ଭୁବନେଶ୍ବର: ମୃତ ମାଆର ଶବକୁ କାନ୍ଧ ଦେଲେନି ଜନ୍ମିତ ପୁଅ। ୧୦ ଘଣ୍ଟା ପରେ ପୋଲିସ ପହଞ୍ଚିଲା। ୪ ପୋଲିସ କର୍ମଚାରୀ ଏକାଠି ହୋଇ ଶତ୍କାର କଲେ ବୃଦ୍ଧାଙ୍କ ଶବ।  ମାଆ ମୋକ୍ଷ ପାଇଗଲେ, ପୁଅ ମୁକ୍ତି ପାଇଗଲେ, ଆଉ କର୍ତ୍ତବ୍ୟ ସଂପାଦନ କରି ଆତ୍ମସନ୍ତୋଷ ଲାଭ କଲେ ୪ ପୋଲିସ କର୍ମଚାରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବସ୍ତା ଥାନା ସନ୍ତୋଷ ପୁର ପଞ୍ଚାୟତ ଲୋକନାଥପୁର ଗାଁରେ ।

ସୂଚନା ଅନୁସାରେ, ଗାଁର ବଂଶୀଧର ଦାସ  ଓ ତୁଳସୀ ଦାସଙ୍କର ତିନି ପୁଅ। ବଡ଼ ପୁଅ ନିଖୋଜ । ଦୁଇ ପୁଅ ବାପା ମାଆଙ୍କୁ ବାଣ୍ଟିନେଲେ। ବଡ଼ପୁଅ ବାପାର, ସାନପୁଅ ମାର । ଏମିତି ବଂଶୀଧର ମଝିଆ ପୁଅ ପାଖରେ ରହି ଆଖିବୁଜିଲେ। ତୁଳସୀ ରହିଲେ ସାନପୁଅ ପାଖରେ। ମଙ୍ଗଳବାର ତୁଳସୀ ଚାଲିଗଲେ। ତେବେ ଏହି ପରିବାର ବୈଷ୍ଣବ ହୋଇଥିବାରୁ ଶବସତ୍କାର ଘର ବାଡ଼ିରେ ହେବ ବୋଲି କହିଲେ ମଝିଆ ପୁଅ ଏବଂ ଗାଁ ଲୋକେ। କିନ୍ତୁ ରାଜି ହୋଇନଥିଲେ ସାନପୁଅ ରାକେଶ। କହିଥିଲେ ମାକୁ ମୁଁ ପାଳିଛି। ମାର ଶେଷ ଇଚ୍ଛା ଥିଲା ନଦୀପଠାରେ ମିଶିଯିବା ପାଇଁ।

ଯାହା ପରେ ତେଜିଲା ବିବାଦ। ଶବ କିଏ ସତ୍କାର କରିବ ତାହାକୁ ନେଇ ବିବାଦ ଭିତରେ ୧୦ ଘଣ୍ଟା ପଡ଼ିରହିଲା ମୃତଦେହ। ଅମରଦାରୋଡ ଫାଣ୍ଡି ଅଧିକାରୀ ବିଜୟ କୁମାର ବାରିକ୍ ଓ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚିଲେ। ବୁଝାସୁଝା କଲେ। ଦୁଇ ପୁଅ ଜିଦରେ ଅଟଳ। ଶେଷରେ ତୁଳସୀଙ୍କ କୋକେଇଙ୍କୁ କାନ୍ଧରେ ଧରି ଚାଲିଥିଲା ପୋଲିସ। ସୁବର୍ଣ୍ଣରେଖା ଓଡ଼ିଆପଡ଼ା ବାଲି ଘାଟ ଅନ୍ତିମ ସଂସ୍କାର କରିଥିଲା।

Also Read: ରାଜ୍ୟ ସରକାରଙ୍କ ବିଚିତ୍ର ନିର୍ଦ୍ଦେଶନାମା, ମୃତ କର୍ମଚାରୀଙ୍କ ବଦଳି ନିର୍ଦ୍ଦେଶ

‘ବୈଷ୍ଣବ ଜନ ତୋ ତେରେ କହିୟେ ପୋ ପୀଡ଼ ପରାଇ ଜାନେରେ।’ ଅର୍ଥାତ ସେ ହିଁ ସଚ୍ଚା ବୈଷ୍ଣବ ଯିଏ ପରର ପୀଡ଼ା ଜାଣେ। ଏହି ପରିବାର, ଏହି ଦୁଇ ଭାଇ ବୈଷ୍ଣବ ବୋଲାଉଛନ୍ତି କିନ୍ତୁ ଜମି ସଂପତ୍ତି ପାଇଁ ପରସ୍ପର ମଧ୍ୟରେ ମାରପିଟ ହୋଇଛନ୍ତି ବାପା ମାଙ୍କୁ ଦୁଇ ଭାଗ କରିଛନ୍ତି । ମଲା ମାଆର ମୁହଁକୁ ବି ଚାହିଁନାହାନ୍ତି । ଏମାନଙ୍କୁ ଗାଁ ଲୋକ ଧିକ କହୁଛନ୍ତି। ଏତିକି ବେଳେ ପୋଲିସ ପୁଅଠୁ ବଳିଯାଇଛି । ନିଜେ କାନ୍ଧ ଦେଇଛି, ସମାଧି ପାଇଁ ମାଟି ଖୋଳିଛି, ଅନ୍ତିମ ସଂସ୍କାର କରିଛି। ପୁଅ ଯଦି ଯୋଗ୍ୟ ଧନ କାହିଁ ସଞ୍ଚିବି ପୁଅ ଯଦି ଅଯୋଗ୍ୟ ଧନ କାହିଁ ସଞ୍ଚିବି। ଏଠି ଧନ ସଂପତ୍ତି ହିଁ ରକ୍ତ ସଂପର୍କକୁ ତୁଚ୍ଛ କରିଛି। ଉପରେ ରହି ବଂଶୀଧର ଓ ତୁଳସୀ ନିଶ୍ଚୟ ଭାବୁଥିବେ କେମିତି ପୁଅ ଏମାନେ ଜନ୍ମ କରିଥିଲେ।