ପୁରୀ: ପବିତ୍ର ଅକ୍ଷୟ ତୃତୀୟା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଏହି ଅବସରରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଛି। ମଧ୍ୟାହ୍ନ ଧୂପ ବଢିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପୂଜାପଣ୍ଡା ସେବାୟତ ମାନେ ରଥଖଳା ଠାରେ ପହଞ୍ଚିବା ପରେ ସେଠାରେ ସୁନା କୁରାଢିରେ ରଥନିର୍ମାଣ କାର୍ଯ୍ୟର ଅନୁକୂଳ କରିଥିଲେ। ସେହିପରି ଆଜିଠାରୁ ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ତାପରୁ ଉପଶମ ପାଇବା ପାଇଁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରିଛନ୍ତି। ୨୧ ଦିନ ଧରି ଚାଲିବାକୁ ଥିବା ଏହି ବାହାର ଚାପରେ ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ପ୍ରତ୍ୟହ ମଧ୍ୟାହ୍ନରେ ଶ୍ରୀମନ୍ଦିରରୁ ବାହାରି ବିରାଟ ଶୋଭାଯାତ୍ରାରେ ଚନ୍ଦନ ପୁଷ୍କରିଣୀ ନରେନ୍ଦ୍ର ଅଭିମୁଖେ ଯିବେ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁଡାନ୍ତ ହୋଇଥିବା ପୂର୍ବ ନୀତି ନିର୍ଘଣ୍ଟ ଅନୁଯାୟୀ ନୀତି କାନ୍ତି ରେ ସାମାନ୍ୟ ବିଳମ୍ବ ହୋଇଥିଲେ ମଧ୍ୟ ଭୋର ୩ ଟା ୫୦ ରେ ଦ୍ବାର ଫିଟା ପରେ ମଙ୍ଗଳା ଆଳତୀ, ମଇଲମ, ଅବକାଶ ଓ ସକାଳ ଧୂପ ଅନୁଷ୍ଠିତ ହୋଇଥିଲା। ଏହାପରେ ନକ୍ଷତ୍ର ଓ ଜୟବିଜୟ ଦ୍ଵାର ବନ୍ଦାପନା ସରିବା ପରେ ବିମାନକୁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ବିଜେ କରି ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ବାହାରିଥିଲେ।

Also Read: ରଥଯାତ୍ରା ନେଇ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ, ୬ ମାସ ପୂର୍ବରୁ ରିପୋର୍ଟ ଦେବାକୁ CSଙ୍କ ନିର୍ଦ୍ଦେଶ

ରଥକାଠ ଅନୁକୂଳ

ସେହିପରି ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ତିନିବାଡର ପୂଜାପଣ୍ଡା ସେବାୟତ ମାନେ ବିରାଟ ଶୋଭାଯାତ୍ରାରେ ବାହାରି ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ସେଠାରେ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ କରାଯାଇଥିଲା। ଶ୍ରୀମନ୍ଦିର ଶ୍ରୋତୀୟ ବ୍ରାହ୍ମଣ ଓ ରାଜପୁରୋହିତଙ୍କ ଦ୍ବାରା ବନଯାଗ ବିଧିରେ ପୂଜାର୍ଚ୍ଚନା ସହ ବିଶ୍ଵକର୍ମା ମହାରଣାଙ୍କ ଶାଢୀ ବନ୍ଧା ନୀତି ପରେ ସୁନା କୁରାଢିରେ ରଥନିର୍ମାଣ କାର୍ଯ୍ୟ ର ଅନୁକୂଳ କରାଯାଇଥିଲା। ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଓ ଏହି ଯାତ୍ରା ସୁରୁଖୁରୁରେ କିଭଳି ସମ୍ପାଦନ ହେବ ସେ ନେଇ ସମସ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

Also Read: କାହିଁକି ପାଳନ ହୁଏ ଅକ୍ଷୟ ତୃତୀୟା, କ’ଣ ରହିଛି ଶ୍ରୀମନ୍ଦିର ସହ ପୌରାଣିକ ଦୃଷ୍ଟିକୋଣ ?

