ଲକ୍ଷ୍ନୌ: ୨୦୨୭ ବିଧାନ ସଭା ନିର୍ବାଚନ ପୂର୍ବରୁ ଉତ୍ତର ପ୍ରଦେଶ କଂଗ୍ରେସରେ ବଡ଼ ସାଙ୍ଗଠନିକ ପରିବର୍ତ୍ତନ ହୋଇଛି l । କଂଗ୍ରେସ ଆରାଧନା ମିଶ୍ରା ‘ମୋନା’ ଙ୍କୁ ଉତ୍ତର ପ୍ରଦେଶ କଂଗ୍ରେସ କମିଟି (UPCC)ର ନୂଆ ପ୍ରଦେଶ ଅଧ୍ୟକ୍ଷ ନିଯୁକ୍ତ କରିଛି। ସେ ଅଜୟ ରାୟଙ୍କ ସ୍ଥାନ ନେଇଥିବା ବେଳେ, ସହାରନପୁରର ସାଂସଦ ଇମ୍ରାନ ମସୁଦଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଛି। ଏହି ନିଯୁକ୍ତିଗୁଡ଼ିକ ତୁରନ୍ତ ପ୍ରଭାବରୁ ଲାଗୁ ହୋଇଛି। ଆସନ୍ତା ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ଏହି ସାଙ୍ଗଠନିକ ପରିବର୍ତ୍ତନ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । 

ଆରାଧନା ମିଶ୍ରା ମୋନା ପ୍ରତାପଗଡ଼ର ରାମପୁର ଖାସ ବିଧାନସଭା ଆସନରୁ ତିନିଥର ବିଧାୟକ ହୋଇଛନ୍ତି। ସେ ପୂର୍ବରୁ ଉତ୍ତର ପ୍ରଦେଶ କଂଗ୍ରେସ ବିଧାୟକ ଦଳର ନେତା ମଧ୍ୟ ଥିଲେ। ତତ୍ସହିତ ବରିଷ୍ଠ କଂଗ୍ରେସ ନେତା ପ୍ରମୋଦ ତିୱାରୀଙ୍କ ଝିଅ। ଆରାଧନା ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଉତ୍ତର ପ୍ରଦେଶ ରାଜନୀତିରେ ସକ୍ରିୟ ଥିବା ସହିତ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସେ ପ୍ରିୟଙ୍କା ଗାନ୍ଧୀ ଭାଦ୍ରାଙ୍କ ସହ ମଧ୍ୟ କାମ କରିଛନ୍ତି।

ସହାରନପୁରର କଂଗ୍ରେସ ସାଂସଦ ଇମ୍ରାନ ମସୁଦଙ୍କୁ ଦଳର ଉତ୍ତର ପ୍ରଦେଶ ୟୁନିଟର କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଛି। ଏହା ବ୍ୟତୀତ ଦେବେନ୍ଦ୍ର ନିଷାଦ ଓ ଆଲୋକ ପ୍ରସାଦଙ୍କୁ ବରିଷ୍ଠ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି।ଏହା ସହ ଚୌଧୁରୀ ବୀରେନ୍ଦ୍ର ସିଂହଙ୍କୁ ଉତ୍ତର ପ୍ରଦେଶର କଂଗ୍ରେସ ବିଧାୟକ ଦଳର ନୂଆ ନେତା ଭାବେ ନିଯୁକ୍ତ କରାଯାଇଛି। ଉତ୍ତର ପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜ ସାଙ୍ଗଠନିକ ଢାଞ୍ଚାରେ ଏହି ପରିବର୍ତ୍ତନ କରିଛି। କଂଗ୍ରେସର ଏହି ନୂଆ ଟିମ୍ ଏବେ ରାଜ୍ୟରେ ଦଳର ସାଙ୍ଗଠନିକ କାର୍ଯ୍ୟକୁ ଆଗକୁ ବଢ଼ାଇବ।