ଭୁବନେଶ୍ୱର:ରାଜଧାନୀରେ ପ୍ରାୟତଃ ବନ୍ଦ ହୋଇଯାଇଛି ଓଲା-ଉବେର ଭଳି ଅନଲାଇନ୍ କ୍ୟାବ୍ ଓ ଅଟୋ ସେବା। ଆପ୍ ଖୋଲିଲେ ଗାଡ଼ି ଦେଖାଯାଉଛି ଅଳ୍ପ, ଆଉ ମିଳିଲେ ଭଡ଼ା ଦେଢ଼ଗୁଣା। ଅଫଲାଇନ୍ରେ ବି ସମାନ ସ୍ଥିତି। ବିମାନବନ୍ଦର, ରେଳ ଷ୍ଟେସନ୍ ଓ ବସ୍ଷ୍ଟାଣ୍ଡରେ ଗାଡ଼ି ଅଭାବରୁ ଯାତ୍ରୀ ହନ୍ତସନ୍ତ। ଏପଟେ ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ପୁଲିସର କାର୍ଯ୍ୟାନୁଷ୍ଠାନ ପରେ ରାଜଧାନୀର ପରିବହନ ବ୍ୟବସ୍ଥା ଆହୁରି ବିଗିଡ଼ିଛି।

ଏକ ଘରୋଇ ସଂସ୍ଥାର ପରିସଂଖ୍ୟନ ମୁତାବକ, ରାଜଧାନୀରେ ଯାତ୍ରୀଙ୍କୁ ବୋହିବାରେ ଲାଗିଛି ପ୍ରାୟ ୪୫ହଜର ଅଟୋରିକ୍ସା । ସେଥିମଧ୍ୟରୁ ପାଖାପାଖି ୩୫ହଜାର ଅନଲାଇନ୍ ଏଗ୍ରିଗେଟର ପଲିସିରେ ଚଳାଚଳ କରୁଛି । ଅର୍ଥାତ୍, ଓଲା-ଉବେର ଭଳି ସଂସ୍ଥା ସହ ଏହି ଅଟୋରିକ୍ସା ଅନୁବନ୍ଧିତ । ବାକି ୧୦ ହଜାର ଅଟୋ ଅଫଲାଇନ୍ ମୋଡ଼ରେ ଚାଲୁଛି । ଏହାବାଦ୍ ୧୦ ହଜାରରୁ ଅଧିକ ଟାକ୍ସି ପଞ୍ଜିକୃତ ହୋଇଛି । ସେହିଭଳି ପରିବହନ ବିଭାଗ ତଥ୍ୟ ମୁତାବକ, ୬୦୦ ବାଇକ୍ ଅନଲାଇନ ପ୍ଲାଟଫର୍ମରେ ଚାଲୁଛି । କିନ୍ତୁ ଏହାର ଦୁଇଗୁଣା ଅଧିକ ବାଇକ୍ ଚାଳକ ବିନା ପଞ୍ଜିକରଣରେ ଯାତ୍ରୀଙ୍କୁ ବୁହାଉଛନ୍ତି ।

