ଭୁବନେଶ୍ବର ୮।୪: ଦାମ୍ପତ୍ୟ ଜୀବନର ୩୫ ବର୍ଷରେ ଲାଗିଲା ରକ୍ତର ଛିଟା । ସାତ ଜନମର ସାଥୀ ହେବେ ବୋଲି ହାତ ଧରିଥିଲେ । ପରସ୍ପରର ସୁଖ ଦୁଃଖରେ ସାମିଲ ହେବେ ଆଉ ବାକି ଜୀବନ ହସଖୁସିରେ କାଟିଦେବେ ବୋଲି ଭାବିଥିଲେ । ବୈବାହିକ ସମ୍ପର୍କ ବି ସୁରୁଖୁରୁରେ ଚାଲିଥିଲା । ହେଲେ ସେମାନଙ୍କ ସମ୍ପର୍କରେ ଯେମିତି କାହା ନଜର ଲାଗିଗଲା । ଯେଉଁ ଗଳାରେ ମଙ୍ଗଳସୂତ୍ର ପିନ୍ଧାଇ ଆଣିଥିଲେ ସେହି ଗଳା କାଟିଦେଲେ । ଏକ ଧାରୁଆ ଛୁରୀରେ ପତ୍ନୀର ଗଳା କାଟିଦେଲା ନୃଶଂସ ସ୍ବାମୀ । ବେଡରୁମ୍ ଭିତରେ ଛଟପଟ ହୋଇ ଚାଲିଗଲା ସ୍ତ୍ରୀର ଜୀବନ । ତଣ୍ଟି କାଟି ସ୍ତ୍ରୀର ମୃତଦେହ ନିକଟରେ ଜଗି ବସିଥିଲା ସ୍ବାମୀ ।​​​​​​​​​​​​​​

​​​​​​​ରାଜଧାନୀରେ ମହିଳାଙ୍କୁ ବୀଭତ୍ସ ହତ୍ୟା । ସ୍ତ୍ରୀଙ୍କ ତଣ୍ଟିକାଟି ହତ୍ୟାକଲେ ଅବସରପ୍ରାପ୍ତ ସରକାରୀ ଅଧିକାରୀ । ଅବସାଦ କାରଣରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଅଭିଯୁକ୍ତ ସ୍ବାମୀ ଏବେ ପୋଲିସ ହେପାଜତରେ । ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳରେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଅଭିଯୁକ୍ତକୁ ହେପାଜତକୁ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ କରିଛି ।

ପୂରା ଘଟଣା ଥିଲା କିଛି ଏମିତି

ଏଜି ଅଫିସରେ ସିନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ ଦେବରାୟ ଷଡ଼ଙ୍ଗୀ । ଗତ ୨ ବର୍ଷ ହେବ ସେ ଚାକିରିରୁ ଅବସର ନେଇଥିଲେ । ଅବସର ପରେ ଏୟାରଫିଲ୍ଡ ଥାନା ଅଞ୍ଚଳରେ ନୂଆ ଘରଟିଏ କରିଥିଲେ । ଗୋଟିଏ ବୋଲି ଝିଅକୁ ବିବାହ କରାଇଦେଇଛନ୍ତି । ଘର ତିଆରି କରିବା ପରେ ସେ ଧିରେ ଧିରେ ଦୁର୍ବଳ ହେବାକୁ ଲାଗିଥିଲେ । ପରବର୍ତ୍ତୀ ସମୟରେ ରୋଗାଗ୍ରସ୍ତ ହୋଇ ଅବସାଦ ଆଡକୁ ଚାଲିଯାଇଥିଲେ । ଏ ସମ୍ପର୍କରେ ସ୍ତ୍ରୀ ପ୍ରିୟମ୍ବଦା ନିକଟରେ ରହୁଥିବା ଭଉଣୀଙ୍କୁ ଜଣାଇଥିଲେ । ମଙ୍ଗଳବାର ମଧ୍ୟ ଭଉଣୀକୁ ଏ ସମ୍ପର୍କରେ ଜଣାଇଥିଲେ ପ୍ରିୟମ୍ବଦା । କିନ୍ତୁ କାହାକୁ କିଛି କହିବୁନି ବୋଲି ମଧ୍ୟ ସେ ଭଉଣୀଙ୍କୁ କହିଥିଲେ । ବୁଧବାର ସକାଳ ପ୍ରାୟ ୧୧ଟା ସମୟରେ ପ୍ରିୟମ୍ବଦାଙ୍କ ଭଉଣୀ ତାଙ୍କ ଘରକୁ ଅଟା ନେଇ ଯାଇଥିଲେ । ସେହି ସମୟରେ ସେ ଦେଖିଥିଲେ ଯେ, ତାଙ୍କ ଘର ଆଗରେ ପୋଲିସ ଗାଡି ଛିଡା ହୋଇଛି । ଘର ଭିତରକୁ ଯାଇ ଦେଖିଥିଲେ ଭଉଣୀ ପ୍ରିୟମ୍ବଦା ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ । ଘରେ ପୋଲିସ ଛାଉଣୀ ହୋଇଥିଲେ । ଏ ସମ୍ପର୍କରେ ଖବର ପାଇ ମୃତକଙ୍କ ଝିଅ ମଧ୍ୟ ପହଞ୍ଚିଥିଲେ ।

ଡିପ୍ରେସନ୍‌ରେ ଥିଲେ ବାପା

ତବେ ବୁଧବାର ସକାଳେ ସବୁକିଛି ସ୍ବାଭାବିକ ଥିଲା । ଅଭିଯୁକ୍ତ ଦେବରାୟ ଝିଅ ସହ ଫୋନ୍ ଯୋଗେ କଥା ହୋଇଥିଲେ । ମାଆର ଫୋନ୍ ରିଚାର୍ଜ କରିବାକୁ ଝିଅକୁ ସେ କହିଥିଲେ । ଦିନ ୧୨ଟା ପାଖାପାଖି ଝିଅ ଘର ପାତ୍ରପଡ଼ାକୁ ଯାଇ ସ୍ତ୍ରୀଙ୍କ ସୁନାଗହଣା ଏବଂ ଟଙ୍କା ଦେଇଦେଇ ଆସିଥିଲେ । ପରେ ପ୍ରାୟ ୧ଟା ସମୟରେ ପୋଲିସ ନିକଟରୁ ଝିଅକୁ ଫୋନ୍ ଯାଇଥିଲା ଯେ ତାଙ୍କ ମା’ ଆଉ ନାହାନ୍ତି । ଏହି ଖବର ପାଇ ଘରେ ପହଞ୍ଚିଥିଲେ ଝିଅ । ସେ ମଧ୍ୟ କାନ୍ଦି କାନ୍ଦି କହୁଥିଲେ ଯେ ବାପା ଡିପ୍ରେସନରେ ଥିଲେ ।

ଶୁଣନ୍ତୁ କ'ଣ କହୁଛନ୍ତି ମୃତ ମହିଳାଙ୍କ ଝିଅ ଆଉ ଭିଣୋଇ-