ନୂଆଦିଲ୍ଲୀ, ୧୨/୦୯ : ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସି ଶୁକ୍ରବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ପୁଟିନ ଯେଉଁ ସ୍ବତନ୍ତ୍ର ବିମାନରେ ଆସିଛତ୍ତି ତାକୁ ନେଇ ବେଶ୍ ଚର୍ଚ୍ଚା ଲାଗି ରହିଛି। ଇଲ୍ୟୁସିନ ଆଇଏଲ୍ ୯୬-୩୦୦ ପିୟୁ ବିମାନରେ ସେ ଭାରତ ଗସ୍ତରେ ଆସିଛନ୍ତି। ପୁଟିନଙ୍କ ଏହି ବିମାନକୁ ଉଡନ୍ତା କ୍ରେମଲିନ୍ ଓ ଡୁମସଡେ ବିମାନ ବୋଲି କୁହାଯାଉଛି।

Also Read :- ଶନିବାର ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାର ଲୋକେ ସାବଧାନ

ଏହା କୌଣସି ସାଧାରଣ ବିମାନ ନୁହେଁ, ଆବଶ୍ୟକ ପଡିଲେ ଆକାଶମାର୍ଗରେ ହିଁ କମାଣ୍ଡ ସେଣ୍ଟର ଭାବେ କାର୍ଯ୍ୟ କରିପାରିବ। ପୁଟିନଙ୍କ ସୁରକ୍ଷା ବ୍ୟବସ୍ଥା କେତେ ତାହା ଏହି ବିମାନରୁ ଜଣାପଡେ । କାରଣ ତାଙ୍କ ବିମାନ ସହିତ ଏକାଭଳି ଆଉ ଏକ ବିମାନ ମଧ୍ୟ ଆକାଶରେ ଉଡିଥାଏ। ଉଭୟ ବିମାନ ଆକାଶ ମାର୍ଗରେ ରହିଥାଏ। ପୁଟିନ କେଉଁ ବିମାନରେ ଯାତ୍ରା କରିଥାନ୍ତି ତାହା କେହି ଜାଣିପାରନ୍ତି ନାହିଁ । ସୁରକ୍ଷା ରଣନୀତି ଦୃଷ୍ଟିରୁ ଏହା ନୂଆ ନୁହେଁ। ପୁଟିନ ତାଙ୍କର ବିଦେଶ ଯାତ୍ରା ବେଳେ ଏଭଳି ବ୍ୟବସ୍ଥା ଗ୍ରହଣ କରିଥାନ୍ତି। ପୁଟିନଙ୍କ ବିମାନ ପ୍ରତି ରହିଥିବା ବିପଦକୁ ଏଡାଇବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥାଏ। ବିଶେଷ ସୁରକ୍ଷା ଓ କ୍ଷମତା କାରଣରୁ ପୁଟିନଙ୍କ ଏହି ବିମାନକୁ ଆକାଶମାର୍ଗର ଅରସ୍ ବୋଲି କୁହାଯାଉଛି। ଯେଭଳି ରୁଷର ଅରସ ସେନାଟ କାରକୁ ରାଷ୍ଟ୍ରପତିଙ୍କ ଅତ୍ୟନ୍ତ ସୁରକ୍ଷିତ କାର ଭାବେ ଗଣନା କରାଯାଏ ଠିକ୍ ସେହିଭଳି ଆଇଏଲ୍ ୯୬-୩୦୦ ପିୟୁ ବିମାନକୁ ଆକାଶମାର୍ଗର ଅରସ ବୋଲି କୁହାଯାଉଛି। ଭୂପୃଷ୍ଠରେ ଥିବା ସେନାର କମାଣ୍ଡ ସେଣ୍ଟର କୌଣସି ବଡ ଯୁଦ୍ଧ, ପରମାଣୁ ଆକ୍ରମଣ କିମ୍ବା ବିପର୍ଯ୍ୟୟ ସମୟରେ କାମ କରିବା ବନ୍ଦ କରିଦେଲେ ଏଭଳି ସ୍ଥିତିରେ ପୁଟିନଙ୍କ ଉକ୍ତ ବିମାନରୁ ସମସ୍ତ କାର୍ଯ୍ୟ କରାଯାଇପାରିବ।

ସେଥିପାଇଁ ସ୍ବତନ୍ତ୍ର ଭାବେ ଏହି ବିମାନ ନିର୍ମାଣ କରାଯାଇଛି। ଏଥିରେ ଅତ୍ୟାଧୁନିକ ତଥା ସୁରକ୍ଷିତ ସଂଚାର ବ୍ୟବସ୍ଥା ରହିଛି। ଏଥିରୁ ରୁଷର ସୈନ୍ୟ, ଗୁଇନ୍ଦା ସଂସ୍ଥା ଓ ସରକାରୀ ନେଟୱର୍କ ସହ ଏନକ୍ରିପ୍ଟେଡ ସାଟେଲାଇଟ୍ ସଂଚାର ମାଧ୍ୟମରେ ଯୋଗାଯୋଗ କରାଯାଇଥାଏ। ଗମ୍ଭୀର ରାଷ୍ଟ୍ରୀୟ ବିପତ୍ତି ସମୟରେ ଆକାଶ ମାର୍ଗରେ ରହି ଏହି ବିମାନରୁ ଗୁରୁତ୍ବପୂର୍ଣ ନିଷ୍ପତ୍ତି ନିଆଯାଇ ପାରିବ। ବିମାନରେ ୪ଟି ଆଭିଆଡଭିଗାଟେଲ୍ ପିଏସ୍-୯୦ଏ ଟର୍ବୋପ୍ୟାନ ଇଞ୍ଜିନ ଲାଗିଛି। ଥରେ ଇନ୍ଧନ ଭରିବା ପରେ ଏହା ୧୧ ହଜାର କି.ମି. ଯାତ୍ରା କରିପାରିବ। ଏଥିରେ ସୁରକ୍ଷିତ ରାଡାର ଚ୍ୟାନେଲ ସହିତ ରାଡାର ଜାମିଂ ଟେକ୍ନୋଲୋଜି ଏବଂ ଅତ୍ୟାଧୁନିକ ସୁରକ୍ଷା ପ୍ରଣାଳୀ ରହିଛି।

ସମ୍ଭାବିତ ଆକ୍ରମଣ କିମ୍ବା ସଂଚାର ବ୍ୟବସ୍ଥାକୁ ପ୍ରଭାବିତ କରିବା ଉଦ୍ୟମ ଭିତରେ ରାଷ୍ଟ୍ରପତି ଓ କମାଣ୍ଡ ନେଟୱର୍କକୁ ସୁରକ୍ଷିତ ରଖିବା ହେଉଛି ଏହାର ଉଦ୍ଦେଶ୍ୟ। ଏଥିରେ ରାଷ୍ଟ୍ରପତିଙ୍କ ପାଇଁ କେବଳ ସୁରକ୍ଷା ବ୍ୟବସ୍ଥା ନୁହେଁ, ବରଂ ସମସ୍ତ ବିଳାସପୂର୍ଣ୍ଣ ବ୍ୟବସ୍ଥା ମଧ୍ୟ ଉପଲବ୍ଧ ରହିଛି । ସେଥିରେ ରାଷ୍ଟ୍ରପତି ସୁଇଟ୍, ବେଡରୁମ୍, ବାଥରୁମ୍, କିଚେନ, ଡାଇନିଂ ଏରିଆ ଏବଂ ବୈଠକ ଲାଗି କନ୍ଫରେନ୍ସ ହଲ୍ ଆଦି ସମସ୍ତ ସୁବିଧା ଅଛି।