ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଦଳ ଏବେ ନିଜ ଇତିହାସର ସବୁଠାରୁ କଠିନ ସମୟ ଦେଇ ଗତି କରୁଛି। ନିକଟରେ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଦଳ ୦-୩ ରେ ହାରି ଶୋଚନୀୟ ପରାଜୟର ସାମ୍ନା କରିଛି ପାକ୍ ଟିମ୍। କୌଣସି ବି ମ୍ୟାଚରେ ଦଳ ବିଜୟୀ ହେବାର ସମ୍ଭାବନା ସୃଷ୍ଟି କରିପାରିନଥିଲା। ଦଶନ୍ଧି ତଳେ ଅର୍ଥାତ୍ ୨୦୧୬ରେ ଯେଉଁ ପାକିସ୍ତାନ ଦଳ ଆଇସିସି ଟେଷ୍ଟ ରାଙ୍କିଂର ଶୀର୍ଷରେ ରହିଥିଲା, ଆଜି ୨୦୨୬ରେ ଦଳ ୯ମ ସ୍ଥାନକୁ ଖସିଆସିଛି। ତାଲିକାର ଶେଷ ସ୍ଥାନରେ ଥିବା ଜିମ୍ବାଓ୍ଵେ (୧୦ମ) ପାକିସ୍ତାନଠାରୁ ମାତ୍ର ସ୍ଥାନ ତଳେ ରହିଛି। ନିଜ କ୍ରିକେଟ୍ ଇତିହାସରେ ପାକିସ୍ତାନର ଏହା ସବୁଠାରୁ ଖରାପ ର୍ୟାଙ୍କିଂ।

WTC ପଏଣ୍ଟ ଟେବୁଲର ନିମ୍ନରେ ପାକିସ୍ତାନ

ଆଇସିସି ଟେଷ୍ଟ ରାଙ୍କିଙ୍ଗ ସ୍ଥିତି ବିଗିଡ଼ିବା ସହ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ (WTC 2025-27) ଚକ୍ରରେ ମଧ୍ୟ ଦଳ ସବୁଠୁ ତଳେ ୯ମ ସ୍ଥାନରେ ରହିଛି। ଚଳିତ ସଂସ୍କରଣରେ ପାକିସ୍ତାନ ୯ଟି ଟେଷ୍ଟ ମ୍ୟାଚରୁ ମାତ୍ର ୨ଟିରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାଜୟ ଭୋଗିଛି। ଦଳର ପଏଣ୍ଟ ପ୍ରତିଶତ ମାତ୍ର ୪.୬୩ ରହିଛି, ଯାହା ଫଳରେ ଏଥର ମଧ୍ୟ ଫାଇନାଲ୍ ଖେଳିବା ଆଶା ମିଳାଇ ଯାଇଛି।

Also Read: ‘ଟ୍ରଫି ତୁମେ ରଖ, ଆମେ ଏମିତି ଉତ୍ସବ ମନାଇବୁ’, ହରମନପ୍ରୀତଙ୍କ ସେଲିବ୍ରେସନରେ ଫ୍ୟାନ୍ସ ଖୁସ୍

ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଚାରୋଟି ଚକ୍ରରେ ପାକିସ୍ତାନର ପ୍ରଦର୍ଶନ କ୍ରମାଗତ ଭାବେ ନିମ୍ନଗାମୀ ହୋଇଛି। ୨୦୨୩-୨୫ରେ ୧୪ଟି ମ୍ୟାଚରୁ ୫ଟି ବିଜୟ ଓ ୯ଟି ପରାଜୟ ସହ ଦଳ ୯ମ (ଶେଷ) ସ୍ଥାନରେ ରହିଥିଲା। ସେହିପରି ୨୦୨୨-୨୩ରେ ୧୪ଟି ମ୍ୟାଚରୁ ୪ଟି ବିଜୟ, ୬ଟି ପରାଜୟ ଓ ୪ଟି ଡ୍ର ସହ ୭ମ ସ୍ଥାନରେ ଶେଷ କରିଥିଲା। ୨୦୧୯-୨୧ରେ ପ୍ରଥମ ଚକ୍ରରେ ୧୨ଟି ମ୍ୟାଚ ୪ଟି ବିଜୟ, ୫ଟି ପରାଜୟ ଓ ୩ଟି ଡ୍ର ସହ ୫ମ ସ୍ଥାନ ପାଇଥିଲା। କ୍ରମାଗତ ଶୋଚନୀୟ ପ୍ରଦର୍ଶନ ହେତୁ ପାକିସ୍ତାନ ଟେଷ୍ଟ କ୍ରିକେଟର ଭବିଷ୍ୟତକୁ ନେଇ ଏବେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।