ପୁରୀ: ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପୁରୀ ବଡ଼ଦାଣ୍ଡ ଉତ୍ସବମୁଖର। ଦେଶ-ବିଦେଶରୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁବିଧା, ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ରାଜ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ। ରଥଯାତ୍ରାର ସ୍ପେଶାଲ୍ ରୂପରେଖକୁ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସରକାରଙ୍କ ପ୍ରସ୍ତୁତିର ଚିତ୍ର ସାମ୍ନାକୁ ଆଣିଛନ୍ତି।

ଖୋଲିଲା 'କମାଣ୍ଡ କଣ୍ଟ୍ରୋଲ ସେଣ୍ଟର'

ରଥଯାତ୍ରାର କୋଣ ଅନୁକୋଣ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଜେବିପିସି (JBPC) ମାଧ୍ୟମରେ ଏକ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଖୋଲାଯାଇଛି। ଏହା ସହିତ କୌଣସି ପ୍ରକାର ଜରୁରୀକାଳୀନ ସ୍ଥିତି ଏବଂ ସମନ୍ୱୟ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ମଧ୍ୟ ଏକ ସ୍ପେଶାଲ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରାଯାଇଛି। ଆଇନ ଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡ ଏବଂ ପୁରୀର ପ୍ରମୁଖ ସ୍ଥାନଗୁଡ଼ିକରେ ୨୨୫ ଜଣ ଏକଜ୍ୟୁଟିଭ ମାଜିଷ୍ଟ୍ରେଟ୍ ଦାୟିତ୍ୱ ସମ୍ଭାଳିବେ।

ବର୍ଷା ପାଇଁ ଆଲର୍ଟ

ରଥଯାତ୍ରା ସମୟରେ ବର୍ଷା ଯୋଗୁଁ ଯେମିତି କୌଣସି ଅସୁବିଧା ନହୁଏ, ସେଥିପାଇଁ ପୁରୀରେ ୩୦ଟି ୱାଟର ଲଗିଙ୍ଗ ଏରିଆ ପାଣି ଜମୁଥିବା ସ୍ଥାନ ଚିହ୍ନଟ ହୋଇଛି। ସେଠାରୁ ତୁରନ୍ତ ପାଣି ନିଷ୍କାସନ ପାଇଁ ପ୍ରଶାସନ ପକ୍ଷରୁ ହାଇପାୱାର ପମ୍ପ ଓ ସ୍ପେଶାଲ ଟିମ୍ ମୁତୟନ କରାଯାଇଛି। ସେହିପରି ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ଦାଣ୍ଡ ଆଖପାଖରେ ୮ଟି ଅସ୍ଥାୟୀ ହସ୍ପିଟାଲ ଖୋଲାଯିବ। ସହରର ସ୍ୱଚ୍ଛତା ଏବଂ ଭକ୍ତଙ୍କ ସୁବିଧା ପାଇଁ ୧୭ ଶହ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା ମଧ୍ୟ ହୋଇଛି।