ଭୁବନେଶ୍ବର ୯।୪: ଜେଲ୍ ଗଲେ ପତ୍ନୀ ହତ୍ୟାକାରୀ ଦେବରାଜ ଷଡ଼ଙ୍ଗୀ । ଗିରଫ ହେବା ପରେ ଦେବରାଜଙ୍କୁ କୋର୍ଟ ଚାଲାଣ କରିଥିଲା ଏୟାରଫିଲ୍ଡ ଥାନା ପୋଲିସ । ଏବେ ବି ହତ୍ୟାକାଣ୍ଡର କାରଣ ଖୋଜି ପାଉନି ପୋଲିସ । ୩୫ ବର୍ଷର ସମ୍ପର୍କକୁ କାହିଁକି ଛିନ୍ନ କଲେ ଦେବରାଜ ? ହତ୍ୟାକାଣ୍ଡ ପୂର୍ବରୁ ଝିଅକୁ ସମସ୍ତ ଟଙ୍କା ଓ ସୁନାଗହଣା କାହିଁକି ଦେଇଥିଲେ ଦେବରାଜ ? ପତ୍ନୀ ପ୍ରିୟମ୍ବଦାଙ୍କୁ ହତ୍ୟା କରିବା ପାଇଁ ପୂର୍ବ ପ୍ରସ୍ତୁତି କରିଥିଲେ କି ଦେବରାଜ ? ଆବଶ୍ୟକ ପଡ଼ିଲେ ଦେବରାଜଙ୍କୁ ରିମାଣ୍ଡରେ ଆଣିବ ପୋଲିସ । ଏ ନେଇ ସୂଚନା ଦେଲେ ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସ୍ବସ୍ତିକନଗର ଲେନ୍-୪ରେ ନୂଆକରି ଘର କରିଥିବା ଦେବରାଜ ଷଡ଼ଙ୍ଗୀ ପତ୍ନୀ ପ୍ରିୟମ୍ବଦା ଷଡ଼ଙ୍ଗୀଙ୍କ ସହ ରହୁଥିଲେ । ୨ ବର୍ଷ ହେବ ଏଜି ଅଫିସରୁ ଅଡିଟର ଭାବେ ରିଟାୟର୍ଡ ହୋଇଥିଲେ ଦେବରାଜ । ହେଲେ ବୁଧବାର ସକାଳୁ ହତ୍ୟାକାଣ୍ଡର ଖବର ପାଇ ପୋଲିସ ଘରେ ପହଞ୍ଚିଥିଲା । ପୋଲିସ ପହଞ୍ଚିଲା ବେଳକୁ ବେଡ୍ରୁମରେ ପଡ଼ିଥିଲା ପ୍ରିୟମ୍ବଦାଙ୍କ ମୃତଦେହ ଓ ପାଖରେ ବସିଥିଲେ ଦେବରାଜ । ପରେ ପୋଲିସ ଦେବରାଜଙ୍କ ଝିଅକୁ ହତ୍ୟାକାଣ୍ଡ ସଂପର୍କରେ ଖବର ଦେଇଥିଲା ।

Also Read:- Child Snatched Twist: ଶାଳୀକୁ କରିଥିଲା ଦ୍ବିତୀୟ ବିବାହ, ମାଆ କୋଳରୁ ୪ ମାସର ପୁଅକୁ ନେଇ ପ୍ରଥମ ପତ୍ନୀକୁ ଦେଇଥିଲା

