ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ରାଜନୀତିରେ ବଡ଼ ହଟଚମଟ ସୃଷ୍ଟି କରି ରାଘବ ଚଢ଼ା ଆମ ଆଦମୀ ପାର୍ଟି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି। ତାଙ୍କ ସହ ଅନ୍ୟ ୬ ରାଜ୍ୟସଭା ସାଂସଦ ମଧ୍ୟ ବିଜେପିରେ ସାମିଲ ହେବା ଯୋଗୁ ଆପ୍ (AAP)କୁ ବଡ଼ ଝଟକା ଲାଗିଛି। ଏମିତିରେ ପାର୍ଟି ନେତୃତ୍ବ ଏବେ ନିଜର ବଳକା ସାଂସଦଙ୍କୁ ଏକାଠି ରଖିବାକୁ ଲାଗିଛନ୍ତି।

ନିକଟରେ ଆପ୍ ରାଘବଙ୍କୁ ରାଜ୍ୟସଭାରେ ପାର୍ଟିର ଉପନେତା ପଦରୁ ହଟାଇଦେଇଥିଲା। ଖାଲି ସେତିକି ନୁହେଁ ରାଜନୈତିକ କରିଡରରେ, ଅରବିନ୍ଦ କେଜରିଓ୍ବାଲ ଏବଂ ରାଘବ ଚଢ଼ାଙ୍କ ମଧ୍ୟରେ ଦୂରତା ବଢ଼ୁଥିବା ମଧ୍ୟ ଆଲୋଚନା ହେଉଥିଲା। ଯାହାପରଠୁ ରାଘବ ଚଢ଼ା ଏଭଳି କିଛି କରିବା ନେଇ ଆଶଙ୍କା କରାଯାଉଥିଲା। ତେବେ ରାଘବଙ୍କ ସମର୍ଥକଙ୍କ ମଧ୍ୟରେ ଏହି ନିଷ୍ପତ୍ତିକୁ ନେଇ ଉତ୍ସାହ କିଛି କମ୍ ଦେଖିବାକୁ ମିଳିଛି। ଅନେକ ଏହାକୁ ଅବସରବାଦୀ ରାଜନୀତି କହିଛନ୍ତି। ଯେତେବେଳେକି କିଛି ସମର୍ଥକ ଏହାକୁ ଚଢ଼ାଙ୍କ ନୂଆ ରାଜନୈତିକ ଅଧ୍ୟାୟ ବୋଲି କହିଛନ୍ତି।

Also Read: ଆପ୍ ଛାଡ଼ିଲେ ରାଘବ ଚଢ଼ା, ଅଶୋକ ମିତ୍ତଲ ଏବଂ ସନ୍ଦୀପ ପାଠକ

ଇନଷ୍ଟାଗ୍ରାମରେ କମିଲା ଫଲୋଅର୍ସଙ୍କ ସଂଖ୍ୟା

ବିଜେପିରେ ସାମିଲ ହେବା ପରେ ଚଢ଼ାଙ୍କୁ ସୋସିଆଲ ମିଡିଆରେ ଝଟକା ଲାଗିଛି। ତଥ୍ୟ ଅନୁସାରେ, ପାର୍ଟି ବଦଳାଇବା ୨୪ ଘଣ୍ଟା ମଧ୍ୟରେ ତାଙ୍କ ଇନଷ୍ଟାଗ୍ରାମ ଫଲୋଅର୍ସରେ ୧୦ ଲକ୍ଷରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି। କୁହାଯାଉଛି ଶୁକ୍ରବାର ରାଘବ ଚଢ଼ାଙ୍କ ଇନଷ୍ଟାଗ୍ରାମରେ ୧.୪୬ କୋଟି ଫଲୋଅର୍ସ ଥିଲେ। ଯାହା ଶନିବାର ୨ ଟା ବେଳକୁ ୧.୩୫ କୋଟି ରହିଛି। ଅର୍ଥାତ ଗୋଟିଏ ଦିନରୁ କମ୍ ସମୟରେ ତାଙ୍କ ଫଲୋଅରରେ ବଡ଼ ହ୍ରାସ ଆସିଛି।

ଏନସିପି ନେତାଙ୍କ ଦାବି

ଏହାରି ମଧ୍ୟରେ ଏନସିପି ନେତା ଅନୀଶ ଗାଓ୍ବଣ୍ଡେ ଦାବି କରିଛନ୍ତି ଯେ, ଇନଷ୍ଟାଗ୍ରାମରେ ଚାଲୁଥିବା ଜେନ ଜି ଅନଫଲୋ ଅଭିଯାନ କାରଣରୁ ୨୪ ଘଣ୍ଟା ଭିତରେ ରାଘବ ଚଢ଼ାଙ୍କ ୧୦ ଲକ୍ଷ ଫଲୋଅର୍ସ କମିଛନ୍ତି । ସେ କହିଛନ୍ତି, ଇଣ୍ଟରନେଟ୍ ଆପଣଙ୍କୁ ରାତାରାତି ହିରୋ କରିପାରେ ଆଉ ରାତାରାତି ଜିରୋ ମଧ୍ୟ।

Also Read: ରାଘବ ଚଢାଙ୍କୁ ସବୁକିଛି ଦେଇଥିଲା ଦଳ, ହେଲେ ସେ ବିଜେପି କୋଳରେ ବସିଗଲେ: ସଞ୍ଜୟ ସିଂହ

ଯୁବକଙ୍କ ମଧ୍ୟରେ ରାଘବଙ୍କ ରହିଛି ଭିନ୍ନ ପରିଚୟ

ପ୍ରକୃତରେ ରାଘବ ଚଢ଼ା ଗତ କିଛି ବର୍ଷରେ ଯୁବକଙ୍କ ମଧ୍ୟରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିପାରିଥିଲେ। ସେ ଏଭଳି ପ୍ରସଙ୍ଗ ଉଠାଉଥିଲେ ଯାହା ସିଧାସଳଖ ସାଧାରଣଲୋକ ବିଶେଷ କରି ଯୁବକଙ୍କ ଦୈନନ୍ଦିନ ଜୀବନ ସହ ଜଡ଼ିତ। କିନ୍ତୁ ପାରମ୍ପରିକ ରାଜନୀତିରେ ସବୁବେଳେ ଅଣଦେଖା କରିଦିଆଯାଉଥିଲା।