ନୂଆଦିଲ୍ଲୀ: ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ବାପା, ଏପଟେ କିନ୍ତୁ କ୍ରିକେଟ୍ ପଡ଼ିଆରେ କମାଲ୍ କରି ସମସ୍ତଙ୍କ ନଜର ଆସିଛନ୍ତି ପୁଅ । ଦିଲ୍ଲୀ ପ୍ରିମିୟର ଲିଗ୍ ୨୦୨୬ରେ ଲୋକସଭା ସାଂସଦ ପପୁ ଯାଦବଙ୍କ ପୁଅ ସାର୍ଥକ ରଞ୍ଜନ ନିଜ ବ୍ୟାଟରେ କମାଲ୍ କରିଛନ୍ତି । ନର୍ଥ ଦିଲ୍ଲୀ ଷ୍ଟ୍ରାଇକର୍ସର ଅଧିନାୟକ ପୂରା ସିଜନରେ ନିରନ୍ତର ଭଲ ପ୍ରଦର୍ଶନ କରିଛନ୍ତି । ସାର୍ଥକଙ୍କ ନେତୃତ୍ୱରେ ନର୍ଥ ଦିଲ୍ଲୀ ଷ୍ଟ୍ରାଇକର୍ସ ଯଦିଓ ପ୍ଲେ-ଅଫ୍ ଦୌଡ଼ରୁ ବାହାରି ଯାଇଛି, କିନ୍ତୁ ସାର୍ଥକ ଏବେ ବି ଅରେଞ୍ଜ କ୍ୟାପ୍ ବଜାୟ ରଖିଛନ୍ତି ।

ସାର୍ଥକ ରଞ୍ଜନ ପ୍ରତିଟି ମ୍ୟାଚରେ ଟିମ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି ଏବଂ ଅଧିନାୟକ ଭାବେ ଆଗରେ ରହି ନେତୃତ୍ୱ ନେଇଛନ୍ତି । ଡାହାଣହାତୀ ବ୍ୟାଟର ସାର୍ଥକ ଡିପିଏଲ୍ ୨୦୨୬ରେ ୬୪, ୯୫, ୬୫, ୫୭, ୫୯, ୧୦, ୭୮, ୪୫ ଓ ୨୦ ରନ୍ ସ୍କୋର କରିଛନ୍ତି । ଅର୍ଥାତ୍ ସାର୍ଥକ ୯ଟି ପାଳିରେ ୪୯୩ ରନ୍ କରିଛନ୍ତି । ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୬୭.୬୯ ଏବଂ ଆଭରେଜ୍ ୫୪.୭୮ ରହିଥିଲା । ସାର୍ଥକ ଡିପିଏଲ ୨୦୨୬ରେ ମୋଟ ୩୩ଟି ଛକା ଓ ୪୪ଟି ଚୌକା ମାରିଛନ୍ତି ।

ଡିପିଏଲ୍ ୨୦୨୬ରେ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟରଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ସେଣ୍ଟ୍ରାଲ ଦିଲ୍ଲୀ କିଙ୍ଗସର ୟଶ ଧୁଲ୍ ଅଛନ୍ତି । ୟଶ ୯ଟି ମ୍ୟାଚରେ ୫୧.୨୫ ହାରରେ ୪୧୦ ରନ୍ କରିଛନ୍ତି । ୟଶଙ୍କ ଟିମ୍ ପ୍ଲେ-ଅଫ୍ରେ ପହଞ୍ଚିବାରେ ସଫଳ ହୋଇଛି । ହେଲେ ୟଶ ପ୍ଲେ-ଅଫ୍ ମ୍ୟାଚଗୁଡ଼ିକ ପାଇଁ ଉପଲବ୍ଧ ନାହାନ୍ତି, ଏଭଳି ପରିସ୍ଥିତିରେ ସେ ସାର୍ଥକ ରଞ୍ଜନଙ୍କୁ ପଛରେ ପକାଇ ପାରିବେ ନାହିଁ । ୟଶଙ୍କୁ ଦୁଲୀପ ଟ୍ରଫି ପାଇଁ ଇଷ୍ଟ ଜୋନ୍ ଟିମରେ ଚୟନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ସାର୍ଥକ ରଞ୍ଜନଙ୍କ ବାପା ପପୁ ଯାଦବ ବିହାରର ପୂର୍ଣ୍ଣିଆ ଲୋକସଭା ଆସନରୁ ସାଂସଦ ଅଛନ୍ତି । ପପୁ ଯାଦବ ମୋଟ ଉପରେ ଚତୁର୍ଥ ଥର ପାଇଁ ଏଠାରୁ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ସେ ଦୁଇଥର ମଧେପୁରା ଆସନରୁ ମଧ୍ୟ ଲୋକସଭା ସାଂସଦ ରହିସାରିଛନ୍ତି । ସାର୍ଥକଙ୍କ ମାଆ ରଞ୍ଜିତ ରଞ୍ଜନ ମଧ୍ୟ କଂଗ୍ରେସ ଟିକେଟରେ ରାଜ୍ୟସଭା ସାଂସଦ ଅଛନ୍ତି ।

ସାର୍ଥକ ରଞ୍ଜନ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସର ଅଂଶ ଅଛନ୍ତି । କିନ୍ତୁ ତାଙ୍କୁ ଗତ ସିଜିନରେ ଗୋଟିଏ ହେଲେ ମ୍ୟାଚରେ ସୁଯୋଗ ମିଳି ନ ଥିଲା । ଏବେ ସାର୍ଥକ ଆଇପିଏଲର ଆଗାମୀ ସିଜିନରେ ସୁଯୋଗ ପାଇବା ଅପେକ୍ଷାରେ ଅଛନ୍ତି ।