ଭୁବନେଶ୍ବର ୧୪।୯: ଅନଲାଇନ୍ ପରୀକ୍ଷା ସେଣ୍ଟର ଥିଲା ମୋବାଇଲ୍ ଚୋରଙ୍କ ଟାର୍ଗେଟ୍ । ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ବେଳେ ଚାଲିଥିଲା ମୋବାଇଲ୍ ଓ ବାଇକ୍ ଚୋରି । ଏଭଳି ଏକ ମୋବାଇଲ୍ ଚୋରି ଗ୍ୟାଙ୍ଗ୍କୁ ମାଡ଼ି ବସିଛି ଇନ୍ଫୋସିଟି ଥାନା ପୋଲିସ । ୩ ଜଣିଆ ଗ୍ୟାଙ୍ଗ୍ର ୩ ଅଭିଯୁକ୍ତ ଗିରଫ । ଜବତ ହୋଇଛି ଚୋରି ସ୍କୁଟର ସହ ୨୬ଟି ମୋବାଇଲ୍ । ଖାଲି ମୋବାଇଲ୍ ନୁହେଁ, ୪୩ଟି ମୋବାଇଲ୍ ଡିସପ୍ଲେ ଓ ୪୮ଟି ମଦରବୋର୍ଡ ମଧ୍ୟ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଦୁଷ୍ମନ୍ତ ସୁବୁଦ୍ଧି, ରାକେଶ କୁମାର ସାହୁ ଓ ମାନସ ବେହେରା ।

ରାଜଧାନୀର ବିଭିନ୍ନ ପରୀକ୍ଷା କେନ୍ଦ୍ର ଥିଲା ଚୋରଙ୍କ ଟାର୍ଗେଟ୍ । ପରୀକ୍ଷା ହଲ୍ ଭିତରେ ନୁହେଁ, ହଲ୍ ବାହାରେ ରହୁଥିଲା ଅଭିଯୁକ୍ତର ନଜର । ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ନିଜ ମୋବାଇଲ୍ ଫୋନ୍କୁ ସ୍କୁଟିରେ ରଖି ଯାଉଥିଲେ । ଆଉ ଏହି ସୁଯୋଗର ଫାଇଦା ଉଠାଉଥିଲା ଦୁଷ୍ମନ୍ତ ସୁବୁଦ୍ଧି । ସ୍କୁଟିରେ ଥିବା ମୋବାଇଲ୍କୁ ଟାର୍ଗେଟ୍ କରି ଚୋରି କରି ଫେରାର ହୋଇଯାଉଥିଲା। ଗତ ଦେଢ଼ ବର୍ଷ ଧରି ଏଭଳି ଢଙ୍ଗରେ ମୋବାଇଲ୍ ଚୋରି କରୁଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ପରୀକ୍ଷା ସେଣ୍ଟରରେ ଛାତ୍ରଛାତ୍ରୀଙ୍କ ଭିଡ଼ ଓ ସ୍କୁଟିରେ ମୋବାଇଲ୍ ରଖିବା ଅଭ୍ୟାସକୁ ହିଁ ନିଜ ଚୋରିର ହତିଆର କରିଥିଲା ଅଭିଯୁକ୍ତ ।

ଚୋରି କରିବା ପରେ ମୋବାଇଲ୍କୁ ନେଇ ପହଞ୍ଚୁଥିଲା ବାପୁଜୀନଗର । ସେଠାରେ ରାକେଶ କୁମାର ସାହୁଙ୍କୁ ମୋବାଇଲ୍ ଦେଉଥିଲା ଦୁଷ୍ମନ୍ତ । ପରେ ରାକେଶ ମୋବାଇଲ୍କୁ ଖୋଲି ଏହାର ବିଭିନ୍ନ ପାର୍ଟସ୍ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଧରାପଡ଼ିବା ଭୟରେ ମୋବାଇଲ୍କୁ ସିଧାସଳଖ ବିକ୍ରି ନକରି ପାର୍ଟସ୍ କରି ବିକ୍ରି କରାଯାଉଥିଲା । ନାମୀ ଦାମୀ ମୋବାଇଲ୍ ମଧ୍ୟ ୫ରୁ ୬ ହଜାର ଟଙ୍କାରେ ବିକ୍ରି ହେଉଥିଲା । ଏପଟେ ଚୋରି ଟଙ୍କାରେ ଅୟସ କରୁଥିଲା ଦୁଷ୍ମନ୍ତ । ହୋଟେଲ୍ରେ ରହିବା ସହ ଗେମ୍ ଖେଳି ଟଙ୍କା ଉଡ଼ାଉଥିବା ତଦନ୍ତରୁ ଜଣାପଡ଼ିଛି । କେବଳ ମୋବାଇଲ୍ ଚୋରି ନୁହେଁ, ଚୋରି କରିଥିବା ଫୋନ୍ରୁ ଫୋନ୍ ପେ’ରେ ଟ୍ରାଞ୍ଜାକ୍ସନ୍ ମଧ୍ୟ କରୁଥିଲା ଅଭିଯୁକ୍ତ ।

ନିଟ୍ PG ପରୀକ୍ଷା ଦେବାକୁ ପଟିଆ ସ୍ଥିତ ଆନ୍ଥେମ୍ ଗ୍ଲୋବାଲ, IDZIକୁ ଆସିଥିଲେ ଡାକ୍ତର ଶୁଭମୟ ବେରା । ପରୀକ୍ଷା ସମୟରେ ତାଙ୍କ ହୋଣ୍ଡା ଆକ୍ଟିଭା ସ୍କୁଟର ଓ ମୋବାଇଲ୍ ଚୋରି ହୋଇଥିଲା । ଏନେଇ ଇନ୍‌ଫୋସିଟି ଥାନାରେ ମାମଲା ପରେ ଆରମ୍ଭ ହୋଇଥିଲା ତଦନ୍ତ । ତଦନ୍ତରେ ୩ ଅଭିଯୁକ୍ତଙ୍କୁ ଧରିବା ସହ ଚୋରି ସ୍କୁଟର ଓ ମୋବାଇଲ୍ ଜବତ କରିଛି ପୋଲିସ ।

Also Read:- Also Read:-ଗଜାନନଙ୍କ ଆବାହନରେ ଗଜରାଜଙ୍କ ଆଗମନ, ଚମ୍ପୁଆ ରେଞ୍ଜରେ ୨୨କୁ ବଢ଼ିଲା ହାତୀ ସଂଖ୍ୟା

ଦୁଷ୍ମନ୍ତଙ୍କ ଠାରୁ ୨ଟି ମୋବାଇଲ୍, ରାକେଶଙ୍କ ଠାରୁ ୧୮ଟି ମୋବାଇଲ୍, ୪୩ଟି ଡିସପ୍ଲେ ଓ ୪୮ଟି ମଦରବୋର୍ଡ ଏବଂ ମାନସଙ୍କ ଠାରୁ ୬ଟି ମୋବାଇଲ୍ ଜବତ ହୋଇଛି । ଅନଲାଇନ୍ ପରୀକ୍ଷା କେନ୍ଦ୍ରକୁ ଟାର୍ଗେଟ୍ କରି ଏମାନେ ଏଭଳି ଚୋରି କରୁଥିଲେ କି ନାହିଁ, ଏହା ପଛରେ ଆଉ କୌଣସି ଗ୍ୟାଙ୍ଗ୍‌ର ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ ଖୋଳତାଡ଼ ଜାରି ରଖିଛି ଇନ୍‌ଫୋସିଟି ଥାନା ପୋଲିସ ।

Watch Video: