ପୁରୀ: ପୁରୀରେ ହଜିଗଲେ ମିଳିବା କଷ୍ଟ । ହଜି ଯାଉଥିବା ମହିଳା ଓ ଶିଶୁଙ୍କ କ୍ଷେତ୍ରରେ ଏଭଳି ତଥ୍ୟ ସାମ୍ନାକୁ ଆସିବା ଚିନ୍ତାର କାରଣ ହୋଇଛି । ପୋଲିସ ପାଖରେ ଅଭିଯୋଗ କରିବା ସତ୍ତ୍ୱେ ହଜି ଯାଉଥିବା ମହିଳା ଓ ଶିଶୁଙ୍କୁ ଚିହ୍ନଟ ଏବଂ ଉଦ୍ଧାର ପ୍ରକ୍ରିୟା ସଫଳ ହୋଇପାରୁନି । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି । ଗତ ୫ ବର୍ଷର ସରକାରୀ ତଥ୍ୟ ଦେଖିଲେ ପୋଲିସ କେତେ ବିଫଳ ତାହା ସ୍ପଷ୍ଟ ।

ରିପୋର୍ଟ ମୁତାବକ ୨୦୨୧ ମସିହାରେ ପୁରୀରେ ୫୫୯ ଜଣ ମହିଳା ନିଖୋଜ ଥିବା ବେଳେ ୨୦୨୬ ଜୁଲାଇ ଶେଷ ସୁଦ୍ଧା ୪୧୦ଙ୍କୁ ଚିହ୍ନଟ ଓ ଉଦ୍ଧାର କରାଯାଇପାରିଥିଲା । ସେହିପରି ଏହି ବର୍ଷ ୯୮ ଶିଶୁ ନିଖୋଜ ହୋଇଥିବା ବେଳେ ୨୦୨୬ ଜୁଲାଇ ଶେଷ ସୁଦ୍ଧା ୭୫ ଜଣଙ୍କୁ ଚିହ୍ନଟ ଓ ଉଦ୍ଧାର କରାଯାଇପାରିଥିଲା । ୮୪ ଯୁବତୀ ନିଖୋଜ ଥିବା ବେଳେ ୬୫ ଜଣଙ୍କୁ ଉଦ୍ଧାର କରାଯାଇପାରିଥିଲା ।

୨୦୨୨ ମସିହାରେ ୭୧୭ ନିଖୋଜ ମହିଳାଙ୍କ ମଧ୍ୟରୁ ୫୮୩ଙ୍କୁ, ୨୫୨ ଜଣ ଶିଶୁଙ୍କ ମଧ୍ୟରୁ ୨୨୧ଙ୍କୁ, ୨୩୮ ଜଣ ଯୁବତୀଙ୍କ ମଧ୍ୟରୁ ୨୦୮ଙ୍କୁ ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଧା ଚିହ୍ନଟ ଓ ଉଦ୍ଧାର କରାଯାଇପାରିଥିଲା । ୨୦୨୩ ମସିହାରେ ୪୫୯ ନିଖୋଜ ମହିଳାଙ୍କ ମଧ୍ୟରୁ ୩୦୩ଙ୍କୁ, ୩୫୨ ନିଖୋଜ ଶିଶୁଙ୍କ ମଧ୍ୟରୁ ୩୦୫ଙ୍କୁ ଓ ୩୨୨ ଜଣ ଯୁବତୀଙ୍କ ମଧ୍ୟରୁ ୨୭୯ଙ୍କୁ ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଧା ଉଦ୍ଧାର କରାଯାଇପାରିଥିଲା । ୨୦୨୪ରେ ନିଖୋଜ ୬୮୭ ନିଖୋଜ ମହିଳାଙ୍କ ମଧ୍ୟରୁ ୫୪୯ଙ୍କୁ, ୩୮୧ ନିଖୋଜ ଶିଶୁଙ୍କ ମଧ୍ୟରୁ ୨୬୯ଙ୍କୁ, ୩୪୦ ଜଣ ନିଖୋଜ ଯୁବତୀଙ୍କ ମଧ୍ୟରୁ ୨୫୦ଙ୍କୁ ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଧା ଚିହ୍ନଟ ଓ ଉଦ୍ଧାର କରାଯାଇପାରିଥିଲା । ୨୦୨୫ରେ ନିଖୋଜ ୮୩୦ ମହିଳାଙ୍କ ମଧ୍ୟରୁ ୪୨୬ ଜଣଙ୍କୁ, ୪୨୯ ନିଖୋଜ ଶିଶୁଙ୍କ ମଧ୍ୟରୁ ୨୯୭ଙ୍କୁ ଓ ୩୭୮ ଜଣ ଯୁବତୀଙ୍କ ମଧ୍ୟରୁ ୨୫୮ଙ୍କୁ ଚଳିତ ବର୍ଷ ଜୁଲାଇ ଶେଷ ସୁଦ୍ଧା ଉଦ୍ଧାର କରାଯାଇପାରିଛି ।

