ଭୁବନେଶ୍ଵର: ବିଜେଡି ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ। ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ଵିପ୍ ଅବମାନନା କରି କ୍ରସ ଭୋଟିଂ କରିଥିବା ଛଅ ବିଧାୟକଙ୍କୁ କଲେ ସସପେଣ୍ଡ। ବିଜେଡିର ରାଜନ ବ୍ୟାପାର କମିଟିର ବୈଠକରେ ଏହି ଗୁରୁତ୍ଵପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସସପେଣ୍ଡ ହୋଇଥିବା ଛଅ ବିଧାୟକ ହେଉଛନ୍ତି ସୌରଭିକ ବିଶ୍ଵାଳ, ଦେବୀରଞ୍ଜନ ତ୍ରିପାଠୀ, ସୁବାସିନୀ ଜେନା, ନବ କିଶୋର ମଲ୍ଲିକ, ରମାକାନ୍ତ ଭୋଇ ଏବଂ ଚକ୍ରମଣି କହଁର। ଏହି କାର୍ଯ୍ୟାନୁଷ୍ଠାନ ନେଇ ନବୀନ ପଟ୍ଟନାୟକ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ, ଦଳ ବିରୋଧୀ କାର୍ଯ୍ୟ କଲେ ଆଦୌ ବରଦାସ୍ତ କରାଯିବନି।ପିଏସି ବୈଠକ ପରେ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ କ୍ରସ ଭୋଟିଂ କରିଥିବା ଛଅ ବିଧାୟକ କାରଣ ଦର୍ଶାଅ ନୋଟିସର ଜବାବ ରଖିଥିଲେ। ନବୀନ ନିବାସରେ ଶନିବାର ରାଜନୈତିକ ବ୍ୟାପାର କମିଟି ବୈଠକ ବସିଥିଲା। ଏଥିରେ ଛଅ ବିଧାୟକ କାରଣ ଦର୍ଶାଅ ନୋଟିସରେ ଦେଇଥିବା ଜବାବ ଉପରେ ତର୍ଜମା କରି ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦିଆଯାଇଥିଲା। ଏହା ପରେ ସଭିଙ୍କ ନଜର ଥିଲା ନବୀନଙ୍କ ଉପରେ। ଏହି ବିଧାୟକଙ୍କ ଉପରେ ନବୀନ କଣ କାର୍ଯ୍ୟାନୁଷ୍ଠାନ ନେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଆଉ ଏବେ ନବୀନ ପଟ୍ଟନାୟକ ରିପୋର୍ଟ ଆଧାରରେ କ୍ରସ ଭୋଟିଂ କରିଥିବା ଛଅ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ଛଅ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିବୁ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି।

Also Read: ଆଗକୁ ସ୍ଥିତି ହେବ ଭୟଙ୍କର, କାର୍ଯ୍ୟାନୁଷ୍ଠାନ ଦାବିରେ ଅଡ଼ି ବସିଲା ବିଜେଡି​​​​​​​

