ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଦେଶର ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ଛତିଶଗଡ଼ ବସ୍ତରରେ ସିଆରପିଏଫ୍ ଯବାନଙ୍କ ଦୀପାବଳି ସେଲିବ୍ରେସନ କରିଛନ୍ତି । ଦିନେ ଏହି ଅଞ୍ଚଳ ନକ୍ସଲଙ୍କ ଦ୍ୱାରା ପ୍ରଭାବିତ ଥିଲା । ଆଜିର ଭାଷଣରେ ପ୍ରଧାନମନ୍ତ୍ରୀ ଯବାନଙ୍କୁ ସେମାନଙ୍କୁ ଉତ୍ସର୍ଗୀକୃତ ସେବା ପାଇଁ ପ୍ରଶଂସା କରିଛନ୍ତି । ଅନ୍ୟ ନିଜ ସମ୍ୱୋଧନରେ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ‘ଦିମାଗୀ ନକ୍ସଲ୍’ ସଂଗଠନଗୁଡ଼ିକ ଉପରେ କବଜା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, "ଏହା ପ୍ରଥମ ଦୀପାବଳି ଯେତେବେଳେ ଦେଶର ପ୍ରତ୍ୟେକ ଜିଲ୍ଲା ନକ୍ସଲବାଦ ମୁକ୍ତ ଏବଂ ଆମେ ଆପଣଙ୍କ ସହିତ ଦୀପାବଳି ପାଳନ କରୁଛୁ ।" ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହାର ସମ୍ପୂର୍ଣ୍ଣ ଶ୍ରେୟ ସୈନିକମାନଙ୍କ ତ୍ୟାଗ ଏବଂ ସମର୍ପଣକୁ ଯାଏ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ନକ୍ସଲବାଦ ବିରୁଦ୍ଧରେ ଲଢ଼େଇରେ ସୁରକ୍ଷା କର୍ମୀଙ୍କ ବଳିଦାନକୁ ସମ୍ମାନ ଜଣାଇବା ପାଇଁ ସେ ସେମାନଙ୍କ ସହିତ ଦୀପାବଳି ପାଳନ କରୁଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି, "ନକ୍ସଲବାଦୀ ଏବଂ ବିଚ୍ଛିନ୍ନତାବାଦୀଙ୍କୁ ଆର୍ଥ ଯୋଗାଣ ଉପରେ ଆମ ସରକାର କଡ଼ା ପ୍ରହାର କରିଛନ୍ତି । ଆମ ସରକାରଙ୍କ ନିଷ୍ପତ୍ତି ଜାଲ୍ ଟଙ୍କା ନେଟୱାର୍କକୁ ଭାଙ୍ଗି ଦେଇଛି ଏବଂ ନକ୍ସଲବାଦୀ ଏବଂ ବିଚ୍ଛିନ୍ନତାବାଦୀଙ୍କ ଯୋଗାଣ ଶୃଙ୍ଖଳାକୁ ବାଧା ଦେଇଛି । ୪୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଗତ ବର୍ଷ କର୍ତ୍ତବ୍ୟ ପାଳନ ସମୟରେ କୌଣସି ସିଆରପିଏଫ୍ କର୍ମଚାରୀ ପ୍ରାଣ ହରାଇ ନାହାନ୍ତି ।"

ସେ କହିଛନ୍ତି, "୨୦୧୦ ମସିହାରେ ଦାନ୍ତେୱାଡାରେ ନକ୍ସଲମାନଙ୍କ ସହ ଏକ ଏନକାଉଣ୍ଟରରେ ୭୬ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ । ୨୦୧୦ ମସିହାରେ ଅନ୍ୟ ଏକ ଘଟଣାରେ, ଦାନ୍ତେୱାଡାରେ ୪୪ ଜଣ ନିରୀହ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ଏହି ଭୂମି ଆମର ବୀରମାନଙ୍କ ରକ୍ତରେ ଅଭିଷିକ୍ତ ହୋଇଛି । କିନ୍ତୁ ମହଲରେ ରହୁଥିବା କୌଣସି ବିଶିଷ୍ଟ ବ୍ୟକ୍ତି କାନ୍ଦି ନାହାନ୍ତି । ସେମାନଙ୍କ ଆଖିରୁ ଗୋଟିଏ ବି ଲୁହ ଝରି ନାହିଁ ।"

କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ "ଗରିବି ହଟାଓ" ସ୍ଲୋଗାନ ଦଶନ୍ଧି ଧରି ଯାହା ହାସଲ କରିପାରିନଥିଲା, ତାହା ୧୨ ବର୍ଷ ମଧ୍ୟରେ ହାସଲ ହୋଇଛି । ବସ୍ତରର ଲୋକମାନେ ଜାଣନ୍ତି ଯେ ଯେଉଁଠାରେ ନକ୍ସଲବାଦୀଙ୍କ ପ୍ରଭାବ ଅଛି, ସେମାନଙ୍କର ପ୍ରାଥମିକ ଏଜେଣ୍ଡା ହେଉଛି ବିକାଶକୁ ବନ୍ଦ କରିବା ଏବଂ ସାଧାରଣ ଲୋକଙ୍କ ଜୀବନକୁ କ୍ଷତି ପହଞ୍ଚାଇବା । ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବାକୁ ଦିଆଗଲା ନାହିଁ, ଏପରିକି ନିଆଁ ମଧ୍ୟ ଲଗାଇଦେଲେ ।

 

ଯବାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, "ନକ୍ସଲ ହିଂସା ଶେଷ ହୋଇଛି । ସଶସ୍ତ୍ର ନକ୍ସଲମାନଙ୍କୁ ଜଙ୍ଗଲରୁ ନିପାତ କରାଯାଇଛି, କିନ୍ତୁ ଦିମାଗୀ ନକ୍ସଲ ଅନେକ ସଂଗଠନକୁ ଦଖଲ କରିଛନ୍ତି । ସେମାନେ ଏବେ ବି ଦେଶର ସମ୍ବିଧାନ ଏବଂ ଗଣତନ୍ତ୍ର ବିରୁଦ୍ଧରେ ଲୋକଙ୍କୁ ଉସୁକାଉଛନ୍ତି । ଦିମାଗୀ ନକ୍ସଲ ଅନେକ ରାଜନୈତିକ ଦଳ ଏବଂ ସଂଗଠନରେ ଅନୁପ୍ରବେଶ କରିଛନ୍ତି । ସେମାନଙ୍କୁ ଚିହ୍ନଟ କରିବାକୁ ପଡ଼ିବ, ସେମାନଙ୍କୁ ପରାସ୍ତ କରିବାକୁ ପଡ଼ିବ ଏବଂ ଦେଶକୁ ସୁରକ୍ଷିତ ରଖିବାକୁ ପଡ଼ିବ ।"