ନୂଆଦିଲ୍ଲୀ, ୨୪/୦୮ : ସାଉଦି ଆରବ ଏବଂ ତୁର୍କୀ ସହ ପ୍ରତିରକ୍ଷା ଚୁକ୍ତି ଆଳରେ ପାକିସ୍ତାନ ନିଜର ଅସ୍ତ୍ର ଭଣ୍ଡାର ଭର୍ତ୍ତି କରୁଛି। ଗତ ୧୯ରୁ ୨୧ ତାରିଖ ମଧ୍ୟରେ ପ୍ରାୟ ୬୦ ଘଣ୍ଟାରେ ପାକିସ୍ତାନର ଅଲଗା ଅଲଗା ଏୟାରବେସରେ ତୁର୍କୀରୁ ଡଜନ ଡଜନ ସେନା ବିମାନ ଲ୍ୟାଣ୍ଡିଂ ଏବଂ ଟେକ୍ଅଫ୍ କରିଛି। ଏଥିରେ ସି-୧୩୦ ସୈନ୍ୟ ପରିବହନ ବିମାନ ଏବଂ ଏ- ୪୦୦ଏମ୍ ଜମ୍ବୋ ସେନା ବିମାନ ଅନ୍ତର୍ଭୂକ୍ତ।

ରାୱଲପିଣ୍ଡିର ନୂରଖାନ ଏବଂ କରାଚିର ମରୁର ଏୟାରବେସରେ ତୁର୍କୀର ସି-୧୩୦ ବିମାନଗୁଡ଼ିକର ଲଗାତର ତୁର୍କୀରୁ ପାକିସ୍ତାନ ଉଡ଼ାଣ ଭରିଛି। ସେହିପରି ଏ-୪୦୦- ଏମ୍ ବିମାନ ମୁରିଦ୍ ଏୟାରବେସ୍ରେ ପହଞ୍ଚିଛି। ଏହି ବିମାନ ଦ୍ବାରା ତୁର୍କୀରୁ ବହୁମାତ୍ରାରେ ଡ୍ରୋନ୍ ପାକିସ୍ତାନକୁ ଅଣାଯାଇଛି। ଡ୍ରୋନ୍ ସପ୍ଲାଏ ରାତିରେ କରାଯାଇଛି, ଯାହାଫଳରେ ସାଟେଲାଇଟ ଟ୍ରାକିଂରୁ ଗତିବିଧି ଲୁଚାଯାଇପାରିବ। ତୁର୍କୀରୁ ପହଞ୍ଚିଥିବା ଡ୍ରୋନ୍ ଗୁଡ଼ିକୁ ବହାବଲପୁର ଏବଂ ରାୱଲପିଣ୍ଡିର ମିଲିଟାରୀ ଷ୍ଟୋରେଜ ଫାସିଲିଟିରେ ରଖାଯାଇଛି।

ରିପୋର୍ଟ ଅନୁସାରେ, ପାକିସ୍ତାନକୁ ତୁର୍କୀ ଅତ୍ୟାଧୁନିକ ଡ୍ରୋନ, ମିସାଇଲ ଏବଂ ଅନ୍ୟ ପ୍ରତିରକ୍ଷା ଉପକରଣ ଯୋଗାଇଛି। ସେଥିରେ ଏଆଇ-ଗାଇଡେଡ୍ କେମାଙ୍କେ କ୍ରୁଜ୍ ମିସାଇଲ, ବାୟରକାର ଟିବି୨ ଏବଂ ଅଙ୍କିସି ଡ୍ରୋନ ଆଦି ରହିଛି। ରୁଷ୍ ବିରୋଧରେ ୟୁକ୍ରେନ୍ ଦ୍ଵାରା ବାୟରକାରର ସଫଳତା ଅନ୍ତର୍ଜାତୀୟ ସ୍ତରରେ ସଭିଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଏହା ବ୍ୟତୀତ ତୁର୍କୀ ପାକିସ୍ତାନକୁ ଏଫ୍-୧୬ ଯୁଦ୍ଧ ବିମାନକୁ ଅପଗ୍ରେଡ କରିବାରେ ସହାୟତା କରିଛି।

