ଭୁବନେଶ୍ୱର: ବର୍ତ୍ତମାନ ଫେସ୍ବୁକ ଠାରୁ ଆରମ୍ଭ କରି ଇନଷ୍ଟା, ଏକ୍ସ ଓ ୟୁଟ୍ୟୁବ୍ ୮୦ ଦଶକର ଟ୍ରେଣ୍ଡରେ ମାତିଛି ସୋସିଆଲ୍ ମିଡିଆ। ଯାହାକୁ ଦେଖିବ ସିଏ ୮୦ ଦଶକରେ ସେଇ ପୁରୁଣା ଦିନକୁ ଫେରିବାକୁ ଚାହୁଁଛି କ୍ଷଣିକ ଭିତରେ। ୧୯୮୦ ଦଶକର ହେୟାର୍ଷ୍ଟାଇଲ୍, ଭିଣ୍ଟେଜ୍ ପୋଷାକ, ପୁରୁଣା ଫିଲ୍ମର ରଙ୍ଗ ଓ ରେଟ୍ରୋ ଟେକ୍ସଚର୍ରେ ନିଜ ଫଟୋକୁ ବଦଳାଇବାର ଟ୍ରେଣ୍ଡ ଏବେ ସୋସିଆଲ ମିଡିଆରେ ଜୋର ଧରିଛି। ChatGPT ଭଳି AI ଟୁଲ୍‌ରେ ନିଜ ଫଟୋ ଅପଲୋଡ୍ କରି ମିନିଟ୍ ମଧ୍ୟରେ ୮୦ ଦଶକର ରେଟ୍ରୋ ଲୁକ୍ ପାଇପାରୁଛନ୍ତି ୟୁଜର୍ମାନେ। କ୍ଷଣିକ ମଜାରେ ଏକ ବଡ଼ ସଜା ଲୁଚି ରହିଥାଏ। ଆପଣଙ୍କର ୮୦ ଦଶକର ମଜା ଆପଣଙ୍କୁ ପାଇଁ ଆଉ ସଜା ହେବନି ତ ?

ଟ୍ରେଣ୍ଡଟି ଦେଖିବାକୁ ଯେତେ ମଜାଦାର, ଏହା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରାଇଭେସି ଓ ଡାଟା ସୁରକ୍ଷାର ପ୍ରଶ୍ନ। ବିଶେଷକରି ମୁହଁ ସ୍ପଷ୍ଟ ଦେଖାଯାଉଥିବା ବ୍ୟକ୍ତିଗତ ଫଟୋ ଏଆଇ ଚାଟବଟ୍ରେ ଅପଲୋଡ୍ କରିବା କେତେ ସୁରକ୍ଷିତ ଏହାକୁ ନେଇ ସାଇବର ସୁରକ୍ଷା ବିଶେଷଜ୍ଞମାନେ ସତର୍କ କରିଆସୁଛନ୍ତି।

କେବଳ ମଜା ପାଇଁ ଅପଲୋଡ୍, କିନ୍ତୁ ଡାଟା ଯାଉଛି କେଉଁଠି ?

ପୂର୍ବରୁ ଚାଟଜିପିଟିର ଘିବଲି ଷ୍ଟାଇଲ ଇମେଜ୍ ଓ ଏଆଇ କ୍ୟାରିକେଚର ଟ୍ରେଣ୍ଡ ସମୟରେ ମଧ୍ୟ ଏହି ଚିନ୍ତା ପ୍ରକାଶ ପାଇଥିଲା। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଭାଇରାଲ ଟ୍ରେଣ୍ଡରେ ସାମିଲ ହେବା ଉତ୍ସାହରେ ୟୁଜର୍ମାନେ ନିଜ ଫଟୋ ଓ ଅନ୍ୟ ବ୍ୟକ୍ତିଗତ ତଥ୍ୟ ଶେୟାର କରିଦିଅନ୍ତି। କିନ୍ତୁ ଅପଲୋଡ୍ କରାଯାଇଥିବା ଡାଟାର ବ୍ୟବହାର, ସଂରକ୍ଷଣ ଓ ଦୀର୍ଘମିଆଦୀ ପ୍ରଭାବ ବିଷୟରେ ସବୁବେଳେ ସ୍ପଷ୍ଟ ଧାରଣା ନଥାଏ।

