ବଲିଉଡ୍ ଅଭିନେତା ଅନୁପମ ଖେର ନିଜ ଅଭିନୟ ପାଇଁ ବେଶ୍ ପରିଚିତ। ଏବେ ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାମାୟଣ’ରେ ଜଟାୟୁଙ୍କ ଚରିତ୍ରକୁ ନିଜ ସ୍ୱର ଦେଇଛନ୍ତି ସେ। ଏହି ଚରିତ୍ରର ଭାବପ୍ରବଣ ଦିଗକୁ ଜୀବନ୍ତ କରିବା ପାଇଁ ତାଙ୍କୁ କେତେ ପରିଶ୍ରମ କରିବାକୁ ପଡ଼ିଥିଲା, ତାହା ନିକଟରେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି। ବିଶେଷକରି ଜଟାୟୁଙ୍କ ଶେଷ ସଂଳାପ ‘ହେ ରାମ’କୁ ଠିକ୍ ଭାବେ କହିବା ପାଇଁ ସେ ପ୍ରାୟ ୨୦୦ ଥର ଅଭ୍ୟାସ କରିଥିବା କହିଛନ୍ତି।

‘ଭାରାଇଟି’କୁ ଦେଇଥିବା ଏକ ସାକ୍ଷାତକାରରେ ଅନୁପମ ଖେର କହିଛନ୍ତି ଯେ, ଏହି ଚରିତ୍ରର ଡବିଂ ସମୟରେ ସେ ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ସହ ନିକଟରୁ କାମ କରିଥିଲେ। ସାଧାରଣ ଡବିଂଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ଅନୁଭୂତି ଥିଲା। କାରଣ ଏହି ଚରିତ୍ର ପାଇଁ ପୂର୍ବରୁ କୌଣସି ଅଭିନୟକୁ ଆଧାର କରି ସେ ସ୍ୱର ଦେଇପାରି ନଥିଲେ। ଅନ୍ୟପଟେ ନିର୍ଦ୍ଦେଶକଙ୍କ ମନରେ ଜଟାୟୁଙ୍କ ଚରିତ୍ରକୁ ନେଇ ଏକ ସ୍ପଷ୍ଟ ଭାବନା ଥିଲା।

ଜଟାୟୁ ଓ ପ୍ରଭୁ ଶ୍ରୀରାମଙ୍କ ମଧ୍ୟରେ ଥିବା ଭାବପୂର୍ଣ୍ଣ ସମ୍ପର୍କକୁ ଦର୍ଶକଙ୍କ ନିକଟରେ ଅତି ନିଖୁଣ ଭାବେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶକ ଚାହୁଁଥିଲେ। ବିଶେଷକରି ମାତା ସୀତାଙ୍କୁ ରାବଣ କବଳରୁ ରକ୍ଷା କରିବାକୁ ଯାଇ ଜଟାୟୁ ବିଫଳ ହେବା ଓ ମୃତ୍ୟୁଶଯ୍ୟାରେ ଶ୍ରୀରାମଙ୍କୁ ଶେଷ ବାର୍ତ୍ତା ଦେବାର ଦୃଶ୍ୟକୁ ଅତ୍ୟନ୍ତ ହୃଦୟସ୍ପର୍ଶୀ କରିବା ଥିଲା ନିର୍ଦ୍ଦେଶକଙ୍କ ଲକ୍ଷ୍ୟ।

ଏହି ଅନୁଭୂତି ବଖାଣି ଅନୁପମ କହିଛନ୍ତି, “ବିଶେଷକରି ଶେଷରେ ଥିବା ‘ହେ ରାମ’ ସଂଳାପ ପାଇଁ ମୁଁ ଅତି କମ୍ରେ ୨୦୦ ଥର ଚେଷ୍ଟା କରିଥିବି। ଏହା ଏକ ଛୋଟ ସଂଳାପ। ଆମେ ଏହାକୁ ଅନେକ ଥର ଶୁଣିଛୁ ଓ କହିଛୁ। କିନ୍ତୁ ସେହି ପରିସ୍ଥିତି ଅନୁଯାୟୀ ସ୍ୱର ଓ ଭାବନା ଠିକ୍ ରହିବା ଅତ୍ୟନ୍ତ ଜରୁରୀ ଥିଲା।” ସେ ଆହୁରି କହିଛନ୍ତି, “ଜଟାୟୁ ଜଣେ ସାହସୀ ପକ୍ଷୀ। ସେ ବୟସ୍କ, ମୃତ୍ୟୁ ସହ ସଂଘର୍ଷ କରୁଛି ଏବଂ ଏହାର ଠିକ୍ ପୂର୍ବରୁ ରାବଣ ସହ ଏକ ଭୟଙ୍କର ଯୁଦ୍ଧ କରିଛି। ଏଭଳି ଚରିତ୍ରକୁ ଜୀବନ୍ତ କରିବା ପାଇଁ ନିଜ ହୃଦୟ ଓ ଆତ୍ମାକୁ ଯୋଡ଼ିବାକୁ ପଡ଼େ।”

ALSO READ- ଦ୍ୱିତୀୟଥର ବିବାହ ବନ୍ଧନରେ ଆବଦ୍ଧ ହେଲେ ଟିଭି ଅଭିନେତା ନନ୍ଦିଶ ସିଂହ ସାନ୍ଧୁ, କବିତା ବାନାର୍ଜୀଙ୍କୁ କଲେ ଜୀବନସାଥୀ

ଚଳଚ୍ଚିତ୍ରରେ ଜଟାୟୁଙ୍କ ଚରିତ୍ରର ଭାବପ୍ରବଣ ପ୍ରଭାବ ବିଷୟରେ କହିବା ସମୟରେ ଅନୁପମ ଖେର ଏକ ରୋଚକ ଘଟଣା ମଧ୍ୟ ସେୟାର କରିଥିଲେ। ରାବଣ ଚରିତ୍ରରେ ଅଭିନୟ କରୁଥିବା ୟଶଙ୍କ ପୁଅ ଯଥର୍ବ ଚଳଚ୍ଚିତ୍ର ଦେଖିବା ପରେ ନିଜ ବାପାଙ୍କୁ ପଚାରିଥିଲେ, “ତୁମେ ଏହି ପକ୍ଷୀଟିକୁ କାହିଁକି ମାରିଦେଲ?”

ଏହି ଘଟଣା ଉଲ୍ଲେଖ କରି ଅନୁପମ କହିଥିଲେ ଯେ, ଜଟାୟୁଙ୍କ ଚରିତ୍ରର ଭାବନା କେବଳ ଯୁଦ୍ଧ ଦୃଶ୍ୟରେ ନୁହେଁ, ବରଂ ସମଗ୍ର ଚଳଚ୍ଚିତ୍ରରେ ଦର୍ଶକଙ୍କୁ ପ୍ରଭାବିତ କରିବ। ଜଣେ ଛୋଟ ପିଲାଙ୍କ ମନରେ ମଧ୍ୟ ଏହି ଚରିତ୍ର ଏତେ ଗଭୀର ପ୍ରଭାବ ପକାଇବା ହିଁ ଏକ ଭଲ ଚଳଚ୍ଚିତ୍ରର ସଫଳତା ବୋଲି ସେ ମତ ଦେଇଛନ୍ତି।

କେବେ ଆସିବ ‘ରାମାୟଣ’ର ଦ୍ୱିତୀୟ ଭାଗ?

ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ‘ରାମାୟଣ’ରେ ରଣବୀର କପୁର ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ, ସାଇ ପଲ୍ଲବୀ ମାତା ସୀତାଙ୍କ ଭୂମିକାରେ ଏବଂ ୟଶ ରାବଣଙ୍କ ଭୂମିକାରେ ନଜର ଆସୁଛନ୍ତି। ଅନୁପମ ଖେର ଜଟାୟୁଙ୍କ ଚରିତ୍ରକୁ ସ୍ୱର ଦେଇଛନ୍ତି। ଚଳଚ୍ଚିତ୍ରର ପ୍ରଥମ ଭାଗ ନଭେମ୍ବର ୫ରେ ମୁକ୍ତିଲାଭ କରିଛି। ଏହାର ଦ୍ୱିତୀୟ ଭାଗ ୨୦୨୮ରେ ପ୍ରେକ୍ଷାଳୟକୁ ଆସିବାର ଯୋଜନା ରହିଛି। ଜଟାୟୁଙ୍କ ବୀରତ୍ୱ, ତ୍ୟାଗ ଓ ପ୍ରଭୁ ଶ୍ରୀରାମଙ୍କ ପ୍ରତି ତାଙ୍କର ଭକ୍ତିକୁ ନିଜ ସ୍ୱର ମାଧ୍ୟମରେ ଜୀବନ୍ତ କରିବା ପାଇଁ ଅନୁପମ ଖେରଙ୍କ ଏହି ପରିଶ୍ରମ ଚଳଚ୍ଚିତ୍ରକୁ ନେଇ ଦର୍ଶକଙ୍କ ଉତ୍ସୁକତା ଆହୁରି ବଢ଼ାଇଛି।