ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ରାହାମାରେ ସେକ୍ସ ରାକେଟ୍ ଚାଲିଥିବା ଅଭିଯୋଗ। ତିର୍ତ୍ତୋଲ ପୋଲିସର ‘ଅପରେସନ ଜ୍ୟୋତି’ ଅଧୀନରେ ରାହାମା ବଜାରର ଏକ ଭଡ଼ାଘରେ ଅଚାନକ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ୩ ଜଣ ମହିଳାଙ୍କ ସମେତ ଜଣେ ମହିଳା ଓ ଘର ମାଲିକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଛି। ଘଟଣାସ୍ଥଳରୁ ୭ଟି ମୋବାଇଲ୍ ଫୋନ୍, ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ।

ରାହାମା ବଜାରରେ ପୋଲିସର ଅଚାନକ ଚଢ଼ାଉ। ଏକ ଭଡ଼ାଘରେ ଅନୈତିକ କାରବାର ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ତିର୍ତ୍ତୋଲ ପୋଲିସ। ସୂଚନା ଆଧାରରେ ଗତକାଲି ଘର ଉପରେ ଚଢ଼ାଉ କରିଥିଲା ପୋଲିସ। ଚଢ଼ାଉ ବେଳେ ୩ ଜଣ ମହିଳାଙ୍କ ସମେତ ଜଣେ ମହିଳା ଓ ଘର ମାଲିକଙ୍କୁ ପୋଲିସ ଥାନାକୁ ନେଇ ପଚରାଉଚରା କରିଥିଲା। ପୋଲିସର ପଚରାଉଚରା ପରେ ଘଟଣା ସମ୍ପର୍କରେ ତଥ୍ୟ ମିଳିଥିବା କୁହାଯାଇଛି।

ଚଢ଼ାଉ ସମୟରେ ଘଟଣାସ୍ଥଳରୁ ୭ଟି ମୋବାଇଲ୍ ଫୋନ୍, ୩ ହଜାର ୨୨୦ ଟଙ୍କା ନଗଦ ଏବଂ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୋଲିସ। ଏଥିସହ ଲିପଷ୍ଟିକ୍, ପାଉଡର, ତେଲ ସମେତ ବିଭିନ୍ନ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଘଟଣାରେ ପୋଲିସ କେସ୍ ନମ୍ବର ୩୭୦ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ତେବେ ଏହି ଘଟଣା ପଛରେ ଦୀର୍ଘଦିନ ଧରି ଅନୈତିକ କାରବାର ଚାଲିଥିବା ଅଭିଯୋଗ ଆସିଛି। ପୋଲିସ ହେପାଜତରେ ଥିବା ଜଣେ ମହିଳାଙ୍କ ବୟାନ ଅନୁଯାୟୀ, ଘର ମାଲିକ ଦୀର୍ଘ ପ୍ରାୟ ୧୦ ବର୍ଷ ଧରି ଏଭଳି କାରବାର ଚଳାଇ ଆସୁଥିଲେ। ବିଭିନ୍ନ ସ୍ଥାନରୁ ମହିଳାଙ୍କୁ ଆଣି ଏଠାରେ ଏଭଳି କାରବାର ଚାଲୁଥିବା ସେ ଅଭିଯୋଗ କରିଛନ୍ତି। ପ୍ରତ୍ୟେକ ଗ୍ରାହକଙ୍କଠାରୁ ୫୦୦ ଟଙ୍କାରୁ ଅଧିକ ନିଆଯାଉଥିବା ଏବଂ ଘର ମାଲିକ କମିଶନ ନେଉଥିବା ନେଇ ମଧ୍ୟ ବୟାନରେ ଦାବି କରାଯାଇଛି।

ଅନ୍ୟପକ୍ଷରେ ଘର ମାଲିକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମହିଳାମାନେ ଘରୋଇ ଫାଇନାନ୍ସ କାମ ପାଇଁ ଘରକୁ ଆସିଥିବା ସେ ପୋଲିସକୁ କହିଥିବା ଜଣାପଡ଼ିଛି। ତେବେ ପ୍ରକୃତରେ ରାହାମାର ଏହି ଭଡ଼ାଘରେ କ’ଣ ଚାଲିଥିଲା? କେତେ ଦିନ ଧରି ଏଭଳି କାରବାର ଚାଲିଥିଲା? ଏହା ପଛରେ ଆଉ କିଏ କିଏ ସାମିଲ ଅଛନ୍ତି? ଏସବୁ ଦିଗକୁ ନେଇ ତଦନ୍ତ ଚଳାଇଛି ତିର୍ତ୍ତୋଲ ପୋଲିସ।

also read- Hirakud : ଖୋଲିଲା ହୀରାକୁଦରେ ୧୨ଟି ଗେଟ୍‌, ତଳିଆ ଅଞ୍ଚଳରେ ବନ୍ୟା ନେଇ ଆଲର୍ଟ !

ରାହାମା ବଜାରର ଏହି ଭଡ଼ାଘରେ ଚଢ଼ାଉ କରି ପୋଲିସ ଏକାଧିକ ବ୍ୟକ୍ତିଙ୍କୁ ଅଟକ ରଖିବା ସହ ବିଭିନ୍ନ ସାମଗ୍ରୀ ଜବତ କରିଛି। ଏବେ ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ, ଏହି ଘଟଣା ପଛରେ ଆଉ କେତେଜଣଙ୍କ ସମ୍ପୃକ୍ତି ରହିଛି। ଘଟଣାରେ ଅଟକ ଥିବା ବ୍ୟକ୍ତିମାନଙ୍କର ଡାକ୍ତରୀ ପରୀକ୍ଷା କରାଯିବା ସହ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନେବ ପୋଲିସ। ‘ଅପରେସନ ଜ୍ୟୋତି’ ମାଧ୍ୟମରେ ଏଭଳି ଅନୈତିକ କାରବାର ବିରୋଧରେ ତିର୍ତ୍ତୋଲ ପୋଲିସର ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।