ଭୁବନେଶ୍ବର ୨୦।୭: ଲିଫ୍ଟ ଦେବା ବାହାନାରେ ଜଣେ ଯୁବତୀଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ ଉଦ୍ୟମ କରିବା ଏବଂ ପରେ ପୋଲିସର ବ୍ୟାପକ ସର୍ଚ୍ଚ ଅପରେସନ୍ ପରେ ଯୁବତୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଇନଫୋଭ୍ୟାଲି ଥାନା ପୋଲିସ ଘଟଣାରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିବା ସହ ବ୍ୟବହୃତ ବାଇକକୁ ଜବତ କରିଛି ପୋଲିସ ।

ପୂରା ଘଟଣା ଥିଲା ଏମିତି

ପୀଡ଼ିତା ଯୁବତୀ ଜଣକ ଖୋର୍ଦ୍ଧା ବସ୍ଷ୍ଟାଣ୍ଡରୁ ଜଣେ ବାଇକ୍ ଚାଳକଙ୍କ ଠାରୁ ଲିଫ୍ଟ ନେଇଥିଲେ । ମାତ୍ର ବାଇକ୍ ଚାଳକଙ୍କର ମନୋଭାବ ଖରାପ ଥିବାରୁ ସେ ଗାଡ଼ିଟିକୁ ରତନପୁର ସଂରକ୍ଷିତ ଜଙ୍ଗଲ ଆଡ଼କୁ ନେଇଯାଇଥିଲେ । ସେଠାରେ ଅଭିଯୁକ୍ତ ଯୁବକ ଜଣକ ଯୁବତୀଙ୍କ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ତେବେ ଯୁବତୀ ଜଣକ ସାହସର ସହ ଲଢ଼େଇ କରି ଅଭିଯୁକ୍ତ କବଳରୁ ଖସି ଆସିବାରେ ସଫଳ ହୋଇଥିଲେ ଏବଂ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ । ମାତ୍ର ଘନ ଜଙ୍ଗଲ ହୋଇଥିବାରୁ ସେ ଭିତରେ ବାଟବଣା ହୋଇଯାଇଥିଲେ ।

ସର୍ଚ୍ଚ ଅପରେସନ୍‌ରେ ୫୦ରୁ ଅଧିକ ପୋଲିସ

ବିପଦରେ ପଡ଼ିଥିବା ଯୁବତୀ ଜଣକ ତୁରନ୍ତ ପୋଲିସକୁ କଲ୍ କରି ସାହାଯ୍ୟ ମାଗିଥିଲେ । ଖବର ପାଇବା କ୍ଷଣି ଜୋନ୍-୩ ଏସିପି, ଇନଫୋଭ୍ୟାଲି ଥାନା ଆଇଆଇସି, ଜଟଣୀ ଥାନା ଆଇଆଇସି, ଖଣ୍ଡଗିରି ଥାନା ଆଇଆଇସି, ଭରତପୁର ଥାନା ଆଇଆଇସି ଏବଂ ୫୦ରୁ ଅଧିକ ପୋଲିସ କର୍ମଚାରୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଜଙ୍ଗଲ ଭିତରେ ବ୍ୟାପକ ଖୋଜାଖୋଜି ଆରମ୍ଭ କରିଥିଲେ ।

ଯୁବତୀଙ୍କ ମୋବାଇଲ୍ ଫୋନ୍ରେ ମାତ୍ର ୧୦% ବ୍ୟାଟେରୀ ବାକିଥିବାରୁ ପୋଲିସ ପାଇଁ ତାଙ୍କୁ ଶୀଘ୍ର ଖୋଜିବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା । ଯୁବତୀଙ୍କ ମୋବାଇଲ୍ର ଜିପିଏସ୍ (GPS) ଡିଫଲ୍ଟ ଭାବେ ଅଫ୍ ଥିଲା । ପୋଲିସ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ଡ୍ରୋନ୍ କ୍ୟାମେରା, ଫ୍ଲେୟାର୍ ଗନ୍, ଦୀପାବଳି ରକେଟ୍, ସିଗ୍ନାଲ୍ ଓ ଜିପିଏସ୍ ଟ୍ରାକିଂର ସହାୟତା ନେଇଥିଲା । ଏସବୁର ବ୍ୟବହାର କରି ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ୍ ଚଳାଇଥିଲା ପୋଲିସ । ଶେଷରେ ପୋଲିସ ଯୁବତୀଙ୍କ ସ୍ଥିତି ଠାବ କରି ତାଙ୍କୁ ଜଙ୍ଗଲ ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା । ଯୁବତୀ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।

ଦୁଷ୍କର୍ମ ଉଦ୍ୟମ ଦଫାରେ ଅଭିଯୁକ୍ତ ଗିରଫ

ପ୍ରଥମେ ପୀଡ଼ିତା ଯୁବତୀ ଜଣକ ଏତଲା ଦେବାକୁ ଇଚ୍ଛୁକ ନଥିଲେ । ମାତ୍ର ଅଭିଯୁକ୍ତ ଯେପରି ଭବିଷ୍ୟତରେ ଏଭଳି ଅପରାଧ ଅନ୍ୟ କାହା ସହ ନକରେ, ସେଥିପାଇଁ ପୋଲିସ ତାଙ୍କୁ କାଉନସେଲିଂ କରି ବୁଝାଇବା ପରେ ସେ ଏଫ୍ଆଇଆର୍ ଦେବାକୁ ରାଜି ହୋଇଥିଲେ ।

ଇନଫୋଭ୍ୟାଲି ଥାନାରେ ଦୁଷ୍କର୍ମ ଉଦ୍ୟମ ଦଫାରେ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି । ଘଟଣାରେ ବ୍ୟବହୃତ ବାଇକ୍ ମଧ୍ୟ ଜବତ କରାଯାଇଛି ।