ଢାକା: ବାଂଲାଦେଶ ସରକାର ଭାରତକୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟାର୍ପଣ ଦାବି ଦୋହରାଇଛନ୍ତି। ଆଇନମନ୍ତ୍ରୀ ମହମ୍ମଦ ଅସଦୁଜମ୍ମା ରବିବାର ଢାକାରେ ଏକ ପ୍ରଶିକ୍ଷଣ କର୍ମଶାଳା ଉଦଘାଟନ କରିବା ଅବସରରେ ସାମ୍ବାଦିକଙ୍କ ସହ କଥୋପକଥନରେ ଶେଖ ହସିନାଙ୍କୁ ଦୋଷୀ ‘ଅପରାଧୀ’ ବୋଲି କହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଢାକା ସ୍ଥାପିତ ଆଇନ ପ୍ରକ୍ରିୟା ଓ ଦୁଇ ଦେଶଙ୍କ ମଧ୍ୟରେ ଥିବା ପ୍ରତ୍ୟାର୍ପଣ ସନ୍ଧିରେ ଶେଖ ହସିନାଙ୍କ ପ୍ରତ୍ୟାବର୍ତ୍ତନ ଲାଗି ସବୁପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି।

ଆଇନଗତ ପ୍ରକ୍ରିୟାର କଥା କହି ଅସଦୁଜ୍ଜମା କହିଛନ୍ତି ଯେ ମୋ ଦୃଷ୍ଟିରେ ସେ ଜଣେ ଅପରାଧୀ, ଆମର ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଧିକରଣ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ସେ ଜଣେ ଅପରାଧୀ। ଆମ ଲାଗି ଏହା ତାଙ୍କର ପ୍ରାଥମିକ ପରିଚୟ। ସେ କହିଛନ୍ତି ଯେ ଯଦିଓ ଏହି ମାମଲା ସିଧାସଳଖ ଆଇନ ମନ୍ତ୍ରାଳୟ ଅନ୍ତର୍ଗତ ନୁହେଁ ତଥାପି ଗୃହମନ୍ତ୍ରାଳୟ ଦ୍ୱିପାକ୍ଷୀୟ ପ୍ରତ୍ୟାର୍ପଣ ସନ୍ଧି ଅନୁସାରେ ଏହି କଥା ବୁଝାସୁଝା କରୁଛି। ମନ୍ତ୍ରୀ କହିଛନ୍ତି ଯେ ଆମେ ପ୍ରତ୍ୟାର୍ପଣ ସନ୍ଧି ଅନୁସାରେ ଭାରତକୁ ଔପଚାରିକ ଅନୁରୋଧ କରିଛୁ।

ଏହି ମାମଲାରେ ଭାବନାର କୌଣସି ସ୍ଥାନ ନାହିଁ ଓ ଏହାକୁ କେବଳ ଆଇନ ମାଧ୍ୟମରେ ସମାଧାନ କରାଯିବ। ଯଦି ଭାରତ ତାଙ୍କୁ ପ୍ରତ୍ୟାର୍ପିତ କରେ ତେବେ ଆମେ ଧାର୍ଯ୍ୟ ଆଇନଗତ ପ୍ରକ୍ରିୟା ପାଳନ କରିବୁ। ଅନ୍ୟପଟେ ଭାରତର ବୈଦେଶିକ ମନ୍ତ୍ରାଳୟ ପୁଷ୍ଟି କରିଛି ଯେ ତାଙ୍କୁ ଢାକାରୁ ପ୍ରତ୍ୟାର୍ପଣ ସମ୍ପର୍କିତ ଅନୁରୋଧ ମିଳିଛି। ତେବେ ଭାରତ ସରକାର ସ୍ପଷ୍ଟ କହିଛନ୍ତି ଯେ ଏହି ଅନୁରୋଧର ସମୀକ୍ଷା ସ୍ଥାପିତ ଆଇନ ଅନୁସାରେ ଓ କୂଟନୈତିକ ପ୍ରକ୍ରିୟାରେ କରାଯାଉଛି। ହେଲେ ଏହି ପ୍ରସଙ୍ଗରେ ଏ ପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନି। ୪ ଅଗଷ୍ଟ ୨୦୨୪ରେ ବାଂଲାଦେଶ ଜନଆନ୍ଦୋଳନରେ ଶେଖ ହସିନାଙ୍କ ୧୫ ବର୍ଷର ସରକାରଙ୍କ ପତନ ହୋଇଥିଲା। ଏଣୁ ସେ ଭାରତରେ ଶରଣ ନେଇଥିଲେ।

ତେବେ ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଭର୍ଚୁଆଲ ଅଡିଓ ପ୍ରେସ୍ କନଫରେନ୍ସରେ ଶେଖ ହସିନା କହିଥିଲେ ଯେ ସେ ପରିଣାମକୁ ପରୱା ନ କରି ବାଂଲାଦେଶ ଫେରିବାକୁ ଚାହୁଁଛନ୍ତି। ତାଙ୍କର ଏପରି ବୟାନକୁ ନେଇ ବାଂଲାଦେଶ ବିଦେଶ ମନ୍ତ୍ରାଳୟ କଡା ଆପତ୍ତି କରିଥିଲା ଓ ହସିନାଙ୍କୁ ଗଣମାଧ୍ୟମରେ କହିବାକୁ ଅନୁମତି ଦିଆଯିବା ଯୋଗୁ ଅସନ୍ତୋଷ ପ୍ରକାଶ କରିଥିଲା। ଏହାର ଜବାବରେ ଭାରତ ସ୍ପଷ୍ଟ କରିଥିଲା ଯେ ଏହି କାର୍ଯ୍ୟକ୍ରମର ଆୟୋଜନ ଏକ ଘରୋଇ ଗଣମାଧ୍ୟମ ସଂସ୍ଥା ଦ୍ୱାରା କରାଯାଇଥିଲା ଓ ଏଥିରେ ଭାରତ ସରକାରଙ୍କର କୌଣସି ଭୂମିକା ନଥିଲା।