ଭୁବନେଶ୍ୱର, ୨୩/୦୯ : ଓଡ଼ିଶାରେ ୫ ଓରାଙ୍ଗଉଟାନ୍ ଶାବକ ଉଦ୍ଧାର ଘଟଣାକୁ ଅଧା ମାସ ପୂରିଲା। କ୍ରାଇମ୍ବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ( ଏସଟିଏଫ୍) କି ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ (ଡବଲୁସିସିବି) କଳବଳ କୌଶଳ ଲଗାଇଦେଲେ। ହେଲେ ବନ୍ୟଜନ୍ତୁ ତସ୍କରର ତଦନ୍ତ ଅଧା ବାଟ ବି ଆଗେଇ ପାରିଲାନି। ଓଡ଼ିଶା-ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଇଲାକା ଯୋଗୁ ତଦନ୍ତ ଫେଲ ମାରିଛି। ମାଷ୍ଟରମାଇଣ୍ଡ କୁହାଯାଉଥିବା ବାପା-ପୁଅ କି ରହସ୍ୟମୟ ଥର ଗାଡ଼ିକୁ ଛୁଇଁପାରିନାହାନ୍ତି ସଂସ୍ତା ।

Also Read :- ଗଭୀର ଅବପାତ ନୁହେଁ ବାତ୍ୟା ହେବ ! ବିଦେଶୀ ମଡେଲରେ ଓଡ଼ିଶାକୁ ବିପଦ, ଭୟରେ ଉପକୂଳବାସୀ

ଟାଓ୍ବାର ଡମ୍ପିଂରୁ ମିଳିଥିବା ଡାଟା ଆଧାରରେ ଚାଲାଣକାରୀମାନଙ୍କ ଠିକଣା ଓ ପରିଚୟ ପାଇବାକୁ ଆଶା ରଖିଥିଲା ଏସ୍ଟିଏଫ୍ । ବାଲେଶ୍ବର ଭୋଗରାଈ ବ୍ଲକ କାନ୍ଦିଭଉଁରୀ ପଞ୍ଚାୟତ ଅଧୀନ ବଡ଼ପାହିଠାରୁ ପଶ୍ଚିମବଙ୍ଗ ସୀମାର ଦୂରତା ମାତ୍ର ୧୪ କିମି। ଚନ୍ଦନେଶ୍ଵର-ଭୂଷଣ୍ଡେଶ୍ଵର ରାସ୍ତାର ୧୪ କିମି ମଧ୍ୟରେ ଗତ ୭ ତାରିଖ ରାତିରେ ପ୍ରାୟ ୧୦ ହଜାରରୁ ଅଧିକ ମୋବାଇଲ ସକ୍ରିୟ ଥିଲା। ଉଦ୍ଧାରସ୍ଥଳ ଆଖପାଖରେ ଅତିକମରେ ଦେଢ଼ ହଜାରରୁ ଅଧିକ ମୋବାଇଲ୍ ଫୋନ୍ ଲୋକେସନ ଟ୍ରାକ୍ କରାଯାଇଥିଲା।

ଏସ୍.ଟି ଏଫ୍ ର ତଦନ୍ତକାରୀ ଅଧିକାରୀମାନେ ସନ୍ଦେହରେ କିଛି ମୋବାଇଲ ଫୋନ୍ ମାଲିକଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନଙ୍କଠାରୁ ଠୋସ୍ ତଥ୍ୟ ମିଳିଲାନି କାହିଁକି ନା, ସେମାନଙ୍କ ଘର ପଶ୍ଚିମବଙ୍ଗରେ । ସେମାନେ ୧୭ ତାରିଖରେ ନିଜ ଘର ଆଖପାଖରେ ଥିଲେ । କିନ୍ତୁ ସେମାନଙ୍କ ମୋବାଇଲର ଲୋକେସନ ଭୋଗରାଈ ଅଞ୍ଚଳରେ ଦେଖାଉଥିବା ଜାଣିବାକୁ ପାଇଥିଲା ଏସଟିଏଫ୍। ସମାନ ଅଞ୍ଚଳରେ ୨ ରାଜ୍ୟର ମୋବାଇଲ୍ ଟାଓ୍ବାର ନେଟୱର୍କ ଦେଖାଉଥିବାରୁ ଏହି ସମସ୍ୟା ଉପୁଜିଥିବା ଏସଟିଏଫ୍ ସୂଚନା ଦେଇଛି।

