ଭୁବନେଶ୍ବର: ଭୋଗରାଇ ରଣକୋଠା ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର ୫ ଓରାଙ୍ଗଉଟାନ ଶାବକଙ୍କୁ ନେଇ ଏବେବି ଚର୍ଚ୍ଚା ଜୋର୍। ଗୋଟିଏ ପଟେ ଉଦ୍ଧାର ଶାବକଙ୍କୁ ସୁସ୍ଥ କରିବାକୁ ଯଥା ସମ୍ଭବ ପ୍ରୟାସ ଚାଲିଥିବା ବେଳେ, ଅନ୍ୟପଟେ ବନ୍ୟଜନ୍ତୁ ଚୋରାଚାଲାଣ ଗ୍ୟାଙ୍ଗ ବିଷୟରେ ଏସଟିଏଫ୍ ଖୋଳତାଡ଼ ଜାରି ରଖିଛି। ଏସବୁ ଭିତରେ ଶାବକମାନେ କେଉଁଠି ରହିବେ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ଏହାରି ଆଉ ଏକ ସୁରାକ ମିଳିଛି ଯେ, ଏହି ଓରାଙ୍ଗଉଟାନ ଏକ ବ୍ରିଡିଂ ସେଣ୍ଟରରୁ ଆସିଛନ୍ତି । ତେଣୁ ଯଦି ଏହା ସ୍ପଷ୍ଟ ହୁଏ ତେବେ ଏମାନେ ନନ୍ଦନକାନନର ବାସିନ୍ଦା ହୋଇ ରହିପାରିବେ ବୋଲି କହିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ।

ସେ କହିଛନ୍ତି, ଓରାଙ୍ଗଉଟାନ ଓଡ଼ିଶା ବା ନନ୍ଦନକାନନର ବାସିନ୍ଦା ହୋଇ ରହିପାରିବେ । ସେମାନଙ୍କୁ ଆଉ ଇଣ୍ଡୋନେସିଆକୁ ହସ୍ତାନ୍ତର କରିବାକୁ ପଡ଼ିବ ନାହିଁ । କାରଣ ଏମାନେ ବ୍ରିଡିଂ ସେଣ୍ଟରରୁ ଆସିଛନ୍ତି । ତେଣୁ ଆଇନ ଅନୁଯାୟୀ ଯଦି ବ୍ରିଡିଂ ସେଣ୍ଟରରେ ଜନ୍ମ ହୋଇଛନ୍ତି ସେମାନେ ଚିଡ଼ିଆଖାନାରେ ରହିପାରିବେ । ଆଉ କାହାକୁ ଦେବାକୁ ପଡ଼ିବନି । ନନ୍ଦନକାନନରେ ତାଙ୍କ ପାଇଁ ପୂର୍ବରୁ ମଧ୍ୟ ବ୍ୟବସ୍ଥା ରହିଛି । ଏମାନଙ୍କୁ ବନ୍ଦ ଖୁଆଡ଼ରୁ ବାହାର କରି ଖୋଲା ଖୁଆଡ଼ରେ ରଖିବା ଦରକାର ।

Also Read: ଓରାଙ୍ଗଉଟାନ୍ ସ୍ମଗଲିଂର ନୂଆ ଖୁଲାସା, ବାଂଲାଦେଶରୁ ଆସିଥିଲେ ୫ ଶାବକ !

ସୂଚନାଥାଉକି, ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଶାବକ ବାଂଲାଦେଶର ବ୍ରିଡିଂ ସେଣ୍ଟରରୁ ଆସିଛନ୍ତି । ତେବେ କିଏ, କାହିଁକି ଓ କେଉଁଠିକୁ ନେଉଥିଲା ଏନେଇ ଆହୁରି ଖୋଲତାଡ଼ ହେବାର ଆବଶ୍ୟକତା ରହିଛି । ଓଡ଼ିଶାରୁ କିଏ ଏଥିରେ ସମ୍ପୃକ୍ତ ଅଛନ୍ତି ତଦନ୍ତ ହେବା ଦରକାର ଓ ଏହି ଆନ୍ତର୍ଜାତୀୟ ସ୍ମଗଲିଙ୍ଗରେ ରୋକ୍ ଲଗାଯିବା ଦରକାର ବୋଲି କହିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ ଶୁଭେନ୍ଦୁ ମଲ୍ଲିକ।