ପାଟନା: ବିହାରର ମୋକମା ବିଧାୟକୁ ଅନନ୍ତ କୁମାର ସିଂହଙ୍କ ଅଡ଼ୁଆ ପୁଣି ବଢ଼ିଛି । ଦୁଲାରଚାନ୍ଦ ଯାଦବ ହତ୍ୟା ମାମଲାରେ ପାଟନା ହାଇକୋର୍ଟଙ୍କ ଦ୍ୱାରା ତାଙ୍କୁ ମିଳିଥିବା ଜାମିନକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଷ୍ଟିସ ଏମ୍.ଏମ୍. ସୁନ୍ଦରେଶ ଏବଂ ଜଷ୍ଟିସ ପି.ଭି. ବରାଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନନ୍ତ ସିଂହଙ୍କୁ ଆସନ୍ତା ଡିସେମ୍ବର ୧ ତାରିଖ ସୁଦ୍ଧା କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ଅନନ୍ତ ସିଂହଙ୍କ ନାମରେ ଥିବା ଦୀର୍ଘ ଅପରାଧିକ ରେକର୍ଡକୁ ପାଟନା ହାଇକୋର୍ଟ ଗୁରୁତ୍ୱ ନଦେଇ ଜାମିନ ପ୍ରଦାନ କରିଥିଲେ।

ଏହା ପୂର୍ବରୁ ଅନନ୍ତ ସିଂହ ଏବଂ ତାଙ୍କ ପତ୍ନୀଙ୍କୁ ଜେଡିୟୁ ୬ ବର୍ଷ ପର୍ଯ୍ୟନ୍ତ ଦଳରୁ ବହିଷ୍କାର କରିଥିଲା । ଏହାକୁ ବିରୋଧ କରି ଅନନ୍ତ ସିଂହ ନୂଆ ଦଳ ଗଠନ କରିବେ ବୋଲି ଘୋଷଣା କରିଥିଲେ । କିନ୍ତୁ ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କୁ ବଡ଼ ଝଟକା ଦେଇଛନ୍ତି । ତାଙ୍କର ଜାମିନ ରଦ୍ଦ ହୋଇଥିବା ବେଳେ ସେ ପୁଣି ଥରେ ଜେଲ୍‌ ଯାଇପାରନ୍ତି ।

ପାଟନା ଗ୍ରାଜୁଏଟ୍ ବିଧାନ ପରିଷଦ ନିର୍ବାଚନରେ ଜେଡିୟୁର ପ୍ରାର୍ଥୀ ନୀରଜ କୁମାରଙ୍କ ବିପକ୍ଷରେ ଅନନ୍ତ ସିଂହ ଜନ ସୁରାଜ ଦଳର ପ୍ରାର୍ଥୀ ଅନୁଜ କୁମାର ସିଂହଙ୍କୁ ସମର୍ଥନ କରିଥିଲେ। ସେ ନିଜ ସମର୍ଥକଙ୍କୁ ବିପକ୍ଷ ପ୍ରାର୍ଥୀଙ୍କ ପ୍ରଚାରରେ ନିୟୋଜିତ କରିବା ସହ ଦଳର ଶୀର୍ଷ ନେତୃତ୍ୱଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିଲେ ଏବଂ ଦଳ ପରିଚାଳନା ଉପରେ ପ୍ରଶ୍ନ ଉଠାଇଥିବା ନେଇ ଅଭିଯୋଗ ହୋଇଥିଲା।

ଦଳରୁ ବହିଷ୍କୃତ ହେବା ପରେ ଅନନ୍ତ ସିଂହଙ୍କ ପତ୍ନୀ ନୀଲମ ଦେବୀଙ୍କୁ ମଧ୍ୟ ରାଜ୍ୟସ୍ତରୀୟ କମିଟିରୁ ହଟାଇ ଦିଆଯାଇଛି । ଏହା ପରେ ଅକ୍ଟୋବର ୨୬, ୨୦୨୬ରେ ନିର୍ମାଣ ବିଭାଗ ତାଙ୍କୁ ପାଟନାର ମଲ୍ ରୋଡ୍‌ରେ ଥିବା ବଙ୍ଗଳା ଖାଲି କରିବାକୁ ନୋଟିସ୍ ଜାରି କରିଥିଲା। ଅନ୍ୟପଟେ, ଜେଡିୟୁ ରାଜ୍ୟ ସଭାପତି ଉମେଶ ସିଂହ କୁଶୱାହା ଦଳବଦଳ ବିରୋଧୀ ଆଇନ ଅଧୀନରେ ଅନନ୍ତ ସିଂହଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ବିଧାନସଭା ବାଚସ୍ପତି ପ୍ରେମ କୁମାରଙ୍କ ନିକଟରେ ପିଟିସନ ଦାଖଲ କରିଛନ୍ତି।

ଦୁଲାରଚାନ୍ଦ ଯାଦବ ହତ୍ୟାକାଣ୍ଡ
୨୦୨୫ ଅକ୍ଟୋବର ୩୦ ତାରିଖରେ ନିର୍ବାଚନ ପ୍ରଚାର ଚାଲିଥିବା ସମୟରେ ମୋକମା ଅଞ୍ଚଳରେ ଦୁଲାରଚାନ୍ଦ ଯାଦବଙ୍କ ହତ୍ୟା କରାଯାଇଥିଲା। ଦୁଲାରଚାନ୍ଦ ଜନ ସୁରାଜ ପାର୍ଟିର ପ୍ରାର୍ଥୀ ପୀୟୂଷ ପ୍ରିୟଦର୍ଶୀଙ୍କୁ ସମର୍ଥନ କରୁଥିଲେ । ସେହି ଦିନ ତାଙ୍କ ସମର୍ଥକ ଓ ଅନନ୍ତ ସିଂହଙ୍କ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ହୋଇଥିଲା। ଅନନ୍ତ ସିଂହ ଏବଂ ତାଙ୍କ ସହଯୋଗୀମାନେ ଦୁଲାରଚାନ୍ଦଙ୍କୁ ଗାଡ଼ିରୁ ଟାଣି ଆଣି ଗୋଡ଼କୁ ଗୁଳି କରିଥିଲେ ଏବଂ ନିର୍ଘାତ ମାଡ଼ ମାରିଥିଲେ । ଶେଷରେ ତାଙ୍କ ଉପରେ ଏସୟୁଭି ଚଢ଼ାଇ ଦେଇଥିଲେ। କିନ୍ତୁ ଏହି ଅଭିଯୋଗକୁ ଅନନ୍ତ ସିଂହ ଅସ୍ବୀକାର କରିଆସିଛନ୍ତି ।