ମକ୍କାରେ ହୋଇଥିବା ପ୍ରତିରକ୍ଷା ଚୁକ୍ତି ବେଳେ ପାକିସ୍ତାନର ସେନା ମୁଖ୍ୟ ଅସିମ ମୁନିର ତୁର୍କୀ ରାଷ୍ଟ୍ରପତିଙ୍କୁ ଡ୍ରୋନ୍ ଯୋଗାଣ କରିବାକୁ କହିଥିଲେ। ଅପରେସନ ସିନ୍ଦୂର ବେଳେ ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଚୀନରୁ ପାକିସ୍ତାନକୁ ଜେ-ସିରିଜ୍ର ଯୁଦ୍ଧବିମାନ ପର୍ଯ୍ୟାପ୍ତ ସଂଖ୍ୟାରେ ମିଳି ସାରିଥିଲା। କିନ୍ତୁ ପାକିସ୍ତାନର ଡ୍ରୋନ୍ ସଂଖ୍ୟା ହ୍ରାସ ପାଇଥିଲା। ସେହିପରି ପାକିସ୍ତାନ ଡ୍ରୋନ୍ ସମେତ ଏକ ଏନ୍ କ୍ୟୁ - ସିରିଜ ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ ପାଇଥାଇପାରେ ବୋଲି କୁହାଯାଇଛି।

Also Read :- ଗୁପଚୁପ୍ ଖାଇଲା ମାଙ୍କଡ, ବାକ୍ସ ଉପରେ ହିଁ ଶୋଇ ପଡିଲା ! ହନୁର ନୂଆ ରୂପ ଏବେ ଚର୍ଚ୍ଚାରେ

ପାକିସ୍ତାନ ନିଜର ଚାଳକବିହୀନ ଯୁଦ୍ଧ କ୍ଷମତାକୁ ଦ୍ରୁତଗତିରେ ବୃଦ୍ଧି କରିବାକୁ ଚାହୁଁଛି। ପାକିସ୍ତାନର ବ୍ୟାପକ ସାମରିକ ଆଧୁନିକୀକରଣର ଅଂଶବିଶେଷ ଭାବେ ଡ୍ରୋନକୁ ଅତ୍ୟଧୂକ ଗୁରୁତ୍ବ ଦିଆଯାଉଛି। ପାକିସ୍ତାନ ପୂର୍ବରୁ ମଧ୍ୟ ପଶ୍ଚିମ ସୀମାରେ ନଜର ରଖିବା ଏବଂ ଆକ୍ରମଣ ଅଭିଯାନ ପାଇଁ ତୁର୍କୀ ଡ୍ରୋନ୍ ବ୍ୟବହାର କରୁଛି। ଅଧିକ ସମୟ ଉଡ଼ିପାରୁଥିବା ୟୁଏଭି, ଲୋଇଟରିଂ ମ୍ୟୁନିସନ୍ ସିଷ୍ଟମ ସାମିଲ କରିବାକୁ ମଧ୍ୟ ପାକିସ୍ତାନ ଚେଷ୍ଟା କରୁଛି। ଡ୍ରୋନକୁ ଭାରତ ବିରୋଧରେ ବ୍ୟବହାର କରିବା ସହ ବଲୁଚିସ୍ତାନ ଭଳି ବିଦ୍ରୋହୀ ଅଞ୍ଚଳରେ ମୁନିର ଏହି ଅତ୍ୟାଧୁନିକ ସାମରିକ ଉପକରଣ ବ୍ୟବହାର କରିବା ଲକ୍ଷ୍ୟରେ ଅଛନ୍ତି। ଖୁବ୍ ଶୀଘ୍ର ପାକିସ୍ତାନ ସେନା ବଲୁଚିସ୍ତାନରେ ବିଦ୍ରୋହୀଙ୍କୁ କାବୁ କରିବା ପାଇଁ ବଡ଼ ଧରଣର ଅଭିଯାନ ଆରମ୍ଭ କରିପାରେ ବୋଲି ମଧ୍ଯ ରିପୋର୍ଟ ପ୍ରକାଶ ପାଇଛି ।