ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ- ନାଲଦା ୧୦ ନମ୍ବର ରାଜ୍ୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସାନ୍ଧୁ ଢ଼ାବା ନିକଟସ୍ଥ ପୋଲ ପାଖରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଜଣେ ସଙ୍କଟାପନ୍ନ ଅବସ୍ଥାରେ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ମୃତ ବାଇକ୍ ଚାଳକଙ୍କ ପରିଚୟ ଏଯାଏଁ ମିଳପାରିନାହିଁ ।

ସୂଚନା ଅନୁଯାୟୀ, ଠାକୁରାଣୀ ଅଞ୍ଚଳର ବାଦଲ ଲୋହାର ଦୁଇ ନାବାଳକଙ୍କୁ ବସାଇ ଏକ ବାଇକ୍ ଯୋଗେ ନାଲଦା ଅଭିମୁଖେ ଯାଉଥିଲେ। ସାନ୍ଧୁ ଢ଼ାବା ନିକଟ ପୋଲ ପାଖରେ ପହଞ୍ଚିବା ବେଳକୁ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଅନ୍ୟ ଜଣେ ବାଇକ୍ ଚାଳକ ଭାରସାମ୍ୟ ହରାଇ ସମ୍ମୁଖରୁ ବାଦଲଙ୍କ ବାଇକକୁ ଧକ୍କା ଦେଇଥିଲେ। ଧକ୍କା ଏତେ ଜୋରଦାର ଥିଲା ଯେ ବାଦଲଙ୍କ ସମେତ ଦୁଇ ନାବାଳକ ରାସ୍ତାକୁ ଛିଟିକି ପଡ଼ିଥିଲେ। ଅନ୍ୟପକ୍ଷରେ ଧକ୍କା ଦେଇଥିବା ବାଇକ୍ ଚାଳକ ଜଣକ ଗାଡ଼ି ସହ ଘୋଷାରି ହୋଇ ପୋଲ କାନ୍ଥରେ ବାଡ଼େଇ ହୋଇଯାଇଥିଲେ। ସେ ହେଲମେଟ ପିନ୍ଧି ନ ଥିବାରୁ ମୁଣ୍ଡରେ ଗଭୀର ଆଘାତ ଲାଗି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ମୃତଦେହକୁ ଯୋଡ଼ାସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲର ଶବଗୃହକୁ ପଠାଇଥିବା ଜଣାପଡ଼ିଛି।