ଭୁବନେଶ୍ୱର ୦୨।୧୨ : ବିଧାନସଭା ଶୀତ ଅଧିବେଶନ । ୪ର୍ଥ ଦିନରେ ଶାସକ-ବିରୋଧୀ ମୁହାଁମୁହିଁ । ଏପିରିକି ବିଭିନ୍ନ ପ୍ରସଙ୍ଗ ନେଇ ପୂର୍ବ ସରକାରଙ୍କୁ ଘେରିଛନ୍ତି ମନ୍ତ୍ରୀ ରବି ନାଏକ। ମେଗା ପାନୀୟ ଜଳ ପ୍ରକଳ୍ପ ପ୍ରକଳ୍ପରେ ହୋଇଥିବା ଦୁର୍ନୀତିକୁ ନେଇ ବିଜେଡି ସରକାରକୁ ଘେରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ।

ମନ୍ତ୍ରୀ କହିଛନ୍ତି ଯେ, ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା। ଏବେ ନଳ ଆଉ ଜଳ ଅଛି। ୨୦୨୪ ଜୁନ୍ ସୁଦ୍ଧା ବିଜେଡି ୩ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କରିଥିଲା। ନୂଆ ସରକାର ବର୍ତ୍ତମାନ ସୁଦ୍ଧା ୨୫ଟି ମେଗା ପ୍ରକଳ୍ପ ଶେଷ କରିଥିବା ବେଳେ ୬୬ ପ୍ରକଳ୍ପର ୯୦ ପ୍ରତିଶତ କାମ ଶେଷ କରିଛନ୍ତି। ସେମାନେ ୩୭୩୩ଟି ସୋଲାର ପ୍ରୋଜେକ୍ଟ ଶେଷ କରିଥିଲେ। ଆମେ ୨୭୦୨ ପ୍ରୋଜେକ୍ଟ ସାରିଛୁ। ହର ଘର ଜଳ ଯୋଜନାରେ ୬୦୩୨ ପ୍ରୋଜେକ୍ଟ ସାରିଥିଲେ, ଆମେ ୪୭୯୧ କରିଛୁ। ୨୮,୩୫୦ ନଳକୂପ ବିଜେଡି କରିଥିଲା, ଆମେ ୨୨,୯୬୪ଟି କରିଛୁ। ପିଏମ ଗତି ଶକ୍ତିରେ ବିଜେପି ୭୧ ହଜାର କିମି ପାଇପ୍ ଲାଇନ ବିଛାଇଛି।

ସେହିପରି ପୂର୍ବ ସରକାର ୩୫ ହଜାର କୋଟି ଟଙ୍କାରେ ୨୦୭ ମେଗା ପାନୀୟ ଜଳ ପ୍ରକଳ୍ପର କାମ ଆରମ୍ଭ ନହେଉଣୁ କାହିଁକି ଠିକାଦାରମାନଙ୍କୁ ଆଗୁଆ ପେମେଣ୍ଟ ଦିଆଗଲା। ତାର ଭିଜିଲାନ୍ସ ତଦନ୍ତ ପାଇଁ ବିଧାନସଭାରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। ଜବାବରେ ମନ୍ତ୍ରୀ କହିଥିଲେ ଯେ, ପୂର୍ବ ସରକାରଙ୍କ ପାନୀୟ ଜଳ ପ୍ରକଳ୍ପ କାମ ଆରମ୍ଭ ନହେଉଣୁ ହଜାର କୋଟିର ପ୍ରକଳ୍ପ କାହିଁକି ନିର୍ଦ୍ଦିଷ୍ଟ ୧୭ ତାମିଲ ଠିକାଦାରଙ୍କୁ ଦିଆଗଲା କହି ବିଜେଡିକୁ କଟାକ୍ଷ କରିଛନ୍ତି। ଓଡ଼ିଆ ଲୋକଙ୍କୁ ଠିକା ଦେଇଥିଲେ କାମ ଭଲ ହୋଇଥାନ୍ତା ବୋଲି ମନ୍ତ୍ରୀ କହିଛନ୍ତି। ଏହାସହ ମେଗା ପ୍ରକଳ୍ପରେ ହୋଇଥିବା ଦୁର୍ନୀତି ଉପରେ ଆଗକୁ ତଦନ୍ତ ହେବ ବୋଲି ମନ୍ତ୍ରୀ ସଙ୍କେତ ଦେଇଛନ୍ତି।