ଦିଲ୍ଲୀ: AI ର ଦ୍ରୁତ ବିକାଶକୁ ନେଇ ବିଶ୍ୱରେ ଆଶା ସହିତ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। AIର ବ୍ୟବହାର ଯେତିକି ବଢ଼ୁଛି, ଏହାର ଦୁରୁପଯୋଗ ନେଇ ବିପଦର ଆଶଙ୍କା ମଧ୍ୟ ସେତିକି ବଢ଼ୁଛି। ବିଶେଷକରି ଅସ୍ତ୍ର ନିର୍ମାଣ, ସାଇବର ଆକ୍ରମଣ ଓ ବଡ଼ ଧରଣର ବିନାଶ ଭଳି ଘଟଣାରେ AIର ଭୂମିକାକୁ ନେଇ ବିଶେଷଜ୍ଞମାନେ ସତର୍କ କରୁଛନ୍ତି। ଏହି ଚିନ୍ତା ମଧ୍ୟରେ ଏଆଇ କମ୍ପାନୀ ଆନ୍ଥ୍ରୋପିକ୍ର CEOଙ୍କ ପକ୍ଷରୁ AI ବିକାଶର ଗତି ଓ ସୁରକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ମତ ଆସିଛି। ଅତ୍ୟଧିକ ଶକ୍ତିଶାଳୀ AI ସିଷ୍ଟମ ଦୁରୁପଯୋଗ ମାନବ ସମାଜ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ କରାଯାଇଛି।

ବିଶେଷକରି AI ଦ୍ୱାରା ସ୍ୱୟଂଚାଳିତ ଭାବେ ସାଇବର ଆକ୍ରମଣ କରିବା, ଜଟିଳ ଅସ୍ତ୍ର ପ୍ରଣାଳୀକୁ ସହାୟତା କରିବା କିମ୍ବା ବିପଜ୍ଜନକ ପ୍ରଯୁକ୍ତିର ବିକାଶକୁ ତ୍ୱରାନ୍ୱିତ କରିବାର ଆଶଙ୍କା ରହିଛି। ଏହା ଫଳରେ AIର ବିକାଶ ସହିତ ଏହା ଉପରେ କଡ଼ା ସୁରକ୍ଷା ନିୟମ ଓ ନିୟନ୍ତ୍ରଣ ବ୍ୟବସ୍ଥା ରହିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି। AI ଜଗତର ଦୁଇ ପ୍ରମୁଖ ନାମ ଏଲନ୍ ମସ୍କ ଓ ସାମ୍ ଅଲ୍ଟମ୍ୟାନ୍ ମଧ୍ୟ AIର ସମ୍ଭାବ୍ୟ ବିପଦକୁ ନେଇ ପୂର୍ବରୁ ଚିନ୍ତା ପ୍ରକାଶ କରିଛନ୍ତି। AIକୁ ଅଧିକ ସୁରକ୍ଷିତ ଓ ଦାୟିତ୍ୱଶୀଳ କରିବା ସହ ଏହାର ବିକାଶରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।

ବର୍ତ୍ତମାନ ସମୟରେ ‘ଫ୍ରଣ୍ଟିଅର୍ AI ସିଷ୍ଟମ୍ସ’ ଅଧିକ ଶକ୍ତିଶାଳୀ ହେଉଥିବାରୁ ସେଗୁଡ଼ିକର ନିରାପତ୍ତା ପରୀକ୍ଷା ଓ ସ୍ୱାଧୀନ ମୂଲ୍ୟାଙ୍କନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଛି। AI ଉପରେ ଉପଯୁକ୍ତ ସୁରକ୍ଷା ସୀମା ନଥିଲେ ଏହାର ଦୁରୁପଯୋଗ ଭବିଷ୍ୟତରେ ବଡ଼ ବିପଦ ଆଣିପାରେ। ତେବେ AIର ବିକାଶକୁ ସମ୍ପୂର୍ଣ୍ଣ ରୋକିବା ନୁହେଁ, ବରଂ ଏହାର ବିକାଶ ସହିତ ସୁରକ୍ଷା ଓ ଦାୟିତ୍ୱବୋଧକୁ ସମାନ ଗୁରୁତ୍ୱ ଦେବା ହିଁ ମୁଖ୍ୟ ଲକ୍ଷ୍ୟ ହେବା ଉଚିତ ବୋଲି କୁହାଯାଇଛି । ଆଗାମୀ ଦିନରେ ସରକାର, AI କମ୍ପାନୀ, ବୈଜ୍ଞାନିକ ଓ ସ୍ୱାଧୀନ ମୂଲ୍ୟାଙ୍କନକାରୀମାନଙ୍କ ମଧ୍ୟରେ ସମନ୍ୱୟ ହିଁ ଏହି ବିପଦକୁ ନିୟନ୍ତ୍ରଣ କରିବାରେ ମୁଖ୍ୟ ଭୂମିକା ନେଇପାରେ।