ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଛାଡ଼ି ବିଜେପିରେ ସାମିଲ ହୋଇଥିବା ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କୁ ବଡ଼ ଦାୟିତ୍ୱ ମିଳିଛି । ତାଙ୍କୁ ରାଜ୍ୟସଭାର କମିଟି ଅନ୍ ପିଟିସନ (ଆବେଦନ କମିଟି)ର ଅଧ୍ୟକ୍ଷ କରାଯାଇଛି । ସମିତିର ପୁନର୍ଗଠନ ପରେ ଗୃହର ୧୦ ସଦସ୍ୟଙ୍କୁ ଏହି ପ୍ୟାନେଲ୍ ପାଇଁ ନାମିତ କରାଯାଇଛି ।

ରାଜ୍ୟସଭାର ଏକ ଅଧିସୂଚନାରେ କୁହାଯାଇଛି ଯେ ରାଘବ ଚଡ୍ଡାଙ୍କୁ ପିଟିସନ୍ ସମିତିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ରାଜ୍ୟସଭା ସଭାପତି ମେ ୨୦ରୁ ପ୍ରଭାବୀ ଭାବେ ଏହି ପ୍ୟାନେଲର ପୁନର୍ଗଠନ କରିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି.ପି.ରାଧାକୃଷ୍ଣନ ଯାଚିକା ସମିତିର ପୁନର୍ଗଠନ କରିବା ପରେ ଗୃହର ୧୦ ସଦସ୍ୟଙ୍କୁ ଏହି ପ୍ୟାନେଲ ପାଇଁ ନାମିତ କରିଛନ୍ତି ।

ରାଘବ ଚଡ୍ଡାଙ୍କ ସମେତ ଏହି ପ୍ୟାନେଲରେ ହର୍ଷ ମହାଜନ, ଗୁଲାମ ଅଲି, ଶମ୍ଭୁ ଶରଣ ପଟେଲ, ମୟଙ୍କକୁମାର ନାୟର, ମସ୍ତାନ ରାଓ, ଜେବି ମାଥେର ହିଶାମ, ଶୁଭାଶିଷ ଖୁଣ୍ଟିଆ, ରଙ୍ଗବ୍ରା ନାରଜାରୀ ଓ ସନ୍ଦୋଶ କୁମାର ପି ସାମିଲ ଅଛନ୍ତି । ଅନ୍ୟ ଏକ ଅଧିସୂଚନାରେ ରାଜ୍ୟସଭା ସଚିବାଳୟ କହିଛି, ରାଜ୍ୟସଭା ଅଧ୍ୟକ୍ଷ ମେ ରେ ଗୃହର ସଦସ୍ୟ ଡା.ମେନକା ଗୁରୁସ୍ୱାମୀଙ୍କୁ କର୍ପୋରେଟ୍ ଆଇନ (ସଂଶୋଧନ) ବିଧେୟକ ୨୦୨୬ ପାଇଁ ସଂଯୁକ୍ତ ସମିତିର ସଦସ୍ୟ ରୂପେ ସାମିଲ ନାମିତ କରିଛନ୍ତି ।