ପୁରୀ ୧୯।୧୧ : ବାତ୍ୟା ଅକଭାନକୁ ନେଇ ସଜାଗ ହୋଇଛି ପୁରୀ ଜିଲ୍ଲା ପ୍ରଶାସନ। ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦିଆଯାଇଛି ସର୍ବାଧିକ ଗୁରୁତ୍ୱ। ସମୁଦ୍ର କୂଳରେ ଲାଗିଛି ନାଲି ପତାକା। ସମସ୍ତ ସେକ୍ଟରରେ ରେଡ୍ ଫ୍ଲାଗ୍ ଲଗାଇବା ସହ ସମୁଦ୍ର ସ୍ନାନ ଉପରେ ଲଗାଯାଇଛି କଟକଣା। ଏପରିକି ସମୁଦ୍ର କୂଳରେ ବୁଲାବୁଲି ଉପରେ ମଧ୍ୟ ରୋକ୍ ଲଗାଯାଇଛି। ପର୍ଯ୍ୟଟକଙ୍କୁ ସଚେତନ କରିବା ସହ ଉଠା ଦୋକାନୀଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ଦୋକାନ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଛି ପ୍ରଶାସନ।

ବାତ୍ୟା ଅକଓ୍ବାନକୁ ନେଇ ବଢ଼ିଛି ପୁରୀ ପ୍ରଶାସନର ତତ୍ପରତା। ସମୁଦ୍ରରେ ଅଶାନ୍ତି ଏବଂ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ନିଆଯାଇଛି ସତର୍କତାମୂଳକ ପଦକ୍ଷେପ। ପୁରୀ ସମୁଦ୍ର କୂଳର ସମସ୍ତ ସେକ୍ଟରରେ ଲଗାଯାଇଛି ନାଲି ପତାକା। ଏହାଦ୍ୱାରା ସମୁଦ୍ରରେ ସ୍ନାନ କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କେବଳ ସମୁଦ୍ର ସ୍ନାନ ନୁହେଁ, ସମୁଦ୍ର କୂଳରେ ବୁଲାବୁଲି ଉପରେ ମଧ୍ୟ କଟକଣା ଲଗାଇଛି ପ୍ରଶାସନ। ସମୁଦ୍ର କୂଳରେ ବୁଲୁଥିବା ପର୍ଯ୍ୟଟକଙ୍କୁ ଏନଡିଆରଏଫ୍ ଟିମ୍ ଏବଂ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି। ବିପଦକୁ ହାଲୁକା ଭାବେ ନନେଇ ସମୁଦ୍ର କୂଳରୁ ଦୂରେଇ ରହିବାକୁ ପର୍ଯ୍ୟଟକଙ୍କୁ ପରାମର୍ଶ ଦିଆଯାଉଛି।

Also Read:-ବାତ୍ୟା ମୁକାବିଲାରେ ମତ୍ସ୍ୟଜୀବୀଙ୍କ ଡଙ୍ଗା : ଗଞ୍ଜାମର ୧୨ ବ୍ଲକକୁ ପଠାଗଲା ୨୫ ବୋଟ୍

ଏହି ସଚେତନତା ଅଭିଯାନରେ ପୁରୀ ମହାନଗର ନିଗମ କମିଶନର ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କ ସହ NDRF ଟିମ୍ ସାମିଲ ହୋଇଛନ୍ତି। ସମୁଦ୍ର କୂଳରେ ବ୍ୟବସାୟ କରୁଥିବା ଉଠା ଦୋକାନୀଙ୍କୁ ମଧ୍ୟ ସତର୍କ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ନିଜ ନିଜର ଦୋକାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି।