ଭୁବନେଶ୍ୱର: ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲ ଦୈତାରୀ ଲୁହାପଥର ଖଣି ଏବଂ ବାଙ୍ଗୁର କ୍ରୋମାଇଟ୍ ଖଣି ପରିଦର୍ଶନ କରି ଖଣି କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି । ଏହାସହ ଉତ୍ପାଦନ ବୃଦ୍ଧି, କାର୍ଯ୍ୟଦକ୍ଷତା, ସୁରକ୍ଷା ଓ ସ୍ଥାୟୀ ଖଣି ପରିଚାଳନା ଉପରେ ଆଲୋଚନା କରିଥିଲେ । ସେହିପରି ରାଜ୍ୟର ଶିଳ୍ପ ବିକାଶକୁ ସୁଦୃଢ଼ କରିବା ପାଇଁ ଶିଳ୍ପ କ୍ଷେତ୍ରକୁ ନିରବଚ୍ଛିନ୍ନ କଞ୍ଚାମାଲ ଯୋଗାଣ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

ଦୈତାରୀ ଲୁହାପଥର ଖଣି ପରିଦର୍ଶନ ସମୟରେ ଶ୍ରୀ ସାମଲ ଉତ୍ପାଦନ ବ୍ୟବସ୍ଥା, କାର୍ଯ୍ୟଦକ୍ଷତା, ଲଜିଷ୍ଟିକ୍ସ ଏବଂ ପରିଚାଳନାର ସମୀକ୍ଷା କରିଥିଲେ । ଉତ୍ପାଦନ ବୃଦ୍ଧି, ସମ୍ବଳର ସଠିକ୍ ପରିଚାଳନା, ସ୍ଥାୟୀ ଖଣି କାର୍ଯ୍ୟକଳାପ ଓ ପରିବେଶ ସଂରକ୍ଷଣ ଉପରେ ସେ ବିଶେଷ ଗୁରୁତ୍ୱ ଦେଇଥିଲେ ।

ବାଙ୍ଗୁର ଭୂତଳ କ୍ରୋମାଇଟ୍ ଖଣି ପରିଦର୍ଶନ ସମୟରେ ଶ୍ରୀ ସାମଲ ଭୂତଳ ଖଣି କାର୍ଯ୍ୟକଳାପ, ଲମ୍ପି କ୍ରୋମାଇଟ୍ ଖଣିଜର ଉତ୍ପାଦନ କ୍ଷମତା ବୃଦ୍ଧି କରି ଶିଳ୍ପ କ୍ଷେତ୍ରର ଚାହିଦା ପୂରଣ ଏବଂ ଖଣିଜ ପରିବହନ ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଉତ୍ପାଦନ ବୃଦ୍ଧି ପାଇଁ ଆଧୁନିକ ଖଣି ପରିଚାଳନା ପଦ୍ଧତିର ପ୍ରୟୋଗ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଉତ୍ପାଦନ ବୃଦ୍ଧି ସହିତ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଏବଂ ଭୂତଳ ଖଣିର ସମସ୍ତ ସୁରକ୍ଷା ନିୟମର ପାଳନ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।