ଦେବରାଜଙ୍କ ଝିଅ ପହଞ୍ଚିବା ପରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଥିଲା । ଦେବରାଜଙ୍କ ଝିଅଙ୍କ କହିବା ଅନୁସାରେ ବୁଧବାର ସକାଳୁ ଦେବରାଜ ଭୁବନେଶ୍ବରରେ ରହୁଥିବା ତାଙ୍କ ଝିଅ ଘରେ ପହଞ୍ଚିଥିଲେ । ଝିଅକୁ ଘରେ ରଖିଥିବା ସମସ୍ତ ସୁନା ଗହଣା ଓ କିଛି ଟଙ୍କା ଦେଇ ତରବର ହୋଇ ଚାଲି ଆସିଥିଲେ । ଦିନ ୧୨ ଟାରେ ପୋଲିସ ପାଖରୁ ଖବର ଯାଇଥିଲା ଯେ ତୁମ ମାଆକୁ ତୁମ ବାପା ହତ୍ୟା କରିଛନ୍ତି । ସେହିପରି ଦେବରାଜଙ୍କ ସଢୁ କହିଛନ୍ତି ୧୦ ଦିନ ତଳେ ପ୍ରିୟମ୍ବଦା ସାନ ଭଉଣୀକୁ ଭଲ ଅଟା ଆଣିବାକୁ କହିଥିଲେ । ସେ ତାଙ୍କ ସ୍ତ୍ରୀଙ୍କ ସହିତ ଦେବରାଜଙ୍କ ଘରେ ଅଟା ଧରି ପହଞ୍ଚିଥିଲେ । ହେଲେ ସେତେବେଳକୁ ସବୁ କିଛି ସରି ଯାଇଥିଲା । ଘର ବାହାରେ ପୋଲିସକୁ ଦେଖି ପ୍ରିୟମ୍ବଦାଙ୍କ ହତ୍ୟା ଖବର ଜାଣିବାକୁ ପାଇଥିଲେ ସେମାନେ । ଭିତରକୁ ଯାଇ ଦେଖିଲା ବେଳକୁ ସାରା ବେଡରୁମ୍ ରକ୍ତରେ ଭାସୁଥିଲା ।

Also Read:- Man Kills Wife in Sundarpada: ସକାଳେ ଝିଅକୁ ଫୋନ୍ କରି ମାଆର ରିଚାର୍ଜ କରିବାକୁ କହିଲେ, ହେଲେ ୧୧ଟା ବେଳକୁ କାହିଁକି ଏମିତି କଲେ ?

ପୋଲିସ ଦେବରାଜଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି । ଦେବରାଜଙ୍କ ଝିଅ କହିଛନ୍ତି । କିଛିଦିନ ହେବ ବାପାଙ୍କର ଡାଇବେଟିସ୍ ଓ ଥାଇରଏଡ୍ ବଢିକରି ରହୁଥିଲା । ସେ ଟେନସନ୍ରେ ରହୁଥିଲେ । ଔଷଧ ମଧ୍ୟ ଖାଉଥିଲେ । ହେଲେ ଆଜି ହଠାତ୍ ଏମିତି କ’ଣ ହେଲା ଯେ ସେ ମା’କୁ ହତ୍ୟା କରିବାକୁ ପଛାଇଲେ ନାହିଁ ତାହା ସେ ଜାଣି ପାରୁନାହାନ୍ତି । ତେବେ ଏହି ହତ୍ୟାକାଣ୍ଡକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦେବରାଜ ଏଜି ଅଫିସରୁ ଅଡିଟର ଭାବେ ଅବସର ନେଇଥିବାରୁ ଅର୍ଥର କୌଣସି ଅଭାବ ନଥିଲା । ସେହିପରି ତାଙ୍କର ଝିଅ ଓ ଜ୍ବାଇଁ ମଧ୍ୟ ଉଭୟ ଡାକ୍ତର । ତେଣୁ ପିଲାଙ୍କୁ ନେଇ କୌଣସି ଟେନସନ୍ ନଥିଲା । ଝିଅର ଝିଅ ନାତୁଣୀକୁ ଖୁବ୍ ଭଲ ପାଉଥିଲେ ଉଭୟ ସ୍ବାମୀ-ସ୍ତ୍ରୀ । ତେବେ କାହିଁକି ଦେବରାଜ ଏତେ ଦିନର ବୈବାହିକ ସଂପର୍କକୁ ତୁଚ୍ଛ କରି ପତ୍ନୀଙ୍କୁ ହତ୍ୟା କରିବାକୁ ପଦକ୍ଷେପ ନେଲେ ତାହା କେହି କହିପାରୁ ନାହାନ୍ତି । ପୋଲିସ ଅଧିକ ତଦନ୍ତ କରିବା ପରେ ହିଁ ଏହି ହତ୍ୟା ରହସ୍ୟ ଉପରୁ ପରଦା ହଟିପାରିବ ।