ଟାଓ୍ବାର ଡମିଂରୁ କିଛି ଠୋସ୍ ତଥ୍ୟ ନ ମିଳିବାରୁ ୩୦୦ରୁ ଅଧିକ ସିସି କ୍ୟାମେରା ଫୁଟେଜ୍ କୁ ଅଣ୍ଡାଳିଛି ଏସଟିଏଫ୍। ସେଥିରୁ ଥର ଗାଡ଼ି (ଡବଲୁବି-୫୬ଟି-୦୩୩୩)ର ପତ୍ତା ମିଳିଲା । ଓଡ଼ିଶା ସୀମା ଠାରୁ ମାତ୍ର ୨କିମି ଦୂର ନ୍ୟୁ ଦୀଘାସ୍ଥିତ ହୋଟେଲ ଦି ଗ୍ରାଣ୍ଡ ହେରିଟେଜ୍ ସାମ୍ନାରେ ଏକ ଧଳା କାରରୁ ଏହି ଥର୍ ଗାଡ଼ିକୁ ଓରାଙ୍ଗଉଟାନ୍ ଶାବକ ଅଣାଯାଇଥିବା ସ୍ପଷ୍ଟ ହୋଇଥିଲା । ୩ ଦିନ ପରେ ଏସଟିଏଫ ଟିମ୍ ହୋଟେଲରେ ପହଞ୍ଚିବା ବେଳକୁ ଗାଡ଼ି ମାଲିକ ତଥା ଚୋରା ଚାଲାଣକାରୀ ଗ୍ୟାକେଟର ମାଷ୍ଟରମାଇଣ୍ଡ ବାପା-ପୁଅ ଛୁ ମାରିଥିଲେ। ପଶ୍ଚିମବଙ୍ଗ ହାୱଡ଼ା ଅଞ୍ଚଳର ଜି ମାଇତି ଏବଂ ତାଙ୍କ ପୁଅ ସୌମ୍ୟ ଦୀପଙ୍କ ମୋବାଇଲର ଶେଷ ଲୋକେସନ ନେପାଳ ସୀମାରେ ଦେଖାଇଥିବା ଏସଟିଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ବାପା-ପୁଅ ନେପାଳରେ ଲୁଚିଥିବା ଆପାତତଃ ସ୍ପଷ୍ଟ ହୋଇଛି।

ଅଧମାସ ପରେ ବି ତଦନ୍ତକାରୀ ଟିମର ହାତ ଖାଲିକୁ ନେଇ ବର୍ଷିଛନ୍ତି ଭୋଗରାଈ ବିଧାୟକ ଗୌତମବୁଦ୍ଧ ଦାସ । ସେ କହିଛନ୍ତି, ଦୀର୍ଘ ଦିନ ଧରି ବ୍ରାଉନସୁଗର ଭଳି ମାରାତ୍ମକ ଡ୍ରଗ୍ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ବାଲେଶ୍ଵର ରୁଟ୍ ଦେଇ ଓଡ଼ିଶାକୁ ଆସୁଛି। ଏବେ ଏହି ରୁଟରେ ବିରଳ ବନ୍ୟଜନ୍ତୁ ଚାଲାଣ ହେଲାଣି। ଏହି ଚୋରାଚାଲାଣରେ ଶାସକ ଦଳର କେହି ନେତା କି ସମର୍ଥକ ସମ୍ପୃକ୍ତି ଥିବା ଅନୁମାନ କରୁଛି। ଯେଉଁଥିପାଇଁ ତଦନ୍ତକାରୀ ଟିମ୍ ଜାଣିଶୁଣି ତଦନ୍ତକୁ ବାଟବଣା କରୁଛି। ସେପଟେ ନନ୍ଦନକାନନରେ ଶାବକଗୁଡ଼ିକଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଅଛି । ଏମସରୁ ଆସିଥିବା ଏକ ବିଶେଷଜ୍ଞ ଦଳର ତତ୍ତ୍ଵାବଧାନରେ ଏମାନଙ୍କ ଖାଦ୍ୟପେୟ ବ୍ୟବସ୍ଥା କରାଯାଇଛି।