍ଥାକୁ ଦଖଲ କରିସାରିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଭଳି ଏଜେନ୍ସିଗୁଡ଼ିକୁ ରାଜନୈତିକ ଅସ୍ତ୍ରରେ ପରିଣତ କରାଯାଇଛି। ସେ ଆହୁରି କହିଛନ୍ତି ଯେ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଆକ୍ରମଣ କେବଳ ଭାରତ ଉପରେ ନୁହେଁ ବରଂ ସାରା ବିଶ୍ୱରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆକ୍ରମଣ।

ବର୍ଲିନର ହର୍ଟି ସ୍କୁଲରେ ଛାତ୍ରମାନଙ୍କୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହି ପରିସ୍ଥିତି ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ସିଧାସଳଖ ଆକ୍ରମଣ। ସେ ଦାବି କରିଛନ୍ତି ଯେ ବିଜେପି ଏହାର ରାଜନୈତିକ ଶକ୍ତି ବୃଦ୍ଧି ପାଇଁ ପ୍ରତିଷ୍ଠାନଗୁଡ଼ିକୁ ବ୍ୟବହାର କରୁଛି ଏବଂ ବିରୋଧୀ ଦଳ ଏହା ବିରୁଦ୍ଧରେ ଏକ ସଂଗଠିତ ପ୍ରତିରୋଧ କରିବ। ଆମର ଗୁପ୍ତଚର ସଂସ୍ଥା, ଇଡି ଏବଂ ସିବିଆଇକୁ ଅସ୍ତ୍ରରେ ପରିଣତ କରାଯାଇଛି। ED ଏବଂ CBIର ବିଜେପି ବିରୁଦ୍ଧରେ କୌଣସି ମାମଲା ନାହିଁ, ଯେତେବେଳେ ଅଧିକାଂଶ ରାଜନୈତିକ ମାମଲା ସରକାରଙ୍କ ବିରୋଧ କରୁଥିବା ଲୋକଙ୍କ ବିରୁଦ୍ଧରେ।

ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇଛନ୍ତି ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା। କହିଛନ୍ତି- ବିଦେଶୀ ମାଟିରେ ଭାରତକୁ ବଦନାମ କରୁଛନ୍ତି ରାହୁଲ। ତାଙ୍କୁ ବିରୋଧୀ ଦଳର ନେତା ନୁହେଁ, 'ପ୍ରଚାରର ନେତା' ବୋଲି କୁହାଯିବା ଉଚିତ। ରାହୁଲ ଗାନ୍ଧୀ ବିଦେଶରେ ଭାରତ ବିରୋଧୀ ତତ୍ତ୍ୱମାନଙ୍କୁ ଭେଟନ୍ତି ଏବଂ ଭାରତକୁ ଅସ୍ଥିର କରିବାକୁ ଚାହୁଁଥିବା ଲୋକଙ୍କ ସହିତ ଜଡିତ ଅଛନ୍ତି। ସେ କହିଛନ୍ତି ଯେ ମିଥ୍ୟା ଅଭିଯୋଗ ଏବଂ ପ୍ରଚାର ପ୍ରସାର କରିବା ରାହୁଲ ଗାନ୍ଧୀଙ୍କ ପୂର୍ଣ୍ଣକାଳୀନ ଚାକିରି ପାଲଟିଛି।

ବର୍ଲିନରେ ରାହୁଲ ଗାନ୍ଧୀ ଭାରତର ବିବିଧତା ଏବଂ ସଂଘୀୟ ଗଠନ ବିଷୟରେ ମଧ୍ୟ କହିଥିଲେ। ସେ କହିଥିଲେ ଯେ ଭାରତ ଭଳି ଏକ ବହୁବିଧ ଦେଶକୁ ଜଣେ ବ୍ୟକ୍ତିଙ୍କ ଇଚ୍ଛାରେ ନୁହେଁ, ବରଂ ଆଲୋଚନା ମାଧ୍ୟମରେ ପରିଚାଳିତ କରାଯିବା ଉଚିତ।