ନୂଆଦିଲ୍ଲୀ,୧୫/୦୯ :ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି୨୦ମୁକାବିଲାରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିନଥିଲା । ତାଙ୍କ ଜାଗାରେ ଆଉଟ୍ ଅଫ୍ ଫର୍ମ୍ ସଞ୍ଜୁ ସାମସନଙ୍କୁ ଖେଳାଇଥିଲେ କୋଚ୍ ଗୌତମ ଗମ୍ଭୀର ଏବଂ ଅଧିନାୟକ ଶ୍ରେୟସ ଆୟର । ମୁକାବିଲାରେ ସଞ୍ଜୁ କିଛି କରିସ୍ମା କରିପାରିନଥିଲେ । ଶୀଘ୍ର ଆଉଟ୍ ହୋଇଯାଇଥିଲେ । ଯାହାକୁ ନେଇ କୋଚ୍ ଏବଂ ଅଧିନାୟକଙ୍କୁ ସମାଲୋଚନା କରାଯାଉଛି । ଏସବୁ ଭିତରେ ପୂର୍ବତନ ଖେଳାଳି କ୍ରୀଷ୍ଣାମୋଚାରୀ ଶ୍ରୀକାନ୍ତ ମଧ୍ୟ ଗମ୍ଭୀର ଏବଂ ଆୟରଙ୍କୁ ଟାର୍ଗେଟ୍ କରିଛନ୍ତି ।

ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଶ୍ରୀକାନ୍ତ କହିଛନ୍ତି ଯେ, ମୁକାବିଲାରେ ବୈଭବ ଖେଳୁନଥିଲେ । ତେଣୁ ସେ ମ୍ୟାଚ୍ ଦେଖିନଥିଲେ । ବରଂ ସେହି ସମୟରେ ଟିଭିରେ ମୁଭି ଦେଖୁଥିଲେ । ଏପରିକି ତାଙ୍କ ପତ୍ନୀ ମଧ୍ୟ ପାଟି କରିଥିଲେ । ଜଣେ ଖେଳାଳି ଯିଏ ପୂର୍ବ ମ୍ୟାଚରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଛି ତାଙ୍କୁ କିପରି ସୁଯୋଗ ମିଳିଲାନି ବୋଲି ପଚାରିଥିଲେ । ଅର୍ଥାତ ବୈଭବଙ୍କୁ ବାଦ୍ ଦେବାକୁ ନେଇ ତାଙ୍କ ପତ୍ନୀ ମଧ୍ୟ ପ୍ରଶ୍ନ କରୁଛନ୍ତି ।

ସେ ଆହୁରି କହିଛନ୍ତି ଯେ, ବୈଭବଙ୍କୁ କିପରି ବ୍ୟବହାର କରାଯିବା କଥା ଦଳ କରିପାରୁନି । ଯଦି ସେ ପରବର୍ତ୍ତୀ ମ୍ୟାଚ୍ ଖେଳନ୍ତି ତାହାଲେ ନିଜେ ଆଶ୍ଚର୍ଯ୍ୟ ହୋଇଯିବେ । ଏହାଦ୍ୱାରା ଦଳ ଜନତା ଏବଂ ଫ୍ୟାନଙ୍କୁ ଭୁଲ ମେସେଜ୍ ଦେଉଛି । ଖେଳାଳିଙ୍କ ମନରେ ସନ୍ଦେହ ଭାବନା ଜନ୍ମ ହେଉଛି । ଦୁଲୀପ ଟ୍ରଫି, ଟି୨୦, ଆଇପିଏଲ ସବୁଠି ବୈଭବ ସ୍କୋର କରୁଛନ୍ତି । ତାଙ୍କୁ ସୁଯୋଗ ମିଳିବା ଦରକାର ।

Also Read :- ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ, ଗାଁଠୁ ସହର ସବୁଠି ଉତ୍ସବର ମାହୋଲ

ଶ୍ରୀକାନ୍ତ ଆହୁରି କହିଛନ୍ତି ଯେ, ଟି୨୦ବିଶ୍ୱକପ୍ ବ୍ୟତୀତ ଅନ୍ୟ କେଉଁଠି ସାମସନ୍ ରନ୍ କରି ନାହାଁନ୍ତି । ସବୁଠି ବିଫଳ ହୋଇଛନ୍ତି । ଦଳ ସଞ୍ଜୁଙ୍କ ସହ ମଧ୍ୟ ଖେଳୁଛି । ତାଙ୍କୁ ସମ୍ପୂର୍ଣ୍ଣ ସୁଯୋଗ ଦେବା ଦରକାର ନହଲେ ବସାଇଦେବା ଦରକାର । ତାଙ୍କ ପାଇଁ ବୈଭବଙ୍କ କ୍ୟାରିଅର ମଧ୍ୟ ବିପଦରେ ପଡୁଛି । ଏହା ଖେଳାଳିଙ୍କ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି ।