ନୂଆଦିଲ୍ଲୀ: ପଞ୍ଜାବର ନିଶା ସମସ୍ୟାକୁ ନେଇ ଭଗୱନ୍ତ ମାନ୍ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟସଭା ସାଂସଦ ରାଘବ ଚଢ଼ା। ରାଜ୍ୟରେ ନିଶାଦ୍ରବ୍ୟ ବର୍ତ୍ତମାନ "ହୋମ୍ ଡେଲିଭରୀ" ଭଳି ସହଜରେ ମିଳୁଥିବା ଅଭିଯୋଗ କରି ସେ ସେପ୍ଟେମ୍ବର ୧୮ ରୁ ୩୦ ପର୍ଯ୍ୟନ୍ତ ସାରା ରାଜ୍ୟରେ 'ନିଶା ମୁକ୍ତ ପଞ୍ଜାବ ଯାତ୍ରା' କରିବାକୁ ଘୋଷଣା କରିଛନ୍ତି।

ରାଘବ ଚଢା କହିଛନ୍ତି ଯେ, ଏହି ଯାତ୍ରା ରାଜ୍ୟର ୪ଟି ଭିନ୍ନ ଭିନ୍ନ ସ୍ଥାନରୁ ଆରମ୍ଭ ହେବ, ଯେଉଁଥିରେ ବିଜେପି ପଞ୍ଜାବକୁ ନିଶାମୁକ୍ତ କରିବା ପାଇଁ ନିଜର ଆଭିମୁଖ୍ୟ ଓ ରୋଡମ୍ୟାପ୍ ଜନସାଧାରଣଙ୍କ ସମ୍ମୁଖରେ ରଖିବ। ନିକଟରେ ପ୍ରାଣ ହରାଇଥିବା ଗୁଲଜାର ସିଂଙ୍କ ଘଟଣାକୁ ନେଇ ସେ ସରକାରଙ୍କୁ ଘେରିଛନ୍ତି। ଗୁଲଜାର ରାଜ୍ୟର ବିଗୁଡ଼ୁଥିବା ନିଶା କାରବାର ବିରୋଧରେ ସ୍ୱର ଉଠାଇବାରୁ ତାଙ୍କୁ ମାନସିକ ଚାପ ଓ ନିର୍ଯାତନା ଦିଆଯାଇଥିଲା, ଯାହା ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା ବୋଲି ଚଢା ଅଭିଯୋଗ କରିଛନ୍ତି।

ଗୁଲଜାର ସିଂଙ୍କ ପରିବାରକୁ ଭେଟି ସମବେଦନା ଜଣାଇବାକୁ ଯାଉଥିବା ବିଜେପି ପ୍ରତିନିଧିମଣ୍ଡଳୀକୁ ସରକାର ଅଟକାଇଥିବା ସେ ଦାବି କରିଛନ୍ତି। ଚଢ଼ା କହିଛନ୍ତି ଯେ, ଲୋକେ ରାସନ୍ ନେବା ପାଇଁ ଯେପରି ଲାଇନରେ ଠିଆ ହୁଅନ୍ତି, ପଞ୍ଜାବରେ ନିଶା ପାଇଁ ସେପରି ଲାଇନ୍ ଲାଗୁଛି। ଏହା ସତ୍ତ୍ୱେ ସରକାର ନିଶା ନିୟନ୍ତ୍ରଣ ହୋଇଥିବା ନେଇ ମିଥ୍ୟା ଦାବି କରୁଛନ୍ତି।

Also Read: Video: ୟୁଜର୍ସଙ୍କୁ ମିଳୁ ମୋବାଇଲ୍ ଡାଟା ଟ୍ରାନ୍ସଫର ସୁବିଧା...AAP ସାଂସଦ ରାଘବ ଚଢାଙ୍କ ବଡ଼ ଦାବି

ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ନିଶା ସମସ୍ୟା ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ଭାବରେ ଉଭା ହୋଇଥିବା ବେଳେ ବିଜେପି ଏହାକୁ ମାନ୍ ସରକାରଙ୍କ ବିରୋଧରେ ମୁଖ୍ୟ ଅସ୍ତ୍ର କରିବାକୁ ଲକ୍ଷ୍ୟ ରଖିଛି।