ନୂଆଦିଲ୍ଲୀ: ବିସିସିଆଇର କଡ଼ା ଚେତାବନୀ ପରେ ଆଇପିଏଲ ଟିମ୍ ଏହାର ଖେଳାଳିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି। ଏହି କ୍ରମରେ ପଞ୍ଜାବ କିଙ୍ଗ୍ସ ଅର୍ଶଦୀପ ସିଂହଙ୍କ ବ୍ଲଗିଂ ଉପରେ ସାମୟିକ ରୋକ ଲଗାଇଛି। ପ୍ରକୃତରେ ଅର୍ଶଦୀପ ସିଂହ ସବୁବେଳେ ମ୍ୟାଚ ପରେ ଟିମର ଖେଳାଳିଙ୍କ ସହ ଆଲୋଚନା କରୁଥିବାର ନଜର ଆସିଥାନ୍ତି। ସେ ଏୟାରପୋର୍ଟ, ହୋଟେଲ, ଫ୍ଲାଇଟରେ ମଧ୍ୟ ଭିଡିଓ କରିଥାନ୍ତି। ନିକଟରେ ସେ ପଞ୍ଜାବ କିଙ୍ଗ୍ସର ଖେଳାଳିଙ୍କ ମଧ୍ୟ ଏକ ଭିଡିଓ କରିଥିଲେ। ଯେଉଁଥିରେ ୟୁଜଭେନ୍ଦ୍ର ଚହଲ ଭେପିଂ କରୁଥିଲେ। ଏହି ଭିଡିଓକୁ ନେଇ ଖୁବ୍ ବିବାଦ ହୋଇଥିଲା।

ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ନେଇଛି କଡ଼ା ନିଷ୍ପତ୍ତି

ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ଙ୍କ ସମ୍ପର୍କୀୟଙ୍କୁ ଭିଡିଓ ପୋଷ୍ଟ କରିବାକୁ ମନା କରିଛି। ସୂଚନାଥାଉକି ବସିସିଆଇ ହନି ଟ୍ରାପ୍ ଘଟଣାକୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଖେଳାଳି ସପୋର୍ଟ ଷ୍ଟାଫ୍ ଏବଂ ଟିମର ଅଧିକାରୀଙ୍କୁ ହୋଟେଲ ରୁମ୍ରେ ଅଜଣା ଲୋକଙ୍କ ଏଣ୍ଟ୍ରି ଉପରେ ମଧ୍ୟ ବ୍ୟାନ ଲଗାଇଛି। ଏଭଳି ମଧ୍ୟ ଗୁଜବ ପ୍ରସାରିତ ହେଉଛି ଯେ, ଜଣେ ଖେଳାଳିଙ୍କ ମହିଳା ବନ୍ଧୁ ଟିମ୍ର ଖବର ଦୁଇ ଥର ଲିକ୍ କରିଛନ୍ତି। ଅବଶ୍ୟ ଏହା ଉପରେ କୌଣସି ସ୍ପଷ୍ଟତା ମିଳିପାରିନାହିଁ।

Also Read: ହାର୍ଦ୍ଦିକ ପାଣ୍ଡ୍ୟା ଗୋଟେ ପ୍ଲାଷ୍ଟିକ କ୍ୟାପ୍ଟେନ: ତାତିଲେ ଶ୍ରୀକାନ୍ତ

ଟିମ୍ ମାଲିକଙ୍କୁ ମଧ୍ୟ ଚେତାବନୀ

ଏହା ସହ ବିସିସିଆଇ ଟିମ୍ ମାଲିକମାନଙ୍କୁ ମଧ୍ୟ ଏକ ସୂକ୍ଷ୍ମ ଚେତାବନୀ ଦେଇଛି। ବିସିସିଆଇ ଅନୁଯାୟୀ, ଏପରି ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଫ୍ରାଞ୍ଚାଇଜ୍ ମାଲିକମାନେ ମ୍ୟାଚ୍ ସମୟରେ ଖେଳାଳିଙ୍କ ସହ ଯୋଗାଯୋଗ କରିବା, ସେମାନଙ୍କ ପାଖକୁ ଯିବା କିମ୍ବା ଆଲିଙ୍ଗନ କରିବାକୁ ଚେଷ୍ଟା କରନ୍ତି। ବୋର୍ଡ ଏହାକୁ ନିଷିଦ୍ଧ କରିଛି ଏବଂ ସମସ୍ତ ମାଲିକଙ୍କୁ ପ୍ରୋଟୋକଲ୍ ପାଳନ କରିବାକୁ କହିବା ସହ, ଯେକୌଣସି ନିୟମର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି।

ଉଲ୍ଲେଖଯୋଗ୍ୟ, ରାଜସ୍ଥାନ ରୟାଲ୍ସ ମ୍ୟାନେଜର ରୋମି ଭିଣ୍ଡର ଚଳିତ ସିଜିନରେ ଡଗ୍ଆଉଟରେ ବସି ଫୋନରେ କଥାବାର୍ତ୍ତା କରୁଥିବାର ଦେଖାଯାଇଥିଲା। ଯାହା ଉପରେ ବିସିସିଆଇ କଡ଼ା ଆପତ୍ତି କରିଥିଲା। ଅଧିନାୟକ ରିୟାନ୍ ପରାଗଙ୍କୁ ମଧ୍ୟ ଭେପିଂ କରୁଥିବା ଦେଖାଯାଇଥିଲା ଏବଂ ତାଙ୍କୁ ଜରିମାନା ଦିଆଯାଇଥିଲା।