ନୂଆଦିଲ୍ଲୀ: ଭାରତ ମାଟିରୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁରୋପୀୟ ଦେଶଗୁଡ଼ିକୁ କଡ଼ା ଚେତାବନୀ ଦେଇଛନ୍ତି। ଅପରପକ୍ଷରେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ପୁଟିନଙ୍କୁ ଭେଟିବା ପାଇଁ ନିଜର ଇଚ୍ଛା ପ୍ରକାଶ କରିଛନ୍ତି। ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ଥିବା ପୁଟିନ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଯଦି ୟୁରୋପୀୟ ଦେଶଗୁଡ଼ିକ ୟୁକ୍ରେନ ଭୂଖଣ୍ଡକୁ ନିଜର ସୈନ୍ୟ ପଠାନ୍ତି, ତେବେ ଏହାର ସିଧାସଳଖ ଅର୍ଥ ହେବ ‘ରୁଷିଆ ସହିତ ପ୍ରତ୍ୟକ୍ଷ ଯୁଦ୍ଧ’।

ପୁଟିନ୍ ସ୍ପଷ୍ଟ କରିଛନ୍ତି ଯେ, ରୁଷିଆ କୌଣସି ୟୁରୋପୀୟ ଦେଶ ପାଇଁ ବିପଦ ସୃଷ୍ଟି କରୁନାହିଁ କିମ୍ବା କରିବାର କୌଣସି ଯୋଜନା ନାହିଁ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ ସୋଭିଏତ୍ ୟୁନିୟନର ବିଭାଜନ ପରେ ଉତ୍ପନ୍ନ ସମସ୍ତ ବିବାଦ ଅନ୍ତର୍ଜାତୀୟ ନିୟମ ଅନୁସାରେ ସମାଧାନ ହୋଇସାରିଛି। କିନ୍ତୁ ସେମାନେ ୟୁକ୍ରେନକୁ ସୈନ୍ୟ ସହାୟତା ଦେବାର ଅର୍ଥ, ରୁଷ ସହ ସିଧାସଳଖ ଯୁଦ୍ଧ । 

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ ସମୟରେ, ଭାରତ ପୁନର୍ବାର ସ୍ପଷ୍ଟ କରିଛି ଯେ, କୌଣସି ସଂଘର୍ଷର ସମାଧାନ କେବଳ ‘ଆଲୋଚନା ଏବଂ କୂଟନୀତି’ମାଧ୍ୟମରେ ହିଁ ସମ୍ଭବ। ଯୁଦ୍ଧର ସମାଧାନ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ପ୍ରସ୍ତୁତ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Also Read: ଭାରତରେ ପହଁଚିଲା ଉଡନ୍ତା କ୍ରେମଲିନ୍ ! ପୁଟିନଙ୍କ ବିମାନ ପଛରେ ଆସିଲା ଆଉ ଏକ ବିମାନ

ସେପଟେ DWକୁ ଦେଇଥିବା ଏକ ସାକ୍ଷାତକାରରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ, ଯଦି ଉଭୟ ନେତାଙ୍କୁ ଆମନ୍ତ୍ରଣ କରାଯାଏ, ତେବେ ସେ ମିୟାମିଠାରେ ଆୟୋଜିତ ହେବାକୁ ଥିବା G20 ସମ୍ମିଳନୀରେ ପୁଟିନଙ୍କୁ ଭେଟିବାକୁ ପ୍ରସ୍ତୁତ ଅଛନ୍ତି। ଜେଲେନସ୍କି କହିଛନ୍ତି, ‘ଆମକୁ ଭେଟିବାକୁ ପଡ଼ିବ, କଥା ହେବାକୁ ପଡ଼ିବ ଏବଂ ନିଷ୍ପତ୍ତି ନେବାକୁ ପଡ଼ିବ। କିଏ କ’ଣ କହିଲା ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, କେବଳ ସକାରାତ୍ମକ ଫଳାଫଳ ହିଁ ଗୁରୁତ୍ୱପୂର୍ଣ୍ଣ।’

ଗୋଟିଏ ପଟେ ଭାରତ ମାଟିରୁ ରୁଷିଆ ୟୁରୋପୀୟ ଦେଶଗୁଡ଼ିକୁ ୟୁକ୍ରେନ ସମସ୍ୟାରୁ ଦୂରେଇ ରହିବାକୁ ଚେତାବନୀ ଦେଇଥିବା ବେଳେ, ଅନ୍ୟପଟେ ଭାରତର ଆଲୋଚନା ଆଭିମୁଖ୍ୟ ମଧ୍ୟରେ ଜେଲେନସ୍କି ଶାନ୍ତି ବାର୍ତ୍ତା ପାଇଁ ପୁଟିନ୍‌ଙ୍କ ସହ ଆଲୋଚନା କରିବାକୁ ରାଜି ହୋଇଛନ୍ତି। ତେବେ ୟୁକ୍ରେନ ଯୁଦ୍ଧ ଖୁବଶୀଘ୍ର ସମାଧାନ ହୋଇପାରେ ବୋଲି ଆଶା ପ୍ରକାଶ ପାଇଛି ।