ଚଣ୍ଡିଗଡ଼: ପଞ୍ଜାବରେ କଂଗ୍ରେସର ନୂଆ ଚେହେରା। ପୂର୍ବତନ ଅଲିମ୍ପିଆନ୍ ତଥା ଜଳନ୍ଧର କ୍ୟାଣ୍ଟନମେଣ୍ଟର ବିଧାୟକ ପରଗତ ସିଂହଙ୍କୁ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି (PPCC)ର ସଭାପତି ଭାବେ ନିଯୁକ୍ତ କରାଯାଇଛି। ଅମରିନ୍ଦର ସିଂହ ରାଜା ୱାରିଙ୍ଗଙ୍କ ସ୍ଥାନରେ ତାଙ୍କୁ ପିପିସିସି ନିଯୁକ୍ତି କରିଛି ଦଳ।

ଏନେଇ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଲଙ୍କ ସ୍ୱାକ୍ଷର ଥିବା ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁଥିରେ ପରଗତଙ୍କୁ ତୁରନ୍ତ ଦାୟିତ୍ୱ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

୨୦୨୨ରେ ନବଜୋତ ସିଂହ ସିଦ୍ଧୁ ପିପିସିସି ପଦ ଛାଡିବା ପରେ ଅମରିନ୍ଦର ସିଂହ ରାଜା ୱାରିଙ୍ଗ ଏହି ଦାୟିତ୍ୱ ତୁଲାଇ ଆସୁଥିଲେ। ତେବେ ଶୁକ୍ରବାର ୱାରିଂ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଦୀର୍ଘ ୪ ବର୍ଷ ହେଲା ସେ ଏହି ପଦବୀ ତୁଲାଇ ଆସୁଥିବାରୁ ତାଙ୍କର ଯୋଗଦାନ ପାଇଁ ଦଳ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛି।

ୱାରିଙ୍ଗ ମଧ୍ୟ ପରଗତ ସିଂହଙ୍କୁ ତାଙ୍କ ନୂଆ ଦାୟିତ୍ୱ ପାଇଁ ବଧେଇ ଜଣାଇଛନ୍ତି। ଏବଂ ତାଙ୍କୁ ଆଗାମୀ କାର୍ଯ୍ୟ ପାଇଁ ଶୁଭକାମନା ଜଣାଇଛନ୍ତି। ଏନେଇ ଦଳ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ପଞ୍ଜାବରେ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ କମିଟିର କାର୍ଯ୍ୟକାରୀ ସଭାପତି, ଅଧ୍ୟକ୍ଷ ଏବଂ ସହ-ଅଧ୍ୟକ୍ଷମାନେ ନିଜର ବର୍ତ୍ତମାନର ଦାୟିତ୍ୱରେ କାର୍ଯ୍ୟ ଜାରି ରଖିବେ।

Also Read - ପଦାରେ ପଡିଲା ରାଜସ୍ଥାନ କଂଗ୍ରେସର ଅନ୍ତର୍ଦ୍ୱନ୍ଦ୍ୱ, ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ବିଶ୍ୱେନ୍ଦ୍ର ସିଂହ, ଜାଣନ୍ତୁ କହିଲେ କ’ଣ?

ପଞ୍ଜାବରେ ୨୦୨୭ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ରାଜ୍ୟରେ ନିର୍ବାଚନ ମାହୋଲ ବଦଳିବାକୁ ଲାଗିଲାଣି। ଏହାକୁ ଦେଖି କଂଗ୍ରେସ ମଧ୍ୟ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ କରି ଫୁଲ୍ ଦମରେ ପଞ୍ଜାବ ଦଖଲ କରିବାକୁ ରଣନୀତି ଆରମ୍ଭ କରିଦେଇଛି।

ପରଗତ ସିଂହ କିଏ ? କଂଗ୍ରେସରେ ଯୋଗଦାନ

ଅଲିମ୍ପିଆନ ତଥା ଭାରତୀୟ ହକି ଦଳର ପୂର୍ବତନ କ୍ୟାପ୍ଟେନ୍ ପରଗତ ସିଂହ ଦଶନ୍ଧୀ ହେଲା ପଞ୍ଜାବ ରାଜନୀତିରେ ସକ୍ରିୟ ଅଛନ୍ତି। ସେ ୨୦୧୨ରେ ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ି ରାଜନୀତିରେ ପ୍ରବେଶ କରିଥିଲେ। ସେତେବେଳେ ସେ ସିରୋମଣି ଅକାଳୀ ଦଳ ଟିକେଟରୁ ଦଳନ୍ଧର କ୍ୟାଣ୍ଟନମେଣ୍ଟଟ ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ଏବଂ ସେବେଠାରୁ କ୍ରମାଗତ ଭାବେ ଜଳନ୍ଧର କ୍ୟାଣ୍ଟର ପ୍ରତିନିଧିତ୍ୱ କରିଆସୁଛନ୍ତି।

