ନୂଆଦିଲ୍ଲୀ: ଦୀର୍ଘାୟୁ ହେବାକୁ ହେଲେ, ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ । ଅନେକ ସମୟରେ କୁହାଯାଏ, ଶାକାହାରୀଙ୍କ ଆୟୁଷ ଅଧିକ । କିନ୍ତୁ ଏବେ ଗବେଷଣାତ୍ମକ ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗବେଷକଙ୍କ ଅନୁସାରେ, ପ୍ରତିଦିନ ମାଂସ ଖାଉଥିବା ମହିଳାଙ୍କ ଆୟୁଷ ୧୦୦ ବର୍ଷ ହୋଇପାରେ । ଅର୍ଥାତ, ମାଂସାହାରୀ ମହିଳାଙ୍କ ଆୟୁଷ ଶାକାହାରୀ ମହିଳାଙ୍କ ଆୟୁଷ ତୁଳନାରେ ଖବ ଅଧିକ ହୋଇପାରେ । ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ନ୍ୟୁଟ୍ରିସନ୍’ରେ ପ୍ରକାଶିତ ଏହି ନୂତନ ଅଧ୍ୟୟନ ଅନୁସାରେ, ଶାକାହାରୀ ମହିଳାମାନଙ୍କ ତୁଳନାରେ  ମାଂସାହାରୀ ମହିଳାମାନଙ୍କର ୧୦୦ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚିବାର ସମ୍ଭାବନା ଅଧିକ। 

 କମ୍ ଓଜନ ବିଶିଷ୍ଟ ମହିଳାମାନଙ୍କ କ୍ଷେତ୍ରରେ ପ୍ରତିଦିନ ମାଂସ ଖାଇବା ଦ୍ୱାରା ୧୦୦ ବର୍ଷ ବା ତାଠାରୁ ଅଧିକ ବଞ୍ଚିବାର ସମ୍ଭାବନା ୪୪ ପ୍ରତିଶତ ଅଧିକ । ତେବେ ସାଧାରଣ ବା ଅଧିକ ଓଜନ ଥିବା ମହିଳାମାନଙ୍କ କ୍ଷେତ୍ରରେ ଏହିପରି କୌଣସି ପାର୍ଥକ୍ୟ ଦେଖାଯାଇ ନାହିଁ। ଚାଇନିଜ୍ ଲଙ୍ଗଜିଭିଟି ହେଲ୍‌ଦି ସର୍ଭେ ଦ୍ୱାରା ୮୦ ବର୍ଷରୁ ଅଧିକ ବୟସ୍କ ପ୍ରାୟ ୫,୦୦୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା । ବୃଦ୍ଧାବସ୍ଥାରେ ସ୍ୱାସ୍ଥ୍ୟକୁ ନେଇ କରାଯାଇଥିବା ବିଶ୍ୱର ସବୁଠାରୁ ବଡ଼ ସର୍ଭେ ମଧ୍ୟରୁ ଏହା ଗୋଟିଏ। 

ଏହି ସର୍ଭେରୁ ଜଣାପଡ଼ିଛି ଯେ, ପୁରୁଷମାନଙ୍କ କ୍ଷେତ୍ରରେ ନିରାମିଷ ଆହାର ଓ ଦୀର୍ଘାୟୁ ମଧ୍ୟରେ କୌଣସି ସ୍ପଷ୍ଟ ସମ୍ପର୍କ ନାହିଁ। କିନ୍ତୁ ମହିଳାମାନଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । କମ୍‌ ଶାରୀରିକ ଓଜନ ଥିବା ଶାକାହାରୀ ମହିଳାମାନେ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାର ସମ୍ଭାବନା କମ୍ ବୋଲି ଜଣାପଡ଼ିଛି । ଏହା ବ୍ୟତୀତ ଯେଉଁ ମହିଳା ନିଜ ଆହାରରେ ମାଛ, କ୍ଷୀର କିମ୍ବା ଅଣ୍ଡା ସାମିଲ କରୁଥିଲେ, ସେମାନଙ୍କର ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାର ସମ୍ଭାବନା ଥିବା ଜଣାପଡ଼ିଥିଲା ।

