ନୂଆଦିଲ୍ଲୀ: କ୍ରିକେଟରେ  ନୂଆ ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ। ଏମିତି ବିଧ୍ଵଂସୀ ଇନିଂସ ଖେଳିଛନ୍ତି, ଯାହା କ୍ରିକେଟ୍ ଜଗତରେ ଏମିତି କେବେ ଦେଖିବାକୁ ମିଳିନି। ତାଙ୍କର ବ୍ୟାଟିଂ ଦେଖିଲେ ଯିଏ ହେଲେ କହିବ ଅବିଶ୍ଵସନୀୟ, ଅଦ୍ଭୁତ ଏବଂ ଅକଳ୍ପନୀୟ। ଏମିତି ଇନିଂସ ଖେଳିଛନ୍ତି ଯାହା ଶବ୍ଦରେ ବର୍ଣ୍ଣନା କରିବା ମୁସ୍କିଲ। ମାତ୍ର ୨୮ ବଲରେ ଶତକ ହାସଲ କରି ବିଶ୍ଵ ରେକର୍ଡ କରିଛନ୍ତି କ୍ରିକେଟ୍ ଜଗତର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ। ଆଉ ୫୨ ବଲରେ ହାସଲ କରିଛନ୍ତି ଦ୍ଵିତୀୟ ଶତକ । ଲିଷ୍ଟ ଏ କ୍ରିକେଟ୍ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କ୍ରିକେଟ୍ ଇତିହାସରେ ଦେଖିବାକୁ ମିଳିନି ଏମିତି ଇନିଂସ। ୟୁଏଇ ବିପକ୍ଷରେ ମାତ୍ର ୫୩ ବଲରୁ ଖେଳିଛନ୍ତି ୨୦୪ ରନର ବିଧ୍ଵଂସୀ ଦ୍ଵିଶତକ ଇନିଂସ। ଏଥିରେ ସାମିଲ୍ ୨୮ ଛକା ଓ ୭ ଚୌକା। ଅର୍ଥାତ ୧୯୬ ରନ କେବଲ ବାଉଣ୍ଡରୀରୁ।

ବୈଭବ ୨୮ ବଲରୁ ଶତକ ହାସଲ କରି ଅଷ୍ଟ୍ରେଲିଆର ଜ୍ୟାକ ଫେଜର ମ୍ୟାକଗର୍ଗଙ୍କ ରେକର୍ଡ ଧ୍ଵସ୍ତ କରିଛନ୍ତି। ମ୍ୟାକଗର୍ଗ ୨୦୨୩ରେ ୨୯ ବଲରୁ ଶତକ ହାସଲ କରି ବିଶ୍ଵ ରେକର୍ଡ କରିଥିଲେ। ଏବେ ଏହି ରେକର୍ଡ ସୂର୍ଯ୍ୟବଂଶୀଙ୍କ ନାଁରେ। ୟୁଏଇ ଦ୍ଵାରା ଧାର୍ଯ୍ୟ ୨୫୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତ ପକ୍ଷରୁ ଓପନିଂ କରିଥିଲେ ସୂର୍ଯ୍ୟବଂଶୀ ଓ ଅଭିଷେକ ଶର୍ମା। ତେବେ କ୍ରିଜକୁ ଓହ୍ଲାଇବା ମାତ୍ରେ ବୈଭବ ଆରମ୍ଭରୁ ଛକା ବର୍ଷା କରିଥିଲେ। ସେ ୧୬ ବଲରୁ ଅର୍ଦ୍ଧଶତକ ପୂରା  କରିଥିଲେ। ଦେଖୁ ଦେଖୁ ସେ ୨୮ ବଲରେ ଶତକ ପୂରଣ କରିଥିଲେ। ଅବଶିଷ୍ଟ ୫୦ ରନ ମାତ୍ର ୧୨ ବଲରୁ ହାସଲ କରିଥିଲେ।

 

ଲିଷ୍ଟ ଏ କ୍ରିକେଟରେ ବଲ୍ ହିସାବରେ ଦ୍ରୁତତମ ଶତକ ମାରିବାର ବିଶ୍ଵ ରେକର୍ଡ ସୂର୍ଯ୍ୟବଂଶୀଙ୍କ ନାଁରେ ରହିଛି। ୨୦୨୬ ନଭେମ୍ବର ୨୪ରେ ଏସିଆ କପ୍ ରାଇଜିଂ ଷ୍ଟାର୍ସର ଲିଗ୍ ମ୍ୟାଚରେ ୟୁଏଇ ବିପକ୍ଷରେ ଏହି କାରନାମା କରିଛନ୍ତି ସୂର୍ଯ୍ୟବଂଶୀ। ଦ୍ରୁତତମ ଶତକ ହାସଲ କରିବା ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ। ସେ ୨୦୧୫ରେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୩୧ ବଲରୁ ଶତକ ପୂରା କରିଥିଲେ। ଚତୁର୍ଥ ସ୍ଥାନରେ ଅଛନ୍ତି ସାକିବ ଉଲ ଗାନି। ସେ ୨୦୨୫ରେ ବିହାର ପକ୍ଷରୁ ଖେଳି ଅରୁଣାଚଳ ପ୍ରଦେଶ ବିପକ୍ଷରେ ୩୨ ବଲରୁ ଶତକ ପୂରଣ କରିଥିଲେ। ଏହି ତାଲିକାରେ ଇଶାନ କିଶନଙ୍କ ନାଁ ମଧ୍ୟ ରହିଛି। ସେ ୨୦୨୫ରେ ଝାଡ଼ଖଣ୍ଡ ପକ୍ଷରୁ ଖେଳି କର୍ଣ୍ଣାଟକ ବପକ୍ଷରେ ମାତ୍ର ୩୩ ବଲରୁ ହାସଲ କରିଥିଲେ ଶତକ।

ସବୁଠୁ ଦ୍ରୁତତମ ଲିଷ୍ଟ ଏ ଶତକ

୨୮ ବଲ୍ - ବୈଭବ ସୂର୍ଯ୍ୟବଂଶୀ - ଭାରତ ବନାମ ୟୁଏଇ, ୨୦୨୬*

୨୯ ବଲ୍ - ଜେକ୍ ଫ୍ରେଜର-ମ୍ୟାକଗର୍କ - ସାଉଥ୍ ଅଷ୍ଟ୍ରେଲିଆ ବନାମ ତସମାନିଆ, ୨୦୨୩

୩୧ ବଲ୍ - ଏବି ଡିଭିଲିୟର୍ସ - ଦକ୍ଷିଣ ଆଫ୍ରିକା ବନାମ ୱେଷ୍ଟଇଣ୍ଡିଜ୍, ୨୦୧୫

୩୨ ବଲ୍ - ସକିବୁଲ ଗନି - ବିହାର ବନାମ ଅରୁଣାଚଳ ପ୍ରଦେଶ, ୨୦୨୫

 

                                                                                                                   ​​​​​​​