ଭୁବନେଶ୍ୱର, ୧୯/୦୯ :ଲଘୁଚାପ ଆସୁଛି। ଓଡ଼ିଶାରେ ବଡ଼ ବର୍ଷା ଆଶଙ୍କା ବଢ଼ିଛି। ଅନ୍ୟପଟେ ଆସନ୍ତା ଅକ୍ଟୋବରରୁ ଆରମ୍ଭ ହେଉଛି ବାତ୍ୟା ଋତୁ । ହେଲେ ପାଣିପାଗର ନିର୍ଭୁଲ ଓ ନିର୍ଦ୍ଦିଷ୍ଟ ସୂଚନା ମିଳିବାରେ ଦେଖା ଦେଇଛି ସମସ୍ୟା। ଓଡ଼ିଶାରେ ଥିବା ଡପଲର ରାଡାରଗୁଡ଼ିକ ଠିକ୍ ଭାବେ କାମ କରୁନାହିଁ। ବିଡ଼ମ୍ବନା-ଗୋପାଳପୁର ରାଡାରଟି ପ୍ରାୟ ଦେଢ଼ ବର୍ଷ ହେବ ଅଚଳ। ମଝିରେ ମରାମତି ପରେ ସାମୟିକ ଭାବେ ଏହା ଚାଲିଥିଲା । କିନ୍ତୁ,ଏବେ ପୁଣି ଅଚଳ ପଡ଼ିଛି। ପାଣିପାଗ ବିଭାଗର ରାଡାର ସର୍ଚ୍ଚ କଲେ ଗୋପାଳପୁର କେନ୍ଦ୍ରଟି ଅଣ୍ଡର ମେଣ୍ଟେନାନ୍ସ ଥିବା ଦେଖାଉଛି।

ଏବେ ଲୋକାର୍ପିତ ହୋଇଥିବା ସମ୍ବଲପୁରସ୍ଥିତ ନୂଆ ଡପଲର ରାଡାରରେ ବି ସମସ୍ୟା ଦେଖା ଦେଇଛି। ତାହା ମଧ୍ୟ ଠିକ୍ ଭାବେ କାମ କରୁନଥିବା ଅଭିଯୋଗ ହୋଇଛି। ୧୭ତାରିଖ ସନ୍ଧ୍ୟା ୬ଟା ୫୦ ମିନିଟ ପରଠାରୁ ଏଥିରୁ କୌଣସି ସୂଚନା ଜାରି ହୋଇନି। ଏମିତିରେ କେବଳ ପାରାଦୀପରେ ଥିବା ରାଡାର ହିଁ କାର୍ଯ୍ୟକ୍ଷମ ଅଛି। ହେଲେ ସେଥିରେ ବି ବାରମ୍ବାର ସମସ୍ୟା ଉପୁଜିଥିବା ଅଭିଯୋଗ ହେଉଛି।

ଭୁବନେଶ୍ଵର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,ଗୋପାଳପୁର ଡପଲର ରାଡାର ପୁରୁଣା ହୋଇଗଲାଣି। ମଝିରେ ମଝିରେ ଏଥିରେ ସମସ୍ୟା ଆସୁଛି। ବାରମ୍ବାର ମରାମତି ସତ୍ତ୍ୱେ ଏହା ଖରାପ ହୋଇଯାଉଛି। ସମ୍ବଲପୁର ଡପଲର ରାଡାର ନୂଆ କରି ଆରମ୍ଭ ହୋଇଥିବାରୁ ମଝିରେ କିଛି ସମସ୍ୟା ଆସୁଛି,ତାହାକୁ ସାମୟିକ ବନ୍ଦ କରାଯାଉଛି। ଏହା ସ୍ବାଭାବିକ ପ୍ରକ୍ରିୟା। ତେବେ ପାରାଦୀପ ରାଡାର ଠିକ୍ ଭାବେ କାମ କରୁଥିବା ସେ କହିଛନ୍ତି।

Also Read :- ୨୨ରୁ ବର୍ଷା, ୪ ଦିନ ପ୍ରବଳ ଛେଚିବ : ଆସିପାରେ ବାତ୍ୟା !

ପାଣିପାଗ ବିଜ୍ଞାନୀ ବିଶ୍ୱଜିତ ସାହୁ କହିଛନ୍ତି,ଓଡ଼ିଶା ଏକ ବାତ୍ୟା ପ୍ରବଣ ରାଜ୍ୟ। ସେପ୍ଟେମ୍ବରଅକ୍ଟୋବରରୁ ବାତ୍ୟା ସମ୍ଭାବନା ବଢ଼ିଥାଏ। ଏଭଳି ସ୍ଥିତିରେ ସମସ୍ତ ଉପଲର ରାଡାରରେ ସମସ୍ୟା ଦେଖା ଦେବା ଚିନ୍ତାର ବିଷୟ। ନିର୍ଦ୍ଦିଷ୍ଟ ଭାବେ କେଉଁଠି ପବନ,ବର୍ଷା,ବଜ୍ରପାତ ଆଶଙ୍କା ରହିଛି,ତାହା ଡପଲର ରାଡାର ସୂଚନା ଦେଇଥାଏ । ସମ୍ଭାବ୍ୟ ବିପଦର ତୀବ୍ରତା ନେଇ ମଧ୍ୟ ସୂଚନା ମିଳେ। ଆଗୁଆ ସୂଚନା ଯୋଗୁ ଧନଜୀବନ ରକ୍ଷା ହୋଇଥାଏ । ହେଲେ ଗୋପାଳପୁର ରାଡାର ଦୀର୍ଘ ଦିନରୁ ଅଚଳ । ସମ୍ବଲପୁର ରାଡାର ଗତ ୧୭ ତାରିଖ ସନ୍ଧ୍ୟାରୁ ଆଉ କିଛି ତଥ୍ୟ ଦେଇନାହିଁ । ପାରାଦୀପ ରାଡାରରୁ ଉପଯୁକ୍ତ ତଥ୍ୟ ଆସୁନି। ଏ ଦିଗରେ ତ୍ବରିତ ପଦକ୍ଷେପ ନେବା ଆବଶ୍ୟକ।