ବୟସ ବଢ଼ିବା ସହିତ ସୁସ୍ଥ ରହିବା ପାଇଁ ଶରୀରର ମାଂସପେଶୀ ସୁରକ୍ଷିତ ରଖିବା ଜରୁରୀ । ଏଥିପାଇଁ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ଆବଶ୍ୟକ। ବୃଦ୍ଧାବସ୍ଥାରେ ଶରୀରକୁ ସଠିକ୍ ପରିମାଣର ପୋଷକ ତତ୍ତ୍ୱ ମିଳିଲେ ହିଁ ମହିଳାମାନେ ଦୀର୍ଘାୟୁ ହୋଇପାରିବେ। ଫୁଦାନ୍ ବିଶ୍ୱବିଦ୍ୟାଳୟ, ଚାଇନିଜ୍ ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନ୍, ଏବଂ ଶାଂଘାଇ ଜିଆଓ ଟୋଙ୍ଗ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ୧,୪୫୯ ଜଣ ଶତାୟୁ ବ୍ୟକ୍ତି ଏବଂ ୮୦ ରୁ ୯୦ ବର୍ଷ ମଧ୍ୟରେ ଥିବା ୩,୭୪୪ ଜଣ ବ୍ୟକ୍ତିଙ୍କ ତଥ୍ୟକୁ ତୁଳନା କରିଥିଲେ। 

ବୟସ୍କ ଲୋକଙ୍କ ମଧ୍ୟରେ କମ୍ ଓଜନ ସମସ୍ୟା ଅଧିକ ଦେଖାଯାଉଥିବାରୁ ଦୀର୍ଘାୟୁ ହେବାରେ ବଡି ମାସ୍ ଇଣ୍ଡେକ୍ସ ବା BMI ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେବେ ଏହି ଫଳାଫଳକୁ ଅନ୍ୟ କେତେକ କାରଣ ମଧ୍ୟ ପ୍ରଭାବିତ କରିଥାଇପାରେ। ଏହି ଅଧ୍ୟୟନରେ ବ୍ୟକ୍ତିଙ୍କ ସାରା ଜୀବନର ଖାଦ୍ୟପେୟ ପରିବର୍ତ୍ତନକୁ ଧ୍ୟାନରେ ରଖାଯାଇ ନାହିଁ । କେବଳ ବୃଦ୍ଧାବସ୍ଥାରେ ସେମାନେ କ’ଣ ଖାଉଥିଲେ ତାହାକୁ ହିଁ ଦେଖାଯାଇଛି । ତେବେ ଖାଦ୍ୟରେ ବିବିଧତା ଓ ସନ୍ତୁଳନ ରହିବା ଅତ୍ୟନ୍ତ ଆବଶ୍ୟକ। ସେପଟେ ଶାକାହାର, ଉଦ୍ଭିଦ-ଆଧାରିତ ଖାଦ୍ୟ ଏବଂ କମ୍ ମାଂସ ଜାତୀୟ ଖାଦ୍ୟ ହୃଦ୍‌ରୋଗ, ଷ୍ଟ୍ରୋକ୍, ଟାଇପ୍-୨ ଡାଇବେଟିସ୍ ଓ ମୋଟାପଣ ଆଶଙ୍କା କମାଇଥାଏ । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ମାଂସ ଶରୀର ପାଇଁ ଖରାପ । ତେବେ ଚୀନର ଗବେଷକଙ୍କ ଏହି ତଥ୍ୟ ବିଶ୍ବର ସବୁ ମହିଳାଙ୍କ କ୍ଷେତ୍ରରେ ସମାନ ହୋଇନପାରେ ।