Also read- AI-ଜେନେରେଟେଡ୍ 80's ଷ୍ଟାଇଲରେ ସ୍ୱାମୀ ରାଘବଙ୍କ ସହ ପରିଣୀତି ଚୋପ୍ରା

ସାଇବର ସୁରକ୍ଷା ବିଶେଷଜ୍ଞ ଜେକେ ମୋରେଙ୍କ ମତରେ, ଏଭଳି ଟ୍ରେଣ୍ଡ ଆସିଲେ ଲୋକେ ଏହା ପଛରେ ଥିବା ଡାଟା ପ୍ରାଇଭେସି ବିଷୟରେ ଚିନ୍ତା ନକରି ତୁରନ୍ତ ଟ୍ରେଣ୍ଡରେ ସାମିଲ ହୋଇଯାଆନ୍ତି। ଫଟୋ ଓ ବ୍ୟକ୍ତିଗତ ତଥ୍ୟ ଏଆଇ ଚାଟବଟ୍କୁ ଦେଲେ ପ୍ଲାଟଫର୍ମ ସେଗୁଡ଼ିକୁ ପ୍ରୋସେସ୍ ଓ ବିଶ୍ଳେଷଣ କରିଥାଏ।

ଅଧିକ ଭଲ ଫଳାଫଳ ପାଇଁ ଅଧିକ ତଥ୍ୟ ଦେବା ବିପଦଜନକ?

ଏଆଇ ତିଆରି କରୁଥିବା ଫଟୋ ଯଦି ନିଜ ପସନ୍ଦ ଅନୁସାରେ ନଆସେ, ତେବେ ଅନେକ ୟୁଜର୍ ଆହୁରି ଅଧିକ ବିବରଣୀ ଦେଇଥାନ୍ତି। ନିଜ ଚେହେରା, ପୋଷାକ, ସ୍ଥାନ, ପରିବାର କିମ୍ବା ଜୀବନଶୈଳୀ ସମ୍ପର୍କିତ ଅଧିକ ତଥ୍ୟ ଦେଲେ ଏଆଇ ଆଉ ନିଖୁଣ ଇମେଜ୍ ତିଆରି କରିପାରେ।

ସାଇଟିଡେଲ୍ର ସିଇଓ ଓ ସହ-ପ୍ରତିଷ୍ଠାତା ମ୍ୟାଟ୍ କନଲନଙ୍କ ମତରେ, ଏଭଳି ଟ୍ରେଣ୍ଡରେ ୟୁଜର୍ମାନେ ଭଲ ଆଉଟପୁଟ୍ ପାଇବା ପାଇଁ ଧୀରେ ଧୀରେ ଅଧିକ ବ୍ୟକ୍ତିଗତ ତଥ୍ୟ ଏଆଇକୁ ଦେଇଥାନ୍ତି। ଏହା ଭବିଷ୍ୟତରେ ଡାଟା ପ୍ରାଇଭେସି ଓ ଆଇଡେଣ୍ଟିଟି ଥେଫ୍ଟ୍ ମାନେ ନିଜର ଜରୁରୀ ଡାଟା ଚୋରି ଭଳି ସମସ୍ୟାର ବଢ଼ାଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି।

ଫଟୋ ଶେୟାରିଂକୁ ସାଧାରଣ କରିଦେବା ନେଇ ଚିନ୍ତା

ବିଶେଷଜ୍ଞମାନେ ଆଉ ଏକ ବଡ଼ ସମସ୍ୟା ଉଠାଇଛନ୍ତି। ଭାଇରାଲ ଏଆଇ ଟ୍ରେଣ୍ଡ ଯୋଗୁ AI ଟୁଲ୍ରେ ବ୍ୟକ୍ତିଗତ ଫଟୋ ଓ ତଥ୍ୟ ଦେବା ଏକ ସାଧାରଣ କଥାରେ ପରିଣତ ହୋଇପାରେ। ଡାଟା ପ୍ରାଇଭେସି ବିଶେଷଜ୍ଞ କ୍ରିସ୍ ଲିନେନଙ୍କ ମତରେ, ଏଆଇ ଦ୍ୱାରା ତିଆରି ହେଉଥିବା ଫଟୋ ବହୁତ ବ୍ୟକ୍ତିଗତ ଲାଗିପାରେ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏଆଇ ନିଜେ ଇଣ୍ଟରନେଟରୁ ସେହି ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ଖୋଜି ଆଣିଛି। ସାଧାରଣତଃ ୟୁଜର୍ ନିଜେ ଦେଇଥିବା ଫଟୋ, ପ୍ରମ୍ପ୍ଟ ଓ ବିବରଣୀ ଉପରେ ଆଧାର କରି ଏଆଇ ଆଉଟପୁଟ୍ ତିଆରି କରେ।