ଆରମ୍ଭ ହେଲା ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା

ଏପଟେ ଆଜି ରଥ କାଠ ଅନୁକୂଳ ସହ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା। ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୂଦନ, ରଥରେ ବାମନ ରୂପରେ ମହାପ୍ରଭୁଙ୍କ ଦର୍ଶନ କଲେ ପୁନର୍ଜନ୍ମ ମିଳିନଥାଏ ବୋଲି ବିଶ୍ବାସ ରହିଛି। ତେଣୁ ଚନ୍ଦନ ଯାତ୍ରା ଅବସରରେ ଆଜିଠାରୁ ୨୧ ଦିନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚ ପାଣ୍ଡବଙ୍କୁ ସେବାୟତ ମାନେ ମଣି ବିମାନରେ ଚନ୍ଦନ ପୁଷ୍କରିଣୀ ନରେନ୍ଦ୍ର ଅଭିମୁଖେ ନେଇଥାନ୍ତି। ପ୍ରବଳ ଗ୍ରୀଷ୍ମ ତାପରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ସେଠାରେ ମନୁଷ୍ୟ ଲୀଳାରେ ନୌକା ବିହାର କରିଥାନ୍ତି। ନରେନ୍ଦ୍ର ପୁଷ୍କରିଣୀରେ ଏହି ଅବସରରେ ଚନ୍ଦନ, ପୁଷ୍ପର ପ୍ରଲେପ ଶ୍ରୀଜୀଉଙ୍କ ଅଙ୍ଗରେ ଲଗାଯିବାର ପରମ୍ପରା ରହିଛି।

Also Read: ଅକ୍ଷୟ ତୃତୀୟାରୁ ଆରମ୍ଭ ହେବ ରଥ ନିର୍ମାଣ, ସିସିଟିଭି ନଜରରେ ରହିବ ପୁରା ଅଞ୍ଚଳ

ପୁଷ୍କରିଣୀରେ ବାଣ ସମ୍ପୂର୍ଣ୍ଣ ନିଷିଦ୍ଧ

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରାରେ ଭକ୍ତ ମାନେ ସାମିଲ ହୋଇ ନିଜକୁ ଧନ୍ୟ ମନେ କରିଥିବା କରିଛନ୍ତି। ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ୫ ପ୍ଲାଟୁନ୍ ପୋଲିସ ଫୋର୍ସ, ଜଣେ ଅତିରିକ୍ତ ଏସପି, ୫ ଡିଏସପି ଓ ୮ ଜଣ ଇନ୍ସପେକ୍ଟର ମୃତୟନ ହୋଇଛନ୍ତି। ସେହିପରି ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନରେନ୍ଦ୍ର ପୁଷ୍କରିଣୀରେ ବାଣକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥିବା ବେଳେ କଟକଣା ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି ପୁରୀ ଏସପି କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଆଜିଠାରୁ ଆରମ୍ଭ ହୋଇଥିବା ଚନ୍ଦନ ଯାତ୍ରା ୨୧ ଦିନ ଧରି ଚାଲିବାକୁ ଥିବା ବେଳେ ନରେନ୍ଦ୍ରରେ ମହାପ୍ରଭୁ ଦିନ ଓ ରାତି ଚାପରେ ଦୁଇଥର ନୌକା ବିହାର କରିବେ। ତେଣୁ ବହୁ ସଂଖ୍ୟାରେ ଭକ୍ତ ମହାପ୍ରଭୁଙ୍କ ଏହି ଗ୍ରୀଷ୍ମ କାଳୀନ ଲୀଳାକୁ ଦେଖିବା ପାଇଁ ପୁରୀ ଆସିଛନ୍ତି।