ନୂଆଦିଲ୍ଲୀ ୦୭।୧୦; ଉତ୍ତରପ୍ରଦେଶରୁ ଅତ୍ୟନ୍ତ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହା ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ବୁଧବାର ଭୋର ସମୟରେ ଘଟିଥିବା ନେଇ ଖବର ମିଳିଛି । ଏକ ଦ୍ରୁତଗାମୀ କାର୍ ଟ୍ରକକୁ ପଛପଟୁ ଜୋରଦାର ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣ ଯୁବ ଟେନିସ୍ ଖେଳାଳିଙ୍କ ମୃତ୍ୟୁ ଘଟିଛି। ଏହି ଭୟଙ୍କର ଦୁର୍ଘଟଣାରେ ଅନ୍ୟ ୩ ଜଣ ଖେଳାଳି ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସକାଳ ପ୍ରାୟ ୫ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସ୍ପିଡ୍ ଥିବା କାର୍ଟି ଆଗରେ ଯାଉଥିବା ଏକ ଟ୍ରକକୁ ପଛପଟୁ ପିଟିଥିଲା। ଧକ୍କାଟି ଏତେ ଜୋରଦାର ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ ଚେପା ହୋଇଯାଇଥିଲା । ସମସ୍ତ ୬ ଜଣ ଖେଳାଳି ଭିତରେ ଫସି ରହିଥିଲେ। ପରେ ପୋଲିସ ଓ ସୁରକ୍ଷାକର୍ମୀମାନେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ଆହତ ଖେଳାଳିଙ୍କ ସୂଚନା ଅନୁଯାୟୀ, ସେମାନେ ସମସ୍ତେ ବୃତ୍ତିଗତ ଟେନିସ୍ ଖେଳାଳି ଥିଲେ। ଲକ୍ଷ୍ନୌରେ ଏକ ମ୍ୟାଚ୍ ଖେଳି ସାରିବା ପରେ ସେମାନେ କାର୍ ଯୋଗେ ଦେଓରିଆ ଫେରୁଥିଲେ। ଦୁର୍ଘଟଣା କିପରି ଘଟିଲା ସେ ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ିନାହିଁ।

ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଗାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୋଲିସ ତାଙ୍କୁ ଧରିବା ପାଇଁ ତଲାସୀ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌରୁ ମ୍ୟାଚ୍ ଖେଳି ଫେରୁଥିବା ଏହି ଯୁବ ଖେଳାଳିଙ୍କ ଏପରି ଅକାଳ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଓ କ୍ରୀଡ଼ା ଜଗତରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି। ପୋଲିସ ଏହି ମାମଲାର ଅଧିକ ତଦନ୍ତ ଜାରି ରଖିଛି।