ପୁନେ: ଜଣେ ୩୩ ବର୍ଷୀୟା ମହିଳା ନିଜର ୬ ବର୍ଷର ପୁଅକୁ ଧରି ୧୮ ମହଲା ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଏହି ଦୁଃଖଦ ଘଟଣା ମହାରାଷ୍ଟ୍ରର ପୁନେ ସହର ନିକଟସ୍ଥ ପିମ୍ପରୀ-ଚିଞ୍ଚୱାଡ ଅଞ୍ଚଳରେ ଘଟିଛି । ଏକ ହାଇ-ପ୍ରୋଫାଇଲ୍ ସୋସାଇଟି ବିଲ୍ଡିଂରେ ଏହି ଘଟଣା ଘଟିଥିବା ବେଳେ ଆତ୍ମହତ୍ୟା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଏକତା ଭାଙ୍ଗଡେ ନିଜର ୬ ବର୍ଷର ପୁଅ ମାଧବ ଭାଙ୍ଗଡେଙ୍କ ସହ ଆତ୍ମହତ୍ୟା କରିଛନ୍ତି । 

ରାଜସ୍ଥାନର ଏହି ପରିବାର ଗତ ଦୁଇ ବର୍ଷ ଧରି ସେହି ସୋସାଇଟିର ସପ୍ତମ ମହଲାରେ ରହୁଥିଲେ। ଏକତାଙ୍କ ସ୍ୱାମୀ ମନୋଜ ଭାଙ୍ଗଡେ ୟେରୱାଡା ସ୍ଥିତ ଏକ ଆଇଟି କମ୍ପାନୀରେ କାର୍ଯ୍ୟ କରନ୍ତି । ଶୁକ୍ରବାର ସକାଳ ପ୍ରାୟ ୧୦ଟା ବେଳେ ମନୋଜ ଅଫିସ ଯାଇଥିଲେ । ଘରେ ଏକତା ଓ ତାଙ୍କ ପୁଅ ମାଧବ ଥିଲେ। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬:୩୦ ସମୟରେ ବିଲ୍ଡିଂର ଡକ୍ଟ ନିକଟରେ ଏକ ପ୍ରଚଣ୍ଡ ଶବ୍ଦ ଶୁଣି ସୋସାଇଟିର ରହୁଥିବା ଲୋକମାନେ ତଳକୁ ଧାଇଁ ଆସିଥିଲେ। ସେଠାରେ ଏକତା ଏବଂ ମାଧବ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା।

ସିସିଟିଭିରେ କଏଦ ଦୃଶ୍ୟ
ଘଟଣା ସମ୍ପର୍କରେ ଖବର ପାଇବା ପରେ ୱାକଡ୍ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଦ୍ୱାରା ଯାଞ୍ଚ କରାଯାଇଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି ଯେ, ଘଟଣା ପୂର୍ବରୁ ଏକତା ନିଜ ପୁଅ ମାଧବକୁ ଲିଫ୍ଟ ଯୋଗେ ୧୮ ମହଲାକୁ ନେଇଯାଇଥିଲେ। ୧୮ ମହଲାର ଗ୍ୟାଲେରୀ ରେଲିଂ ନିକଟରୁ ସେମାନଙ୍କ ଜୋତା ଏବଂ ଚପଲ ମିଳିଛି।

ପୋଲିସ ଉଭୟ ମା’ ଏବଂ ପୁଅଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଆତ୍ମହତ୍ୟା ପଛର କାରଣ କଣ ସେନେଇ ଜଣାପଡ଼ି ନାହିଁ । ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପାରିବାରିକ କଳି ନା ଆଉ କିଛି ଷଡ଼ଯନ୍ତ୍ର ରହିଛି, ପୋଲିସର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।