ତେବେ ଏଆଇ ତିଆରି ଫଟୋ ପରେ ଇନଷ୍ଟାଗ୍ରାମ, ଫେସବୁକ କିମ୍ବା ଏକ୍ସ ଭଳି ପ୍ଲାଟଫର୍ମରେ ପୋଷ୍ଟ କଲେ ଆଉ ଏକ ନୂଆ ପ୍ରାଇଭେସି ସମସ୍ୟା ସୃଷ୍ଟି ହୋଇପାରେ। ଥରେ ଅନଲାଇନ୍ରେ ଫଟୋ ପୋଷ୍ଟ ହେଲେ ଏହାକୁ ଅନ୍ୟମାନେ କପି, ରିପୋଷ୍ଟ କିମ୍ବା ସ୍କ୍ରାପ୍ କରିପାରନ୍ତି।

ତେବେ ୮୦ ଦଶକର ଏଆଇ ଫଟୋ ସୁରକ୍ଷିତ ଭାବେ ତିଆରି କରିବେ କେମିତି?

ଏଆଇ ଟ୍ରେଣ୍ଡରେ ସାମିଲ ହେବାକୁ ଚାହୁଁଥିଲେ କିଛି ସରଳ ସାବଧାନତା ଅବଲମ୍ବନ କରିପାରିବେ। ଆସନ୍ତୁ ସେଗୁଡିକୁ ଜାଣିବା।

ପ୍ରଥମେ, ଏଭଳି ଫଟୋ ଅପଲୋଡ୍ କରନ୍ତୁ ଯାହା ଶେୟାର କରିବାକୁ ଆପଣ କୁଣ୍ଠାବୋଧ କରୁ ନଥିବେ। ମାନେ ସିଧାସଳଖ ଫଟୋ।ଦ୍ୱିତୀୟରେ, ଫଟୋରେ ଥିବା ଠିକଣା, ପରିଚୟପତ୍ର, ଡକ୍ୟୁମେଣ୍ଟ, ସ୍କୁଲ୍ ସୂଚନା ଭଳି ସମ୍ବେଦନଶୀଳ ତଥ୍ୟକୁ ହଟାନ୍ତୁ।ତୃତୀୟରେ, ଅନ୍ୟ ବ୍ୟକ୍ତିଙ୍କ ଫଟୋ ବ୍ୟବହାର କରିବା ପୂର୍ବରୁ ତାଙ୍କ ସମ୍ମତି ନିଅନ୍ତୁ।ଏବଂ ଚତୁର୍ଥରେ, ପୂରା ଫଟୋ ବଦଳରେ କେବଳ ଆବଶ୍ୟକ ଅଂଶକୁ crop କରି ଏଆଇକୁ ଦେବା ଅଧିକ ସୁରକ୍ଷିତ ବିକଳ୍ପ ହୋଇପାରେ।

ଯଦି ଫଟୋଟି ଅତ୍ୟନ୍ତ ବ୍ୟକ୍ତିଗତ ଏବଂ କ୍ଲାଉଡ ବେସ ପ୍ରୋସେସିଂକୁ ନେଇ ଆପଣଙ୍କ ଚିନ୍ତା ରହିଛି, ତେବେ ଲୋକାଲ କିମ୍ବା ଅଫଲାଇନ ଇମେଜ ଏଡିଟିଂ ଟୁଲ୍ ବ୍ୟବହାର କରିବା ମଧ୍ୟ ଏକ ଭଲ ବିକଳ୍ପ ହୋଇପାରେ। ମାନେ ସେଥିରେ ପଟୋ ଏଡିଟ୍ କରି ନକଲ କରିବେ ଓ ପରେ ଏହାକୁ ଆପଣ ଟ୍ରେଣ୍ଡ ପାଇଁ ବ୍ୟବହାର କରିପାରିବେ।

ମୋଟାମୋଟି କହିବାକୁ ଗଲେ ୮୦ ଦଶକର ଫଟୋ ଟ୍ରେଣ୍ଡ ନିଶ୍ଚିତ ଭାବେ ମଜାଦାର। କିନ୍ତୁ ଏହି ମଜା ପାଇଁ ନିଜର ଗୋପନୀୟତାକୁ ବିପଦରେ ପକାଇବା ଉଚିତ୍ ନୁହେଁ। ଟ୍ରେଣ୍ଡରେ ସାମିଲ ହୁଅନ୍ତୁ, କିନ୍ତୁ ଫଟୋ ଅପଲୋଡ୍ କରିବା ପୂର୍ବରୁ ଥରେ ଭାବନ୍ତୁ ଏହି ଫଟୋରେ ମୋ ବିଷୟରେ କେତେ ତଥ୍ୟ ଲୁଚିଛି? କାରଣ ସଚେତନତା ହିଁ ସୁରକ୍ଷା।