୨୦୧୬ରେ ଅକାଳୀ ଦଳ ଶ୍ରୀ ସିଂହଙ୍କୁ ନିଲମ୍ବିତ କରିବା ପରେ ସେ ଦଳ ଛାଡ଼ି ଦେଇଥିଲେ। ଏବଂ ନବଜୋତ ସିଂହ ସିଦ୍ଧୁଙ୍କ ସମେତ ଅନ୍ୟ ନେତାମାନେ ସାମିଲ ହୋଇଥିବା ଆୱାଜ ଏ ପଞ୍ଜାବ ଫ୍ରଣ୍ଟରେ ସାମିଲ ହୋଇଥିଲେ। ଏହାପରେ ସେ ୨୦୧୭ରେ କଂଗ୍ରେସରେ ଯୋଗ ଦେଇ ଜଳନ୍ଧର କ୍ୟାଣ୍ଟ ଆସନରୁ ପୁଣିଥରେ ବିଜୟୀ ହୋଇଥିଲେ। ୨୦୨୨ ବିଧାନସଭା ନିର୍ବଚାନରେ ମଧ୍ୟ ନିଜ ଆସନ ସୁରକ୍ଷିତ କରିପାରିଥିଲେ ପରଗତ ସିଂହ।

୨୦୨୧ରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କ କ୍ୟାବିନେଟ୍ରେ ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, କ୍ରୀଡ଼ା ଓ ଯୁବ ବ୍ୟାପାରା ଏବଂ ଏନ୍ଆରଆଇ ବ୍ୟାପାର ଆଦି ବିଭାଗରେ ମନ୍ତ୍ରୀ ହୋଇଥିଲେ। ୨୦୨୨ ପର୍ଯ୍ୟନ୍ତ ସେ ମନ୍ତ୍ରୀ ରହିଥିଲେ।

ପରଗତ ଜଣେ ଦକ୍ଷ ନେତା ଓ ହକି ଖେଳାଳି ହୋଇଥିବାରୁ ରାଜ୍ୟରେ ତାଙ୍କର ଲୋକପ୍ରିୟତା ରହିଛି। ତେଣୁ ଆଗାମୀ ନିର୍ବାଚନରେ ଦଳ ପରଗତଙ୍କ କାନ୍ଧରେ ନିର୍ବଚାନ ବୈତରଣ ପାରି ହେବାକୁ ଚେଷ୍ଟା କରିବ।

ଉତ୍ତର ପ୍ରଦେଶରେ ପରିବର୍ତ୍ତନ

ସେହିପରି ଉତ୍ତର ପ୍ରଦେଶରେ ମଧ୍ୟ କଂଗ୍ରେସ ସାଂଗଠନିକ ପରିବର୍ତ୍ତନ କରିଛି। ଅଜୟ ରାୟଙ୍କ ବଦଳରେ ଆରାଧାନ ମିଶ୍ର ମୋନାଙ୍କୁ ଦଳର ନୂଆ ଅଧ୍ୟକ୍ଷା ନିଯୁକ୍ତି କରାଯାଇଛି। ସେହିପରି ସାହାରନପୁର ସାଂସଦ ଇମ୍ରାନ ମସୁଦଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବା ବେଳେ ଦେବନ୍ଦର ନିଶାଦ ଏବଂ ଆଲୋକ ପ୍ରସାଦଙ୍କୁ ବରିଷ୍ଠ ଉପାଧ୍ୟକ୍ଷ ଦାୟିତ୍ୱ ଦେଇଛି ଦଳ। ଚୌଧୁରୀ ବୀରେନ୍ଦ୍ର ସିଂହଙ୍କୁ ଉତ୍ତର ପ୍ରଦେଶରେ କଂଗ୍ରେସ ବିଧାନସଭା ଦଳର ନେତା ଭାବେ ନିଯୁକ୍ତ କରାଯାଇଛି। ନିର୍ବାଚନ ପୂର୍ବରୁ ଦଳ ନିଜର ରାଜ୍ୟ ଶାଖାର ପୁନର୍ଗଠନ କରୁଥିବା ବେଳେ, ତିନିଥର ବିଧାୟକ ରହିସାରିଥିବା ତଥା କଂଗ୍ରେସ ବିଧାନସଭା ଦଳର ପୂର୍ବତନ ନେତା ମୋନା ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି।