ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍‌ ଯୁଦ୍ଧ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ରୁଷ ଆକ୍ରମଣର ପ୍ରତିଜବାବ ଦେଉଛି ୟୁକ୍ରେନ୍‌ । ବୁଧବାର ରାତିରେ ରୁଷରେ ବଡ଼ ଆକ୍ରମଣ କରିଛି କିଭ୍‌ । ଆଉ ଏହି ଆକ୍ରମଣରେ ରୁଷର ୬ଟି ଲଢ଼ୁଆ ବିମାନ ଧ୍ବଂସ କରିଛି ବୋଲି ଦାବି କରିଛି ୟୁକ୍ରେନ । ୟୁକ୍ରେନୀୟ ସେନା ଗୁରୁବାର ଦାବି କରିଛନ୍ତି ଯେ, ବୋରିସୋଗ୍ଲେବସ୍କ ଏୟାରଫିଲ୍ଡ ଉପରେ ଆକ୍ରମଣ ହୋଇଥିଲା । ଟେଲିଗ୍ରାମରେ ବାର୍ତ୍ତା ଜାରି କରି ୟୁକ୍ରେନ ସେନାର ଜେନେରାଲ୍‌ ଷ୍ଟାଫ କହିଛନ୍ତି, ଏହି ଆକ୍ରମଣରେ ଏୟାରଫିଲ୍ଡରେ ସମସ୍ତ ୬ଟି ଯୁଦ୍ଧ ବିମାନ ଧ୍ବଂସ ହୋଇଛି ।

ଏହି ଆକ୍ରମଣରେ ୟୁକ୍ରେନ ନିଜ ଦେଶରେ ତିଆରି ‘ନେପଚ୍ୟୁନ୍’ କୋଷ୍ଟାଲ୍ ମିସାଇଲ୍ ସିଷ୍ଟମ୍ ବ୍ୟବହାର କରିଥିବା ଜଣାପଡ଼ିଛି। କିଭ୍ ଇଣ୍ଟରନ୍ୟାସନାଲ୍ ଅନୁଯାୟୀ, ନେପଚ୍ୟୁନ୍ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭୂମି-ରୁ-ନିକ୍ଷେପ ହେଉଥିବା ଆଣ୍ଟି-ସିପ୍ କ୍ରୁଜ୍ ମିସାଇଲ୍ । ଏହା ଶହ ଶହ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ଅନ୍ୟପକ୍ଷରେ, ରୁଷିଆ ପକ୍ଷରୁ ଏହି ଆକ୍ରମଣ କିମ୍ବା ବିମାନ କ୍ଷତିଗ୍ରସ୍ତ ହେବା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।

ଧ୍ବଂସ ହୋଇଥିବା  Su-34M ବିମାନଗୁଡ଼ିକ ଅତ୍ୟନ୍ତ ମୂଲ୍ୟବାନ । ରୁଷିଆ ଏହି ବିମାନଗୁଡ଼ିକୁ ସୀମାନ୍ତବର୍ତ୍ତୀ ୟୁକ୍ରେନ ସହରଗୁଡ଼ିକ ଉପରେ ଗ୍ଲାଇଡ୍ ବୋମା ପକାଇବା ପାଇଁ ବ୍ୟବହାର କରିଆସୁଛି। ୟୁକ୍ରେନର ରାଜଧାନୀ କିଭ୍‌ ଏବଂ ଅନ୍ୟ ସହଗୁଡ଼ିକ ଉପରେ ରୁଷ ଆକ୍ରମଣ କରିବା ଦୁଇ ଦିନ ପରେ ୟୁକ୍ରେନୀୟ ସେନା ଏଭଳି ଦାବି କରିଛି । ମଙ୍ଗଳବାର ରାତିରେ ହୋଇଥିବା ଏହି ଆକ୍ରମଣରେ ରୁଷିଆ ୩୯ରୁ ଅଧିକ ବାଲିଷ୍ଟିକ୍ ମିସାଇଲ୍ ଏବଂ ୧୨୦ରୁ ଅଧିକ ଡ୍ରୋନ୍ ମାଡ଼ କରିଥିଲା । ଏନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଅଭିଯୋଗ କରିଥିଲେ । 

Also Read: ୟୁକ୍ରେନ ପାଇଁ ନୂଆ ରାଷ୍ଟ୍ରପତି ପାଇବାର ସମୟ ଆସିଯାଇଛି... ଟ୍ରମ୍ପଙ୍କ ଚାଞ୍ଚଲ୍ୟକର ମନ୍ତବ୍ୟ 

ରୁଷର ଏହି ଆକ୍ରମଣ ମୁଖ୍ୟତଃ କିଭ୍ ଏବଂ ଖାର୍କିଭର ଶକ୍ତି ଉତ୍ସ ଏବଂ ଗୁରୁତ୍ୱପୂର୍ଣ୍ଣ ମୌଳିକ ସଂରଚନା ଉପରେ ହୋଇଥିଲା । ଏହି ଆକ୍ରମଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ପ୍ରାୟ ୬,୦୦,୦୦୦ ଲୋକ ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇଥିଲେ। ଏହି ଭୟଙ୍କର ଆକ୍ରମଣ ପୂର୍ବରୁ ଆମରିକା ପକ୍ଷରୁ କୌଣସି ସତର୍କ ସୂଚନା ଦିଆଯାଇ ନଥିଲା ବୋଲି ଜେଲେନସ୍କି ଅଭିଯୋଗ ଆଣିଥିଲେ । ଏହାର ଦୁଇ ଦିନ ପରେ ୟୁକ୍ରେନ, ରୁଷର ଏୟାରଫିଲ୍ଡ ଉପରେ ଆକ୍ରମଣ କରିଛି ।