ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ମୂଳତ୍ପାଟନ ପାଇଁ ଲଗାତାର ଅଭିଯାନ ଜାରି ରହିଛି। ଏହା ସହ ଆତଙ୍କବାଦଙ୍କୁ ସାହାଯ୍ୟ କରୁଥିବା ଲୋକଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏହା ମଧ୍ୟରେ ସୁରକ୍ଷା ଏଜେନ୍ସି ଶ୍ରୀନଗରର ଲାଲ ଚୌକରେ ଓ୍ଵାଟେଣ୍ଟ ଆତଙ୍କବାଦୀଙ୍କ ପୋଷ୍ଟର ଓ ବ୍ୟାନର ଲଗାଇଛି। ଏହି ପୋଷ୍ଟର ଜରିଆରେ ଏଜେନ୍ସି ସାଧାରଣ ଜନତାଙ୍କୁ ଆତଙ୍କବାଦୀଙ୍କ ବିଷୟରେ ସୂଚନା ଦେବାକୁ ଅପିଲ୍ କରିଛନ୍ତି।

ପୋଷ୍ଟରରେ ଦିଆଯାଇଥିବା ସୂଚନା ଅନୁସାରେ, ଏହି ଚାରି ବ୍ୟକ୍ତି କାଶ୍ମୀରର ଭିନ୍ନ ଭିନ୍ନ ଜିଲ୍ଲାର। ଏଥିରେ ସୋପୋରରୁ ବିଲାଲ ଅହମ୍ମଦ ମୀର ଓ ମହମ୍ମଦ ଉମର ମୀର, କୁଲଗାମରୁ ମହମ୍ମଦ ଲତିଫ ଭଟ୍ଟ, ବାରାମୂଲାରୁ ଆବିଦ କୟୁମ ଲୋନ ସାମିଲ। ଲତିଫ ଭଟ୍ଟ ଚଳିତ ବର୍ଷ ଜୁଲାଇରେ ଅନନ୍ତନାଗରେ ଜଣେ ପୋଲିସ କର୍ମଚାରୀଙ୍କ ହତ୍ୟାରେ ସାମିଲ୍ ଥିଲା।

Also Read: ଅଟୋରେ ଯାଉଥିଲେ ୧୭ ଯାତ୍ରୀ, ଧକ୍କା ଦେଲା ଟ୍ରକ୍ : ୩ ମୃତ

ସୂଚନା ଦେଲେ ମିଳିବ ପୁରସ୍କାର

ଶ୍ରୀନଗରର ପ୍ରମୁଖ ଲାଲଚୌକ ଅଞ୍ଚଳରେ ଏହି ପୋଷ୍ଟର ଲଗାଯାଇ ଲୋକଙ୍କୁ ସଚେତନ କରାଯାଉଛି। ଆତଙ୍କବାଦୀଙ୍କ ସଂପର୍କିତ କିଛି ଖବର ଏଜେନ୍ସିକୁ ଦେବା ପାଇଁ ପ୍ରୋତ୍ସାହିତ କରାଯାଉଛି। ବିଶ୍ଵସନୀୟ ସୂଚନା ଦେବା ଉପରେ ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି।

ଗୋପନୀୟ ରଖାଯିବ ପରିଚୟ

ଏହି ଚାରି ଆତଙ୍କବାଦୀଙ୍କ ଗତିବିଧି ଏବଂ ଠିକଣା ବିଷୟରେ କୌଣସି ସୂଚନା ଥିଲେ ଏଜେନ୍ସିକୁ ଦେବାକୁ ଅପିଲ୍ କରାଯାଇଛି। ଏହାସହ ଭରସା ଦିଆଯାଇଛି ଯେ ସୂଚନା ଦେବା ଲୋକଙ୍କ ପରିଚୟ ସଂପୂର୍ଣ୍ଣ ଭାବେ ଗୋପନୀୟ ରଖାଯିବ। ତେଣୁ ଆତଙ୍କବାଦୀଙ୍କ ଗତିବିଧି, ଯାତାୟତ ଏବଂ ଠିକଣା ସଂପର୍କିତ କୌଣସି ବି ସୂଚନା ମିଳିବା ମାତ୍ରେ ତତ୍କାଳ ଦିଆଯାଇଥିବା ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ।

ଅକ୍ଟୋବରରେ ନିପାତ ହୋଇଥିଲେ ଦୁଇ ଆତଙ୍କବାଦୀଏହା ପୂର୍ବରୁ ଗତ ମାସ ଅକ୍ଟୋବର ୧୭ ତାରିଖରେ ଜମ୍ମୁ-କଶ୍ମୀରର କୁପୱାଡ଼ା ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। କେରନ ସେକ୍ଟରର ଜମଗୁଣ୍ଡ ଅଞ୍ଚଳରେ ନିୟନ୍ତ୍ରଣ ରେଖା (LoC) ନିକଟରେ ସତର୍କ ଯବାନମାନେ କିଛି ସନ୍ଦିଗ୍ଧଙ୍କ ଗତିବିଧି ଦେଖିଥିଲେ। ଏହାପରେ ସୁରକ୍ଷାବାହିନୀ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନରେ ଦୁଇ ଆତଙ୍କବାଦୀ ନିପାତ ହୋଇଥିଲେ।