ନିଲମ୍ବିତ ହୋଇଥିବା ୬ ବିଧାୟକ

୧ – ଚନ୍ଦ୍ରମଣି କହଁର, ବିଧାୟକ, ବାଲିକୁଦା

୨ – ନବ କିଶୋର ମଲ୍ଲି, ବିଧାୟିକ, ଜୟଦେବ

୩ – ସୌଭିକ ବିଶ୍ଵାଳ, ବିଧାୟକ, କଟକ-ଚୌଦ୍ଵାର

୪ – ସୁବାସିନୀ ଜେନା, ବିଧାୟିକା, ବସ୍ତା

୫ – ରମାକାନ୍ତ ଭୋଇ, ବିଧାୟକ, ତିର୍ତ୍ତୋଲ

୬ – ଦେବୀରଞ୍ଜନ ତ୍ରିପାଠୀ, ବିଧାୟକ, ବାଙ୍କି

କାରଣ ଦର୍ଶାଅ ନୋଟିସରେ କଣ କହିଥିଲେ ବିଧାୟକ

୬ ଜଣ ବିଧାୟକ ନୋଟିସର ଉତ୍ତରରେ ଉଲ୍ଲେଖ କରିଥିଲେ ଯେ ଏଭଳି ନୋଟିସ୍ ଆଇନ୍ ଅନୁଯାୟୀ ଅସିଦ୍ଧ । ସୁପ୍ରିମକୋର୍ଟ ଏବଂ ଇସିଆଇର ନିୟକ ଉଂଲଘନ ମଧ୍ୟ  କରୁଛି । ତେବେ ଏଭଳି ନୋଟିସରୁ ଦଳ କ୍ଷାନ୍ତ ରହୁ ବୋଲି ମଧ୍ୟ ଅନୁରୋଧ କରିଥିଲେ । ରାଜ୍ୟସଭା ନିର୍ବାଚନରେ ଆମେ ସ୍ୱାଧୀନ ମତଦାନ କରି କୌଣସି ଆଇନର ଉଲ୍ଲଘଂନ କରିନାହୁଁ । । ରାଜ୍ୟସଭା ନିର୍ବାଚନରେ ସ୍ୱାଧୀନ ମତଦାନ କରିବା ପାଇଁ ଜଣେ ଭୋଟରଙ୍କୁ ସମ୍ବିଧାନର ଦଶମ ସୂଚୀ ମୁତାବକ ଦଣ୍ଡ ବ୍ୟବସ୍ଥାର ଲାଗୁ ହୁଏ ନାହିଁ ବୋଲି ଦର୍ଶାଇଥିଲେ ।​​​​​​​

ପିଏସି କମିଟି ବଡ଼ ନିଷ୍ପତ୍ତି

ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜନୈତିକ ବ୍ୟାପାର କମିଟି ବୈଠକରେ ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସ ବର୍ମା, ଦେବୀ ପ୍ରସାଦ ମିଶ୍ର, ସୁଦାମ ମାରାଣ୍ଡି, ପ୍ରମିଳା ମଲ୍ଲିକ ଓ  ଟୁକୁନି ସାହୁ ଉପସ୍ଥିତ ଥିଲେ। ନବୀନଙ୍କ ଏହି କାର୍ଯ୍ୟାନୁଷ୍ଠାନ ବିଜେଡି ଦଳର ଅନ୍ୟ ଅସନ୍ତୁଷ୍ଟ ଏବଂ ବରିଷ୍ଠ ନେତାଙ୍କ ପାଇଁ ବଡ଼ ସନ୍ଦେଶ। ଯଦି କେହି ପାର୍ଟି ବିରୋଧୀ ଗତିବିଧିରେ ସାମିଲ୍ ହୁଏ ଏବଂ ମନ୍ତବ୍ୟ ଦେବେ ତେବେ ଦଳ କଦାପ ବରଦାସ୍ତ କରିବ ନାହିଁ।

Also Read: ଦଳ ବିରୋଧୀ କାର୍ଯ୍ୟ ପାଇଁ ୧୦ ଜଣ ବିଜୁ ଯୁବ ଏବଂ ଛାତ୍ର ନେତାଙ୍କୁ ନିଲମ୍ବିତ କଲା ବିଜେଡି

ସୂଚନାଯୋଗ୍ୟ, ମାର୍ଚ୍ଚ ୧୬ରେ ଓଡ଼ିଶାରେ ଖାଲି ଥିବା ୪ ରାଜ୍ୟସଭା ସିଟକୁ ନେଇ ନିର୍ବାଚନ ହୋଇଥିଲା। ତେବେ ଚତୁର୍ଥ ଆସନ ପାଇଁ ଜୋରଦାର କ୍ରସ ଭୋଟିଂ ହୋଇଥିଲା। ମୋଟ୍ ୧୧ ଜଣ ବିଧାୟକ କ୍ରସ ଭୋଟିଂ କରି ବିଜେପି ସମର୍ଥିତ ସ୍ଵାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ। ୧୧ ଜଣରୁ ତିନି ଜଣ କଂଗ୍ରେସର ବିଧାୟକ ଥିବା ବେଳେ ବାକି ୮ ଜଣ ବିଜେଡିର ବିଧାୟକ ଥିଲେ। ନିର୍ବାଚନ ପୂର୍ବରୁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ଦଳ ନିଲମ୍ବିତ କରି ସାରିଥିଲା। ବାକି ଛଅ ଜଣଙ୍କୁ କ୍ରସ ଭୋଟିଂ ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଆଉ ଉପରୋକ୍ତ ଛଅ ବିଧାୟକ ଖୋଲାଖୋଲି ଏବଂ ସ୍ପଷ୍ଟ ଭାବରେ କାହିଁକି କ୍ରସ ଭୋଟିଂ କଲେ ତାର ଉତ୍ତର ଦେଇଥିଲେ। ଏହା ସହିତ ଗଣମାଧ୍ୟମରେ ବି ପ୍ରତିକ୍ରିୟା ଦେଇଥିଲେ।