ଜୟପୁର: ଅଶୋକ ଗେହଲଟ ସରକାରରେ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ବିଶ୍ୱେନ୍ଦ୍ର ସିଂହ ଶୁକ୍ରବାର କଂଗ୍ରେସ ପାର୍ଟିରୁ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି। କଂଗ୍ରେସ ରାଜ୍ୟ ୟୁନିଟ୍ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରାଙ୍କ ବିରୋଧରେ ଅଭିଯୋଗ କରିବା ଓ ପାର୍ଟିର ଭରତପୁର ଓ ଡିଗ୍ ୟୁନିଟ୍ ଉପରେ ସ୍ଥାନୀୟ ପାଳିକାନିର୍ବାଚନରେ ବାସ୍ତବିକ୍ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଟାଳିବା ଅଭିଯୋଗର ଦୁଇ ଦିନ ପରେ ବିଶ୍ୱେନ୍ଦ୍ର ସିଂହ ଏହି ପଦକ୍ଷେପ ନେଇଛନ୍ତି। ସିଂହ ଶୁକ୍ରବାର ସକାଳେ ସୋସିଆଲ ମିଡିଆରେ ଏକ ବୟାନ ସେୟାର କରି ଉଲ୍ଲେଖ କରିଛନ୍ତି ଯେ ‘ ଅଣନିଶ୍ୱାସୀ ହେବା ଅପେକ୍ଷା ଆତ୍ମ ସମ୍ମାନରେ ମରିବା ଭଲ’।

ଏହାର ଠିକ୍ ଦିନକ ପୂର୍ବରୁ ସିଂହଙ୍କ ଉପରେ ଆକ୍ରମଣ ହୋଇଥିଲା। ତେବେ ଡୋଟାସରା ପାର୍ଟି ଭିତରେ ମତପାର୍ଥକ୍ୟର ପ୍ରଚାର କହି ଏହାକୁ ଟାଳି ଯାଇଥିଲେ ଓ କହିଥିଲେ ଆମ ମଧ୍ୟରେ କୌଣସି ମତପାର୍ଥକ୍ୟ ନାହିଁ। ତେବେ ସିଂହ ଲେଖିଛନ୍ତି ଯେ ‘ମୁଁ ମୋ ଅନ୍ତରାତ୍ମାକୁ ଶୁଣି ଏହି ନିଷ୍ପତ୍ତି ନେଇଛି। ଆଜି କିଛି ଛୋଟମୋଟ ତଥାକଥିତ ନେତାଙ୍କ ଦ୍ୱାରା ଦିଆଯାଇଥିବା ନିରାଧାର ବୟାନ ମୋ କାର୍ଯ୍ୟକର୍ତ୍ତାଙ୍କୁ ଅସନ୍ତୁଷ୍ଟ କରିଛି। ମୋ ଅନ୍ତରାତ୍ମା ମଧ୍ୟ କ୍ଷୁବ୍ଧ ଓ ଦୁଃଖି। ଯେଉଁ ପାର୍ଟି ପାଇଁ ମୋ ଜୀବନ ବଳିଦାନ କରିଛି ଯଦି ସେହି ପାର୍ଟି ମୋ ନିଷ୍ଠ, ବିଶ୍ୱସ୍ଥତା ଓ ସମର୍ପଣର ଏପରି ପ୍ରତିଫଳ ଦିଏ, ତ ମୁଁ ଅତ୍ୟନ୍ତ ଆହତ’।

ଏହା ପୂର୍ବରୁ ଭରତପୁର ଓ ଡିଗ୍ କଂଗ୍ରେସ ଜିଲ୍ଲା ଅଧ୍ୟକ୍ଷମାନେ କଥିତ ରୂପେ ସିଂହଙ୍କ ବିରୋଧରେ ପାର୍ଟି ହାଇକମାଣ୍ଡଙ୍କୁ ଅଭିଯୋଗ ପଠାଇଥିଲେ। ତେବେ ସେପ୍ଟେମ୍ବର ୩୦ ପୋଷ୍ଟରେ ପୂର୍ବତନ ମନ୍ତ୍ରୀ ଅଭିଯୋଗ କରିଥିଲେ ଯେ ଉଭୟ ପାର୍ଟିର ବାସ୍ତବିକ୍ କାର୍ଯ୍ୟକର୍ତ୍ତାଙ୍କୁ ଦୂରଛଡା ଦେଇ ନିଜ ଚିହ୍ନା ଜଣା ଲୋକଙ୍କୁ ଟିକେଟ୍ ବାଣ୍ଟିଲେ ଓ କହିଲେ ନିର୍ବାଚନରେ ଭୋଟର ଯାହା ଜବାବ ଦେଲେ। ଭରତପୁର ଓ ଡିଗ୍ ରେ କଂଗ୍ରେସର ପତନ ପାଇଁ ଦାୟି କିଏ? ସିଂହ ଏହି ପ୍ରଶ୍ନ କରିଥିବା ବେଳେ ଭୋଟର ଏବେ ଜିଲ୍ଲା ଅଧ୍ୟକ୍ଷମାନଙ୍କୁ ଓ ଡୋଟାସରାଙ୍କୁ ଦାୟି କରୁଛନ୍ତି।

ସିଂହ କହିଛନ୍ତି ଭରତପୁର ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା। ଏଣୁ ସେଠାରେ କଂଗ୍ରେସକୁ ମଜଭୁତ ହେବା ଆବଶ୍ୟକ ଥିଲା। ହେଲେ ଏପରି ନ କରି ସ୍ଥାନୀୟ ନେତୃତ୍ୱ ପାର୍ଟିର କ୍ଷତି କଲେ ବୋଲି ଅଭିଯୋଗ କରୁଛନ୍ତି। ବିଶ୍ୱେନ୍ଦ୍ର ସିଂହ ଭରତ ପୁରର ପୂର୍ବତନ ରାଜ ପରିବାର ସହ ସମ୍ପର୍କିତ ଓ ସେ ଶେଷ ଶାସକ ବୃଜେନ୍ଦ୍ର ସିଂହଙ୍କ ପୁତ୍ର ଅଟନ୍ତି। ବିଶ୍ୱେନ୍ଦ୍ର ସିଂହ କ୍ଷେତ୍ରର ଜଣେ ପ୍ରଭାବଶାଳୀ ଜାଟ୍ ନେତା, ସେ ପୂର୍ବରୁ ବିଜେପି ସାଂସଦ ଥିଲେ। ୧୯୮୯ ମସିହାରେ ଜନତା ଦଳ ଟିକେଟ୍ ରେ ସେ ଭରତପୁରରୁ ଲୋକସଭା ସାଂସଦ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୯୩ ମସିହାରେ ସେ କଂଗ୍ରେସ ଟିକେଟରେ ନାଦବାଇରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୯ ମସିହାରେ ସେ ବିଜେପିରେ ଥିଲେ ଓ ଲୋକସଭାକୁ ସାଂସଦ ନିର୍ବାଚିତ ହୋଇଥିଲେ। ୨୦୦୪, ୨୦୧୩ ଓ ୨୦୧୮ରେ ମଧ୍ୟ ସେ କଂଗ୍ରେସ ଟିକେଟ ରେ ଦିଗ୍ କୁମହେର ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହୋଇଥିଲେ।