ନୂଆଦିଲ୍ଲୀ: ସୋନିଆ ଗାନ୍ଧୀଙ୍କ ବହୁପ୍ରତୀକ୍ଷିତ ଆତ୍ମଜୀବନୀ 'ବିଲଙ୍ଗିଂ: ଏ ଜର୍ନି ଅଫ୍ ଲଭ୍' (Belonging: A Journey of Love) ର ପ୍ରକାଶନକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ 'ପେଙ୍ଗୁଇନ୍ ରାଣ୍ଡମ ହାଉସ୍ ଇଣ୍ଡିଆ'( PRHI) ଶୁକ୍ରବାର ଦିନ ସ୍ପଷ୍ଟୀକରଣ ରଖିଛି। ସମ୍ପାଦନାଗତ ପରିବର୍ତ୍ତନକୁ ନେଇ ମତଭେଦ ହେବାରୁ ପ୍ରକାଶନ ସଂସ୍ଥା ବହି ପ୍ରକାଶ କରିବାକୁ ମନା କରିଦେଇଛି ବୋଲି ଗଣମାଧ୍ୟମରେ ଆସୁଥିବା ଖବରକୁ PRHI ଖଣ୍ଡନ କରିଛି।

PRHI ପକ୍ଷରୁ କୁହାଯାଇଛି ଯେ,‘ଆମେ ଭାରତରେ ଏହି ବହିର ପ୍ରକାଶକ ନୁହଁ। ଲେଖକ ସମ୍ପାଦନା ପରିବର୍ତ୍ତନ ଗ୍ରହଣ ନକରିବାରୁ ଆମେ ପ୍ରକାଶନରୁ ଓହରିଗଲୁ ବୋଲି କୁହାଯାଉଥିବା କଥା ସତ୍ୟ ନୁହେଁ। ବହିର ତଥ୍ୟ ଯାଞ୍ଚ କରିବା ଓ ଆବଶ୍ୟକ ସୁପାରିଶ କରିବା ପ୍ରକାଶନ ସଂସ୍ଥାର ନିୟମିତ ପ୍ରକ୍ରିୟା। ଆମେ ଏହି ବହିଟିକୁ ପ୍ରକାଶ କରିବାକୁ ସଦାସର୍ବଦା ଆଗ୍ରହୀ ଥିଲୁ।’

ଲେଖିକା (ସୋନିଆ ଗାନ୍ଧୀ) ଙ୍କ ସହ ହୋଇଥିବା ଆଲୋଚନା ଗୋପନୀୟ ହୋଇଥିବାରୁ ଏହାଠାରୁ ଅଧିକ କିଛି କହିବାକୁ ସଂସ୍ଥା ମନା କରିଦେଇଛି। ଏହି ବହିଟି ଆସନ୍ତା ନଭେମ୍ବର ୧୦ ରେ ଆନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଇବ। ପେଙ୍ଗୁଇନ୍ ରାଣ୍ଡମ ହାଉସର ଅନ୍ୟ ଏକ ସଂସ୍ଥା 'ଆଲଫ୍ରେଡ୍ ଏ. କ୍ନୋପ୍ଫ' ଏହାକୁ ପ୍ରକାଶ କରୁଛି ଏବଂ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ କପି ଛାପିବାକୁ ଲକ୍ଷ୍ୟ ରଖାଯାଇଛି।

ଏହି ଆତ୍ମଜୀବନୀରେ ସୋନିଆ ଗାନ୍ଧୀଙ୍କ ଇଟାଲୀର ବାଲ୍ୟକାଳ, ଭାରତ ଆଗମନ, ରାଜୀବ ଗାନ୍ଧୀଙ୍କ ସହ ବିବାହ ଏବଂ ସଞ୍ଜୟ ଗାନ୍ଧୀ, ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ବିୟୋଗ ପରି ଦୁଃଖଦ ଘଟଣା ସ୍ଥାନ ପାଇଛି। ଏହାସହ ଗତ ୬ ଦଶନ୍ଧିର ଭାରତୀୟ ସାମାଜିକ ଓ ରାଜନୈତିକ ପରିବର୍ତ୍ତନର ସେ ପ୍ରତ୍ୟକ୍ଷଦର୍ଶୀ ଭାବରେ ନିଜର ଅନୁଭୂତି ଲେଖିଛନ୍ତି।

ସୂଚନାଯୋଗ୍ୟ, ‘ଦି ଇଣ୍ଡିଆନ୍ ଏକ୍ସପ୍ରେସ୍’ରେ ଏକ ଖବର ପ୍ରକାଶ ପାଇଛି । ଏଥିରେ ଦାବି କରାଯାଇଛି ଯେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁପ୍ରତୀକ୍ଷିତ ଆତ୍ମଜୀବନୀର ଭାରତୀୟ ସଂସ୍କରଣକୁ 'ପେଙ୍ଗୁଇନ୍ ରାଣ୍ଡମ ହାଉସ୍ ଇଣ୍ଡିଆ' ପ୍ରକାଶ କରିବ ନାହିଁ।  PRHI ପୁସ୍ତକର  କିଛି ଅଂଶରେ କିଛି ‘ସମ୍ପାଦନାଗତ ପରିବର୍ତ୍ତନ ଏବଂ କିଛି ଲେଖା ବାଦ୍ ଦେବା’ ପାଇଁ ପ୍ରସ୍ତାବ ଦେଇଥିଲା।

ସୋନିଆ ଗାନ୍ଧୀ ଏହି ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକୁ ଗ୍ରହଣ କରିବାକୁ ସିଧାସଳଖ ମନା କରିଦେଇଥିଲେ, ଯାହା ଫଳରେ ଏହି ଚୁକ୍ତି ଭାଙ୍ଗିଯାଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି । ଏପରିକି  ହାର୍ପର କୋଲିନ୍ସ ଏହି ପୁସ୍ତକର ଭାରତୀୟ ପ୍ରକାଶନ ଓ ବିତରଣ ଅଧିକାର ପାଇବା ପାଇଁ ଚୁକ୍ତିର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଦାବି ହୋଇଛି  । ହେଲେ ଏହି ସବୁ ଦାବିକୁ ଖଣ୍ଡନ କରି ସ୍ପଷ୍ଟୀକରଣ ରଖିଛି‘ପେଙ୍ଗୁଇନ୍ ରାଣ୍ଡମ ହାଉସ୍ ଇଣ୍ଡିଆ’ ।