ଜିଲ୍ଲାରେ ମହିଳା ଓ ଶିଶୁ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ରାଜ୍ୟ ଗୃହ ବିଭାଗର ଏହି ତଥ୍ୟ ଏବେ ବୁଦ୍ଧିଜୀବୀ ମହଲରେ ଉଦ୍ବେଗର କାରଣ ହୋଇଛି । ପୁରୀକୁ ଆସୁଥିବା ବହୁ ମହିଳା ଓ ଶିଶୁ ପର୍ଯ୍ୟଟକ ନିଖୋଜ ହେଉଥିବା ବେଳେ ସେମାନଙ୍କ ପତ୍ତା ମିଳୁନି । ନିଖୋଜ ଶିଶୁ ଓ ମହିଳାଙ୍କୁ ଠାବ କରିବା ଏବଂ ଉଦ୍ଧାର କରିବା ନିମନ୍ତେ ପୋଲିସ ପ୍ରଶାସନର ସ୍ୱତନ୍ତ୍ର ୟୁନିଟ୍ କାମ କରୁଥିଲେ ହେଁ ଏବାବଦରେ ଉଲ୍ଲେଖନୀୟ ସଫଳତା ମିଳୁନି । ପୁରୀ ଜିଲ୍ଲାର ବିଶାଳ ପର୍ଯ୍ୟଟନ ଭିତ୍ତିଭୂମି ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିବା ବେଳେ ଏଠାରେ ମହିଳା ଓ ଶିଶୁଙ୍କ ସୁରକ୍ଷା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ନିକଟରେ ଚନ୍ଦନପୁର ଥାନା ଅନ୍ତର୍ଗତ କାଳିଆକେରା ନଦୀ ପଠାରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଥିଲା । ହେଲେ ଏପର୍ଯ୍ୟନ୍ତ ଏହି ମହିଳାଙ୍କ ପରିଚୟ ସ୍ପଷ୍ଟ ହୋଇପାରିଲା ନାହିଁ । ସେହିପରି ବହୁ ବର୍ଷ ତଳେ ନରେନ୍ଦ୍ରରୁ ନରକଙ୍କାଳପୂର୍ଣ୍ଣ ଥିବା ବାକ୍ସ ମିଳିବା ଘଟଣାରେ ଅଦ୍ୟାବଧି ପୋଲିସ ନିରବ । ଗତ ରଥଯାତ୍ରା ବେଳେ ବାଟଗାଁ ଛକ ନିକଟ ରାସ୍ତା ପାର୍ଶ୍ୱରୁ ଜଣେ ବ୍ୟକ୍ତିଙ୍କ ନରକଙ୍କାଳ ମିଳିଥିଲା । ସେ ବ୍ୟକ୍ତି କିଏ ଏପର୍ଯ୍ୟନ୍ତ ପୋଲିସ ସ୍ପଷ୍ଟ କରିପାରିନି । ସେହିପରି କିଛି ବର୍ଷ ତଳେ ବଡ଼ଦାଣ୍ଡରେ ଜଣେ ଉଠାଦୋକାନୀ ମହିଳାଙ୍କ ନିକଟରୁ ତାଙ୍କ ଅନ୍ୟମନସ୍କତାରେ ଶିଶୁ ନିଖୋଜ ହେବା ମାମଲାରେ ପୋଲିସ ଏପର୍ଯ୍ୟନ୍ତ ସଫଳତା ପାଇପାରିନି । ତଦନ୍ତର ଆଧୁନିକ ଜ୍ଞାନକୌଶଳ ଥିବା ସତ୍ତ୍ୱେ ପୋଲିସ ଅନେକ ମାମଲାରେ ସଫଳତା ପାଇପାରୁନି । ଯାହା ବିଭାଗୀୟ ଦାୟିତ୍ଵ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।