ଭୁବନେଶ୍ୱର, ୨୩/୦୯ : ବାତ୍ୟାର ରୂପ ନେଲା ଗଭୀର ଅବପାତ । ଏବେ ଆହୁରି ଶକ୍ତିଶାଳୀ ହେବ । ପବନରେ ଭାଙ୍ଗିବ ସବୁ କିଛି । ବର୍ଷାରେ ଭସାଇବ । ଏପରି କିଛି ଜଣା ପଡିଛି ଜୁମ୍ ଡଟ୍ ଆର୍ଥର ମଡେଲରୁ । ଆମେରିକାର ଜଏଣ୍ଟ୍ ଟାଇଫୁନ୍ ଓ୍ୱାର୍ଣ୍ଣିଂ ସିଷ୍ଟମ୍ ମଧ୍ୟ ସମାନ ମଡେଲ୍ ଦେଖାଇଛି ।

ରିପୋର୍ଟ ଅନୁସାରେ, ରାଜ୍ୟରେ ବର୍ଷା ବଢ଼ିବାରେ ଲାଗିଛି । ଆସନ୍ତା ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି। ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ରହିବ ଦକ୍ଷିଣ ଓଡ଼ିଶାରେ। ଉପକୂଳ, ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳ ବି ଲଗାଣ ବର୍ଷାକୁ ସାମ୍ନା କରିବ। ଦକ୍ଷିଣ ଓଡ଼ିଶାରେ ପବନ ବେଗ ୫୦-୬୦ କିମି ଛୁଇଁପାରେ। ବର୍ଷାକୁ ଦୃଷ୍ଟିରେ ରଖି ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର, ଗଜପତି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ବଲାଙ୍ଗିର, ନୟାଗଡ଼ ଜିଲ୍ଲାରେ ୨୪ ତାରିଖ ପର୍ଯ୍ୟନ୍ତ ଓ ମାଲକାନଗିରିରେ ୨୫ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି।

Also Read :- ଆଜି ରାତିରେ ଲ୍ୟାଣ୍ଡଫଲ୍, ପ୍ରବଳ ବର୍ଷା-ପବନ ପାଇଁ ଆଲର୍ଟ : ଏହି ସବୁ ଜାଗାରେ ବେଶି ବିପଦ !

ବଙ୍ଗୋପସାଗରରେ ଗଭୀର ଅବପାତ ସୃଷ୍ଟି ହୋଇସାରିଛି। ସନ୍ଧ୍ୟା ସୁଦ୍ଧା ଏହା ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୧୫୦ କିମି, ପୁରୀଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୨୧୦ କିମି ଦୂରରେ ରହିଛି। କଳିଙ୍ଗପଟ୍ଟନମରୁ ପୂର୍ବ-ଦକ୍ଷିଣ ପୂର୍ବରେ ୧୪୦ କିମି ଏବଂ ବିଶାଖାପାଟଣାର ପୂର୍ବରେ ୨୨୦ କିମି ଦୂରରେ ରହିଛି। ପାଣିପାଗ ବିଭାଗ ପୂର୍ବାନୁମାନ- ବିଳମ୍ବିତ ରାତିରେ ଗଭୀର ଅବପାତ ବିଶାଖାପାଟଣା-ଗୋପାଳପୁର ମଝିରେ ସ୍ଥଳଭାଗ ଛୁଇଁପାରେ। ଶ୍ରୀକାକୁଲମ ନିକଟରେ ଏହା ସ୍ଥଳଭାଗକୁ ପ୍ରବେଶ କରିବା ସମ୍ଭାବନା ଅଛି। ସେତେବେଳକୁ ଏହା ପ୍ରଭାବରେ ୫୫-୬୫ କିମି ବେଗରେ ପବନ ବହିପାରେ। ପବନ ଝଟକା ୭୫ କିମି ବେଗ ଛୁଇଁପାରେ।

ସମ୍ଭାବ୍ୟ ଗତିପଥରୁ ଅନୁମାନ କରାଯାଉଛି, ଏହା ଦୀର୍ଘ ସମୟ ଧରି ଗଭୀର ଅବପାତ ଅବସ୍ଥାରେ ରହିବ। ସ୍ଥଳଭାଗ ଛୁଇଁବା ପରେ ଦିଗ ବଦଳାଇ ପାର୍ବତୀପୁରମ ନିକଟରେ ଘଷି ହୋଇ କୋରାପୁଟ ଆଡ଼କୁ ମୁହାଁଇବ। ୨୪ ତାରିଖ (ଗୁରୁବାର) ସନ୍ଧ୍ୟାବେଳକୁ ନାରାୟଣପାଟଣାରେ ଗଭୀର ଅବପାତ ଥିବା ଅନୁମାନ କରାଯାଉଛି ।

ବିଦେଶୀ ପାଣିପାଗ ମଡେଲରେ ଅଲଗା କଥା

ବିଦେଶୀ ପାଣିପାଗ ମଡେଲ ଜୁମ୍ ଡଟ୍ ଆର୍ଥକୁ ଦେଖିଲେ ସେ ମଧ୍ୟ ଗଭୀର ଅବପାତ ବାବଦରେ ମଡେଲ୍ ଦେଉଛି । କିନ୍ତୁ ଏଥିରେ ସାଇକ୍ଲୋନିକ୍ ଷ୍ଟର୍ମ ଲେଖାଯାଇଛି । ଅର୍ଥାତ ଏହା ଡିପ୍ ଡିପ୍ରେସନ୍ କିମ୍ବା ଗଭୀର ଅବପାତ ନୁହେଁ । ଜୁମ୍ ଡଟ୍ ଆର୍ଥ ଅନୁସାରେ ଏହା ସାଉଇକ୍ଲୋନିକ୍ ଷ୍ଟର୍ମ । ଅର୍ଥାତ ବାତ୍ୟା ।

ଜୁମ୍ ଡଟ୍ ଆର୍ଥର ମଡେଲ ଅନୁସାରେ, ଏବେ ଗଭୀର ଅବପାତ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇଛି । ଘଣ୍ଟା ପ୍ରତି ଏହାର ପ୍ରଭାବରେ ପବନର ବେଗ ୭୫ କିମି ଉପରେ ରହିବ । ଏହା ଧିରେ ଧିରେ ସ୍ଥଳଭାଗ ଆଡକୁ ମୁହାଁଉଛି । ଆଉ କିଛି ବିଦେଶୀ ମଡେଲ ମଧ୍ୟ ଘଣ୍ଟାପ୍ରତି ପବନର ବେଗ ଆହୁରି ଅଧିକ ରହିବ ବୋଲି ଆକଳନ କରିଛନ୍ତି ।