ଅନଲାଇନ୍ ଡ୍ରାଇଭରଙ୍କ ହିଂସାତ୍ମକ ଆନ୍ଦୋଳନ ବିରୋଧରେ କମିଶନରେଟ୍ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି । ପୁଲିସ ମାତ୍ର ୩୫୪ଟି ଅଟୋରିକ୍ସା ଜବତ କରିବା ସହ ଅଟୋରିକ୍ସା ଷ୍ଟାଣ୍ଡ ଭାଙ୍ଗିଦେଇଛି । ପୁଲିସର ଏତାଦୃଶ୍ୟ କାର୍ଯ୍ୟାନୁଷ୍ଠାନ ପରେ ଅନଲାଇନ୍ ଡ୍ରାଇଭରଙ୍କ ଭିତରେ ଏକରକମର ଛନକା ପଶିଛି । ହଜାର ହଜାର ସଂଖ୍ୟାରେ ଡ୍ରାଇଭର ପଦାକୁ ବାହାରୁ ନାହାନ୍ତି । ଅନେକ ରାଜଧାନୀ ପାର୍ କରିଛନ୍ତି । ଏହାର ଫଳ ଭୋଗୁଛନ୍ତି ସାଧାରଣ ଜନତା । ବିମାନବନ୍ଦର ଓ ରେଳଷ୍ଟେସନରେ ସର୍ବାଧିକ ଯାତ୍ରୀ ହଇରାଣ ହୋଇଛନ୍ତି । କାହିଁକି ନା, ବିମାନ ଓ ରେଳ ଯାତ୍ରୀମାନେ ସାଧାରଣତଃ ଅନଲାଇନ୍ ଅଟୋ, ଟ୍ୟାକ୍ସି ଉପରେ ନିର୍ଭରଶୀଳ । ସେମାନେ ଘରୋଇ ପରିବହନ ଆପ୍ ଖୋଲୁଛନ୍ତି ସତ । କିନ୍ତୁ ଟ୍ୟାକ୍ସି କିମ୍ବା ଅଟୋରିକ୍ସା ମିଳିବା ବେଳକୁ ଘଣ୍ଟା ଘଣ୍ଟା ବିତିଯାଉଛି ।

ଏସବୁ ପରିବହନ ସଂସ୍ଥା ବି ଏଭଳି ଅପ୍ରୀତିକର ପରିସ୍ଥିତିରୁ ନିଜ ବ୍ୟବସାୟିକ ଫାଇଦା ଉଠାଇବା ଚକ୍କରରେ ଅଛି । କାହିଁକି ନା ପୂର୍ବରୁ ଯେଉଁ ଗନ୍ତବ୍ୟସ୍ଥଳକୁ ଗଲେ ଭଡ଼ା ବାବଦକୁ ୧୦୦ ଟଙ୍କା ଦେବାକୁ ପଡୁଥିଲା । ଏବେ ସମାନ ଭଡ଼ା ପାଖାପାଖି ଦେଢ ଗୁଣା ବଢ଼ିଯାଇଛି । ଅର୍ଥାତ୍, ଯାତ୍ରୀଙ୍କ ପକେଟରୁ ୧୬୦-୧୮୦ ଟଙ୍କା ଯାଉଛି । କେବଳ ଯାତ୍ରୀ ନୁହଁନ୍ତି, ଛାତ୍ରଛାତ୍ରୀ, କର୍ମଚାରୀ ଓ ଅନ୍ୟ ବର୍ଗର ଲୋକେ ମଧ୍ୟ ଢ଼େର୍ ହଇରାଣ ହେଉଛନ୍ତି ।

also read- କ୍ଷମା ମାଗିଲେ ଅନଲାଇନ୍ ଅଟୋ ଚାଳକ ସଙ୍ଘ ସଭାପତି : ଭିଡିଓ ବାର୍ତ୍ତାରେ ରଖିଲେ ପ୍ରତିକ୍ରିୟା

ଓଡ଼ିଶା ଯାତ୍ରୀ ଆପ୍ ବି ବେଶ୍ ବ୍ୟସ୍ତ ହୋଇଯାଇଛି । ଆମ ବସରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି । ଅଫଲାିନ୍ ଅଟୋରିକ୍ସା ଚାଳକ ଅର୍ଥ ଫାଇଦା ପାଇଁ ଚଢ଼ାଦର କଷୁଛନ୍ତି । ଡ୍ରାଇଭରଙ୍କ ଆନ୍ଦୋଳନ, ପୁଲିସର କାର୍ଯ୍ୟାନୁଷ୍ଠାନ ଏବଂ ଅନଲାଇନ୍ ଗାଡ଼ିର ଅଭାବ ମଧ୍ୟରେ ଏବେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ରାଜଧାନୀବାସୀ। କେବେ ସ୍ୱାଭାବିକ ହେବ ଅଟୋ-ଟ୍ୟାକ୍ସି ସେବା, ତାହାକୁ ନେଇ ଯାତ୍ରୀଙ୍କ ଅପେକ୍ଷା ଜାରି ରହିଛି।