ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟଙ୍କ ୪ ଦିନିଆ ଲଣ୍ଡନ ଗସ୍ତକୁ ନେଇ ରାଜ୍ୟ ରାଜନୀତିରେ ନୂଆ ବିବାଦ ସୃଷ୍ଟି ହୋଇଛି। ଏହି ଗସ୍ତ ରାଜ୍ୟକୁ ପୁଞ୍ଜିନିବେଶ ଆଣିବା ପାଇଁ କି ନିଜର ବ୍ୟକ୍ତିଗତ କାମ ପାଇଁ ? ସେ ନେଇ ବିରୋଧୀ ଦଳଗୁଡ଼ିକ ତୀବ୍ର ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଜୟ ଲଣ୍ଡନର ସିଲଭରଷ୍ଟୋନ୍ ସର୍କିଟ୍ ପରିଦର୍ଶନ କରିବା ସହ ଅଭିନେତା ଅଜିତ୍ କୁମାରଙ୍କ ରେସିଂ ଇଭେଣ୍ଟରେ ଯୋଗ ଦେଇଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ ତ୍ରିଷା ମଧ୍ୟ ଉପସ୍ଥିତ ଥିଲେ। ଏହା ପରେ ବିରୋଧୀ ଦଳଗୁଡ଼ିକ ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ପ୍ରକୃତ ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠାଇଛନ୍ତି।

ପଲାନିସ୍ୱାମୀଙ୍କ କଟାକ୍ଷ
AIADMK ସାଧାରଣ ସମ୍ପାଦକ ଇଡାପାଡି କେ. ପଲାନିସ୍ୱାମୀ କହିଛନ୍ତି ଯେ, କ୍ଷମତାସୀନ ହେବାର ୧୦୦ ଦିନ ଭିତରେ ରାଜ୍ୟ ପାଇଁ ନିବେଶ ଆଣିବାକୁ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତ କରିବାକୁ ସେ ପ୍ରଥମେ ସ୍ୱାଗତ କରିଥିଲେ। ମାତ୍ର ସିଲଭରଷ୍ଟୋନରୁ ଆସିଥିବା ଫଟୋକୁ ନେଇ କଟାକ୍ଷ କରି ସେ କହିଛନ୍ତି, ‘ସୋସିଆଲ ମିଡିଆରେ ଦୃଶ୍ୟ ସମ୍ପୂର୍ଣ୍ଣ ଅଲଗା। ଦେଖନ୍ତୁ ସେ କିପରି ରାଜ୍ୟ ପାଇଁ ନିବେଶ ଆଣୁଛନ୍ତି।’

ବିଜେପିର ପ୍ରଶ୍ନବାଣ
ତାମିଲନାଡୁ ବିଜେପି ସଭାପତି ନୈନାର ନାଗେନ୍ଦ୍ରନ୍ ପ୍ରଶ୍ନ କରିଛନ୍ତି ଯେ, ଏହି ଗସ୍ତ ସରକାରୀ ଥିଲା ନା ବ୍ୟକ୍ତିଗତ ? ଏଥିପାଇଁ ସରକାରୀ ପାଣ୍ଠି ବ୍ୟବହାର କରାଯାଇଛି କି ନାହିଁ ଏବଂ ତାଙ୍କ ସହ କେଉଁମାନେ ଯାଇଛନ୍ତି, ସେ ବିଷୟରେ ସ୍ପଷ୍ଟୀକରଣ ଦିଆଯାଉ। ୪ ଦିନର ଗସ୍ତ ମଧ୍ୟରେ କେତେ ନିବେଶ ଚୁକ୍ତି ହୋଇଛି, ସେନେଇ ବିଜୟ ଫେରିବା ପରେ ତଥ୍ୟ ରଖିବାକୁ ସେ ଦାବି କରିଛନ୍ତି।

ଉଦୟନିଧି ଷ୍ଟାଲିନ୍‌ଙ୍କ ମନ୍ତବ୍ୟ
ଡିଏମ୍‌କେ (DMK) ନେତା ଉଦୟନିଧି ଷ୍ଟାଲିନ୍ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ରାଜ୍ୟରେ ବିଦ୍ୟୁତ୍ କାଟ ଓ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ସମସ୍ୟାର ସମାଧାନ ନକରି ବିଦେଶରେ ସମୟ ବିତାଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଉଦୟନିଧି କହିଛନ୍ତି, ତାମିଲନାଡୁ ଇତିହାସରେ ଏପରି 'ଅସଭ୍ୟ' ଏବଂ 'ଡମି' ମୁଖ୍ୟମନ୍ତ୍ରୀ କେବେ ଦେଖାଯାଇ ନଥିଲେ। ସମସ୍ୟାର ଉତ୍ତର ନଦେଇ ସରକାର କେବଳ ବିରୋଧୀଙ୍କୁ ଆକ୍ଷେପ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।